ଯାଜପୁରରେ ଖାଇବା-ପିଇବା ମନା, ସବୁଠି ଖାଁ ଖାଁ, ହା-ହତାସ ସ୍ଥିତ

 ଯାଜପୁର : ଯାଜପୁର ଜିଲାକୁ କେହି କୈାଣସି କାର୍ଯ୍ୟରେ ଆସୁଥିଲେ ସାଙ୍ଗରେ ଖାଇବା ସହ ପିଈବା ପାଣି ଆଣିବା ଅନିର୍ବାଜ୍ୟ ହୋଇପଡ଼ିଛି । ଯଦି ନ ଆଣନ୍ତି, ତେବେ ସୁଖିଲା ଖାଦ୍ୟ ସାଙ୍ଗକୁ ୨୦ଟଙ୍କିଆ ବୋତଲ ପାଣି କିଣି ପିଇବାକୁ ବାଧ୍ୟ ହେବେ । ଡ଼ାଇରିଆ ଏଭଳି ଭାବେ ଡ଼ର ପୁରେଇ ଦେଇଛି ଯେ ରନ୍ଧାଖାଦ୍ୟ କି ଖୋଲା ପାଣି ଉପରେ ପ୍ରଶାସନ କଟକଣା ଲଗାଇବାକୁ ବାଧ୍ୟ ହୋଇଛି । ଡ଼ାଇରିଆ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ କଟକଣାକୁ ଏଭଳି ଭାବେ କଡ଼ାକଡ଼ି କରିଛି ଯେ ଯେଉଁ କେତେକ ତାରକା ହୋଟେଲ ରେଷ୍ଟୁରାଣ୍ଟ ଖୋଲା ରହିଥିଲା, ତାହାକୁ ଆଜି ସିଲ୍ ହୋଇଛି । ଢାବା ଠାରୁ ଆରମ୍ଭ କରି ସହର ଗାଁର ସବୁ ହୋଟେଲ, ଜଳଖିଆ, ଫାଷ୍ଟଫୁଡ଼ ଦୋକାନରେ ତାଲା ୩ଦିନ ତଳୁ ପଡ଼ିଛି । ଏଭଳି ଶହଶହ ସଂଖ୍ୟାର ପ୍ରତିଷ୍ଠାନ ବନ୍ଦ ଏବଂ ଡ଼ାଇରିଆ ଡ଼ର ଯୋଗୁ ସହର ହେଉ କି ଗାଁ ବଜାର ସବୁ ଖାଁ ଖାଁର ଚିତ୍ର ଆଉ ହା-ହତାସର ସ୍ଥିତି ଉପୁଜିଛି । ଦିନକୁ ଦିନ ଡ଼ାଇରିଆ ତଳମୁହାଁ ହେଉଥିବାର କଥା ଜିଲା ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଏଠାରେ ଖାଇବା ଓ ପିଇବା ମନା କଟକଣା ‘ଲକଡ଼ାଉଡ଼’ ଭଳି ପରିସ୍ଥିତି ସୃଷ୍ଟି କରିଛି । ପାଣି ନାଁ ଖାଦ୍ୟ, ନା ପରିବେଶରୁ ଝାଡ଼ାବାନ୍ତି, ଡ଼ାଇରିଆ, ହଇଜା ସୃଷ୍ଟି ତାହାକୁ ଶହେ ପ୍ରତିଶତ ସ୍ପଷ୍ଟ କରୁନଥିବା ପ୍ରଶାସନର କଟକଣା ସହରାଞ୍ଚଳରେ ବାସ କରୁଥିବା ଭଡ଼ାଟିଆ, ଟ୍ରେନ, ବସ ବା ଅନ୍ୟାନ୍ୟ ଯାତ୍ରୀଙ୍କୁ ନାକେଦମ କରୁଛି । ଯାଜପୁରରେ ‘ଲକଡ଼ାଉନ’ ଭଳି ସ୍ଥିତି ସଂପର୍କରେ ଅବଗତ ନଥିବା ବ୍ୟକ୍ତି ଭୋଜନ କରିବାକୁ ନପାଇ ବାଧ୍ୟ ହୋଇ ସୁଖିଲା ଖାଦ୍ୟ ସହ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି । କେବଳ ଜିଲା ବାହାର ନୁହେଁ ଜିଲା ଭିତରର ଲୋକବି ଏଭଳି ସ୍ଥିିତିର ସମ୍ମୁଖିନ ହେଉଛନ୍ତି । ଏହା କେବଳ ନୁହେଁ ରୋଗୀଙ୍କୁ ମେଡ଼ିକାଲ ଧରି ଆସୁଥିବା ବା ଆଡ଼ମିଟ୍ ହୋଇଥିବା ପରିବାର ସଦସ୍ୟ କଟକଣା ପ୍ରଭାବର ଶୀକାର ହେଉଛନ୍ତି । ଡ଼ାଇରିଆକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଅନେକ ସ୍ୱାଗତ ଯୋଗ୍ୟ ବୋଲି କହୁଥିବା ବେଳେ ଅନେକ କିନ୍ତୁ ନାପସନ୍ଦ କରିଛନ୍ତି । ଯେଉଁ ମାନଙ୍କ ଅଭିଯୋଗ  ମାର୍ଗଦର୍ଶିକାକୁ କଡ଼ାକଡ଼ି କରି ସାଧରଣ ଜଳନିକୁ ସଂଚାଳନ କରିବା କଥା । ହେଲେ ଖାଇବା ଓ ପିଇବା ଉପରେ କଟକଣା ଲଗାଇ ପ୍ରଶାସନ ଲକଡ଼ାଉନ ଭଳି ସ୍ଥିତି ଉତ୍ପନ୍ନ କାରଣରୁ ହଜାର ହଜାର ସଂଖ୍ୟାର ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ପ୍ରଭାବିତ ହେଉଛନ୍ତି ।