ମାସକରେ ଉଠିଗଲା ପିଚୁ
କାଳିଆପାଣି : ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଡମ ଶାଳ ନାଳ ଉପରେ ଏକ ଆଡି ବନ୍ଧ ନିର୍ମିତ ହୋଇଛି । ଉକ୍ତ ଆଡିବନ୍ଧରୁ ଅର୍ଥାତ କଲରଙ୍ଗୀ ଶିବ ମନ୍ଦିର ନିକଟରୁ ଭୁବନ ପର୍ଯ୍ୟନ୍ତ ଏକ କେନାଲ ମାଧ୍ୟମରେ ହଜାର ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇଥଏ । ଦୁଇ ଜିଲ୍ଲା ଅର୍ଥାତ ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାର ଦୁଇଟି ବ୍ଲକର ଚାଷୀମାନେ ଏଥରୁ ଲାଭବାନ ହୋଇଥାନ୍ତି । ଉକ୍ତ କେନାଲର ଦକ୍ଷୀଣ ପାର୍ଶ୍ୱ ଅର୍ଥାତ କେନାଲର ଡାହାଣ ପଟରେ ଏକ ରାସ୍ତା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ମଧ୍ୟ ନିର୍ମାଣ ହୋଇଛି । ଉକ୍ତ କେନାଲ ରାସ୍ତାଟି ଅନେକ ବର୍ଷଧରି ମରାମତି ହୋଇନଥିବାରୁ ଏହାଉପରେ ଯାତାୟାତ କରିବା ସମ୍ଭବ ହେଉନଥିଲା । ତେବେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଚାଷୀମାନେ ଅନେକବାର ଅଭିଯୋଗ କଲାପରେ ସେହି ରାସ୍ତାଟିକୁ ଜଳ ବିଭାଗ ପକ୍ଷରୁ ଗତ ଜୁନ ମାସରେ ମରାମତି କରାଯାଇଥିଲା । ମାତ୍ର ବିଡ଼ମ୍ବନା କ୍ଷୁଦ୍ର ଜଳସେଚନ ବିଭଗ ପକ୍ଷରୁ ଉକ୍ତ ରାସ୍ତାର ମରାମତି କାମରେ ଘୋର ଅନିୟମିତତା ହୋଇଥିବାର ପରିଲିଖିତ ହୋଇଛି । ମାତ୍ର ମାସକ ପୂର୍ବରୁ ମରାମତି ହୋଇଥିବା ଉକ୍ତ ରାସ୍ତାଟି ଜାଗା ଜାଗାରେ ଖାଲ ହୋଇ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି । ଓଡିଶା ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିୟୋଜିତ ଠିକାଦାର ଅତି ନିମ୍ନ ମାନର କାର୍ଯ୍ୟ କରିଥିବାରୁ ଏଭଳି ଅବସ୍ଥା ହୋଇଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।