ମାଫିଆଙ୍କ କବ୍ଜାରେ ସଂରକ୍ଷିତ ଜଙ୍ଗଲ ଜମି

 ବୈଶିଙ୍ଗା : ଅସନ୍ତୁଳିତ ପରିବେଶକୁ ରକ୍ଷା କରିବା ପାଇଁ ସରକାରଙ୍କ କେତେ କେତେ ଯୋଜନା କରାଯାଉଛି ଏବଂ ଏଥିପାଇଁ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ମଧ୍ୟ ହେଉଛି । ନୂତନ ଜଙ୍ଗଲ ସୃଷ୍ଟି କରିବା, ଧ୍ୱଂସ ତଥା ଅବହେଳିତ ଜଙ୍ଗଲକୁ ରକ୍ଷା କରିବା, ଖାଲି ପଡ଼ିଥିବା ଜଙ୍ଗଲ ଜମିରେ ନୂତନ ଚାରା ରୋପଣ କରି ଦିନ ମଜୁରିଆଙ୍କୁ ରୋଜଗାରର ସାଧନ ଯୋଗାଇବା ସହ ନୂତନ ଜଙ୍ଗଲ ସୃଷ୍ଟି ହୋଇ ପାରୁଛି । ଯାହାଦ୍ୱାରା ପରିବେଶ ପ୍ରଦୂଷଣରୁ ମୁକ୍ତ ହୋଇପାରିବ । ମାତ୍ର କିଛି ମାଫିଆଙ୍କ ଦ୍ୱାରା ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେଇ ସେଥିରେ ଅଟ୍ଟାଳିକା, ପାର୍କ, ବ୍ୟବସାୟ ପେଣ୍ଠ ଆଦି ତିଆରି କରିବା ଦ୍ୱାରା ଜଙ୍ଗଲ ସୃଷ୍ଟିରେ ବାଧା ଉପୁଜୁଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବୈଶିଙ୍ଗା ବନାଞ୍ଚଳ ଅଧିନରେ ଥିବା ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ । ଅଭିଯୋଗ ଅନୁଯାୟୀ, ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ରଙ୍ଗାମାଟିଆ ମୌଜାରେ ଗ୍ରାମର ଜନୈକ ବ୍ୟକ୍ତି ପ୍ରାୟ ଏକରରୁ ଅଧିକ ଜମି ବେଆଇନ ଭାବେ ଦଖଲ କରିବା ସହିତ ଉକ୍ତ ଜମିରେ ସ୍ଥାୟୀ ନିର୍ମାଣ ସାଙ୍ଗକୁ ପାର୍କ ତିଆରି କରି ପାର୍ଶ୍ୱରେ ଥିବା ଏକ ହୋଟେଲକୁ ଭଡ଼ା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି  । ସେହିପରି ବୈଶିଙ୍ଗା ଗ୍ରାମ୍ୟ ଜଙ୍ଗଲରେ ମଧ୍ୟ ଜବରଦଖଲକାରୀମାନେ ପୁରା ଜନବସତି ସୃଷ୍ଟି କରିଦେଇଛନ୍ତି । ଏହା ଦ୍ୱାରା ଜଙ୍ଗଲ ଜମି ଧିରେ ଧିରେ ନଷ୍ଟ ହୋଇ ଚାଲିଛି । ଏହାକୁ ରୋକା ନ ଗଲେ ଅନ୍ୟ ବ୍ୟକ୍ତିବିଶେଷ ମଧ୍ୟ ଜଙ୍ଗଲ ଜମିଜବର ଦଖଲ କରିବାର ଅପଚେଷ୍ଟା କରି ପାରନ୍ତି  । ଅନେକ ସମାଜସେବୀ ମଧ୍ୟ ଏହାକୁ ବିରୋଧ କରି ଜଙ୍ଗଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଜଣାଯାଇଛି । ଏ ନେଇ ରେଞ୍ଜ ଅଧିକାରୀ ମନୱର ଖାଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗ୍ରାମବାସୀଙ୍କ ଅଭିଯୋଗ ମିଳିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛି  । ତେବେ ତଦନ୍ତ ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।