ପଡୁନି ପ୍ରଶାସନର ଦୃଷ୍ଟି : ସହରରେ ମାଳମାଳ ବେଆଇନ୍ ଘରୋଇ ଛାତ୍ରାବାସ
ଦିନକୁ ଦିନ କେନ୍ଦ୍ରାପଡ଼ା ସହରରେ ଗଢି ଉଠୁଛି ଛତୁ ଫୁଟିବା ପରି ଘରୋଇ ହଷ୍ଟେଲ ଓ ମେସ୍ । ସରକାରଙ୍କ ନିୟମ ଅନୁସାରେ ଘରୋଇ ହଷ୍ଟେଲ କିମ୍ବା ମେସ୍ ଚଳାଇବା ପୂର୍ବରୁ ବିଭିନ୍ନ ବିଭାଗରୁ ଅନୁମତି ଆଣିବା ସହିତ ସ୍ଥାନୀୟ ପ୍ରଶାସନ ନିକଟରେ ପଞ୍ଜୀକୃତ ହେବା ବିଧେୟ । କିନ୍ତୁ କିଛି ଅସାଧୁ ବ୍ୟବସାୟୀ ସବୁ ନିୟମ କାନୁନ୍କୁ ଫୁ’ କରି ଦେଇ ବେଆଇନ ଭାବେ ଦୀର୍ଘ ଦିନ ହେବ ଚଳାଇ ଆସୁଛନ୍ତି ଘରୋଇ ଛାତ୍ରାବାସ । ଏହାର ସଂଖ୍ୟା ଗୋଟିଏ କି ଦୁଇଟିରେ ସୀମିତ ରହିନାହିଁ, ସହରରେ ପ୍ରାୟ ଶହେରୁ ଊଦ୍ଧ୍ୱର୍ ସଂଖ୍ୟାରେ ଚାଲୁଛି ବେଆଇନ୍ ବା ଅଣପଞ୍ଜିକୃତ ଘରୋଇ ହଷ୍ଟେଲ ଓ ମେସ୍ । କେନ୍ଦ୍ରାପଡା ସହର ସ୍ଥିତ ତିନିମୁହାଣି, ଏନଏଚ୍ କଲୋନୀ, ଗରାପୁର, ଉଦୟ ନଗର, ଭ୍ରମରଦିଆ ପାଟଣା, କଲେଜ୍ ଛକ, କଜଳା, ଗୋଲ୍ଡେନ୍ ଭିଲ୍ଲା, ରାମ ମନ୍ଦିର ପାଖ ଓ କଜଳା ଶିବ ମନ୍ଦିର ପଛ ପାଖ ଭଳି ବିଭିନ୍ନ ସ୍ଥାନମାନଙ୍କରେ ଚାଲୁଛି ଉଭୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକାଧିକ ଘରୋଇ ହଷ୍ଟେଲ ଓ ମେସ୍ । ଏମାନଙ୍କ ମଧ୍ୟରୁ ଅଧିକାଂଶ ହଷ୍ଟେଲ ଓ ମେସ୍ ବିଭାଗ ନିକଟରେ ପଞ୍ଜୀକୃତ ହୋଇନଥିବାରୁ ସରକାରଙ୍କ ରାଜସ୍ୱହାନୀ ହେଉଥିବା ଅଭିଯୋଗ ହେଉଛି । ସେହିପରି ସହରର ଶିକ୍ଷାବିତ୍ମାନଙ୍କ ଅଭିଯୋଗ ଅନୁସାରେ ସହରରେ ଗଢି ଉଠୁଥିବା ଘରୋଇ ହଷ୍ଟେଲ ଓ ମେସ୍ମାନଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ହୋଇଥିବାବେଳେ, ସୈକ୍ଷିକତା ବାତାବରଣ ଆଦୌ ନାହିଁ କହିଲେ ଚଳେ । ଯଦି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଦେଖିବା ତେବେ ସେଥିରେ ମଧ୍ୟ ଖିଲାପ ପରିଲିକ୍ଷିତ ହେଉଥିବା ଅଭିଯୋଗ ହେଉଛି । ଅଧିକାଂଶ ଛାତ୍ରାବାସମାନଙ୍କରେ କୌଣସି ୱାଡେନ୍ କିମ୍ବା ସୁରକ୍ଷା କର୍ମୀ ନ ଥିବାରୁ ସ୍ଥାନୀୟ ଅଣ ଛାତ୍ରମାନେ ହଷ୍ଟେଲ ମଧ୍ୟକୁ ଅବାଧ ପ୍ରବେଶ କରି ନାନା ନିଶା ସେବନ କରିବା ସହିତ ଛାତ୍ରମାନଙ୍କୁ ନିଶା ସେବନରେ ଲିପ୍ତ ରହିବାକୁ ବାଧ୍ୟ କରୁଛନ୍ତି । ଏବଂ ସେମାନେ ଏଥିରେ ଅମଙ୍ଗ ହେଲେ ଅକଥନୀୟ ଅତ୍ୟାଚାର କରିବାକୁ ମଧ୍ୟ ପଛାଉନାହାଁନ୍ତି । ଆହୁରି ମଧ୍ୟ ଦୁଇ ମହଲା ଏବଂ ତିନି ମହଲା ବିଶିଷ୍ଟ ଅଟ୍ଟାଳିକାମାନଙ୍କରେ ହଷ୍ଟେଲ ଓ ମେସ୍ ଗୁଡ଼ିକ ଗଢି ଉଠୁଥିବାବେଳେ ଆସନ ଅଗ୍ନି ଦୁର୍ବିପାକକୁ ପ୍ରତିହିତ କରିବା ପାଇଁ କୌଣସି ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ । ସରକାରଙ୍କ ନିୟମ ଅନୁସାରେ ମାଲିକମାନେ ହଷ୍ଟେଲ ଓ ମେସ୍ମାନଙ୍କୁ ଯିବା ଓ ଆସିବାର ସମୟ ନିର୍ଦ୍ଧାରଣ କରିବା ଉପରେ ଗୁରୁତ୍ୱ ଦେଉନଥିବାରୁ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେଇ ଅଧିକାଂଶ ସମୟରେ କୁସଂଗର ବଶବର୍ତ୍ତୀ ହେଉଥିବା ଅଭିଭାବକ ମହଲରୁ ଆସୁଛି ଅଭିଯୋଗ । ତେବେ ସରକାର ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।