ଯୁଦ୍ଧନୀତିର ଯୂପକାଠ : ପାଂଶୁଳ ପୃଥିବୀର ଫର୍ଦପାଠ
ଯୁଦ୍ଧ - ଏଇ ଶବ୍ଦଟି ଆଦିମକାଳରୁ ଆଜିପର୍ଯ୍ୟନ୍ତ ସବୁଯୁଗରେ ଜୀବଜଗତର ଅସ୍ଥିମଜ୍ଜାଗତ । ଯୁଦ୍ଧର ମୂଳକାରଣ - ସାମାଜିକ ମୂଲ୍ୟବୋଧ, ସମାଜର ମଣିଷର ମଙ୍ଗଳପାଇଁ ଯୁଦ୍ଧ ଏବଂ ବ୍ୟକ୍ତିଗତ ସ୍ୱାର୍ଥ, ଧନ, ଦୌଲତ, କ୍ଷମତାବଳରେ ପରନାରୀ ଅପହରଣ, ପରଦେଶ ଅଧିକାର ପାଇଁ ଯୁଦ୍ଧ ଚାଲିଛି । ମନୁଷ୍ୟକୃତ ଯୁଦ୍ଧରେ ମଣିଷ ମରୁଛି – ସେମାନଙ୍କର ଚିତ୍କାର ଶୁଣୁଛେ – ଦେଖୁଛେ । ନିର୍ଜୀବ ସଂପତ୍ତି ନଷ୍ଟକୁ କିଏ ପଚାରେ ! ଯେତେବେଳେ ବିଶ୍ୱରେ ଅଶାନ୍ତି ଅସନ୍ତୋଷ ସୃଷ୍ଟି ହୁଏ – ସେଇଥିରୁ ଆରମ୍ଭ ହୁଏ ଆତଙ୍କବାଦ । ବର୍ତ୍ତମାନ ସ୍ଥିତିରେ କୌଣସି ଦେଶ କାହା ପକ୍ଷ ନେବା ଉଚିତ୍ ନୁହେଁ । ଯଦି ଏହା ହୋଇପାରେ – ତା’ହେଲେ ଯୁଦ୍ଧ ଦିନକ ମଧ୍ୟରେ ଶେଷ ହୋଇଯିବ । ହେ ବିଶ୍ୱବାସୀ – ଜାଣିରଖନ୍ତୁ - ଯୁଦ୍ଧଯୋଗୁ ଏ ଜଗତ ଦିନେ ହୋଇଯାଇପାରେ ‘ଗତ’ । ଯୁଦ୍ଧର ଚରିତ୍ର ହେଉଛି - ଆତ୍ମଘାତୀ ଚିରକାଳ । ଯେଉଁ ଦେଶ ଭାବେ ସେ ଯୁଦ୍ଧ ଜିଣିଛି - ଦିନେ ଅନୁଭବ କରେ ଯେ - ସେ ଜିଣିଥିବା ଯୁଦ୍ଧ ତା’ ଅନ୍ତରାତ୍ମାକୁ ଝୁଣି ଖାଉଛି । ତା’ର ଅସଂଖ୍ୟ ବୀର ସନ୍ତାନଙ୍କ ଚିର ବିଦାୟରେ ଆକାଶ ଅଥୟ ଆଉ ବତାସ ବେଦନାହତ । ଏହା ହିଁ ହେଉଛି ଜୟପରାଜୟ ନିର୍ବିଶେଷରେ ଯେକୌଣସି ଯୁଦ୍ଧର ଅସଲ ଆତ୍ମଘାତୀ ଅବଧାରିତ ଚରିତ୍ରଲିପି । ସୁତରାଂ ଆମର ଏ ସଂସାର ଯେକୌଣସି ଯୁଦ୍ଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସର୍ବାଦୌ ବାଂଛନୀୟ ।
ଯୁଦ୍ଧଯନ୍ତ୍ରଣାରେ ଜର୍ଜରିତ ଜୀବନ । ଏ ଖେଳ ଲମ୍ବା ସମୟ ଚାଲିବ । ଯେତେ ଲମ୍ବାସମୟ ଯୁଦ୍ଧ ଚାଲିବ - ଯୁଦ୍ଧାସ୍ତ୍ରରେ ବଳୀୟାନ ଶକ୍ତିଶାଳୀ ଦେଶ ସେତେ କ୍ଷତିଗ୍ରସ୍ତ ହେବ । ଯୁଦ୍ଧାସ୍ତ୍ର ଭଣ୍ଡାର ସରିସରି ଆସିବ । ଦୁଇ ଦଶନ୍ଧି ତଳେ ଆମେରିକା ଆଫଗାନୀସ୍ଥାନରେ ଯୁଦ୍ଧକରି ଶେଷରେ ତାଲିବାନ୍ ହାତକୁ ଚାଲିଗଲା । ଏବେ ଇସ୍ରାଏଲ କେଉଁଠୁ, କେବେ ଯୁଦ୍ଧ ବନ୍ଦ କରିବ – ସେ କଥା ମୁଣ୍ଡକୁ ଆଣିବା ଦରକାର । କୌରବ ଯୁବରାଜ ଦୁର୍ଯେ୍ୟାଧନଙ୍କ ଭଳି ଅହଂକାର ଗର୍ବରେ ଫାଟିପଡି “ବିନାଯୁଦେ୍ଧ ନଦେବି ମୁଁ ସୂଚଗ୍ରେ ମେଦିନୀ” ବାହାସ୍ଫୋଟ କୁଆଡେ ପାଣିଭଳି ମିଳେଇଗଲା । ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ହାମାସ୍କୁ ଶେଷକରି ପରେ ମୁଜବୱାଲାଙ୍କୁ ଶେଷ କରିବେ ବୋଲି ବାହାସ୍ଫୋଟ ମାରୁଛନ୍ତି । ଏ ଅହଂକାର ରହିଲେ ହେଲା । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଆମ ଓଡିଶା ଭଳି ଭିଏତନାମ୍ ଦେଶକୁ ୨୦ବର୍ଷ ଯୁଦ୍ଧକରି ସାଧାରଣ ଚାଷୀଙ୍କୁ, ଝିଅବୋହୂଙ୍କୁ ହତ୍ୟାକରି ଯୁଦ୍ଧ ଜିତିପାରିଲା ନାହିଁ । ହାମାସ୍ ଇସ୍ରାଏଲ ଉପରେ ଆକ୍ରମଣ କଲାପରେ ପାଲଟା ଆକ୍ରମଣରେ ସାଧାରଣ ନାଗରିକ, କଅଁଳା ଶିଶୁଙ୍କୁ ମାରି ଗାଜାର ସବୁ ଧନସଂପତ୍ତି ମାଟିରେ ମିଶାଇଦେଲାଣି । ହାମାସ୍ ୫୦ବର୍ଷ ଧରି ତା’ର ଯୋଜନାକରି ମାଟିତଳେ ୫୦୦ କିଲୋମିଟର ସୁଡଙ୍ଗ କରି ସବୁ କାର୍ଯ୍ୟ ଚଳାଇଛି । ସୁଡଙ୍ଗ ଭିତରେ ‘ମାୟାଜାଲ’ ସୃଷ୍ଟି କରିଛି । ଇସ୍ରାଏଲ ସୈନ୍ୟ ଜଳସ୍ଥଳଆକାଶରେ ଯୁଦ୍ଧଚଳାଇ ଏବେ ସୁଡଙ୍ଗ ଭିତରକୁ ପ୍ରବେଶ କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି । ଭ୍ରମରେ ପଡି ଇସ୍ରାଏଲ ସୈନ୍ୟମାନେ ମୃତୁ୍ୟବରଣ କରୁଛନ୍ତି । ରାଗରେ ପୁଣି ମାଟି ଉପରେ ଥିବା ଡାକ୍ତରଖାନା, ରିଫୁ୍ୟଜି କ୍ୟାମ୍ପରେ ବୋମାପକାଇ ଛାରଖାର କରିବାରେ ଲାଗିଛି । ଫଳରେ ସାଧାରଣ ନାଗରିକଙ୍କ ଜୀବନ କ୍ଷଣିକେ ଚାଲିଯାଉଛି । ଏବେ ଅନ୍ତର୍ଜାତୀୟ କ୍ଷମାସଂସ୍ଥା (ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍) ଅଭିଯୋଗାନୁଯାୟୀ ଇସ୍ରାଏଲ ଅବୈଧ ଧଳା ଫସ୍ଫରସ୍ ବମ୍ ପକାଇବା ଯୋଜନା କରୁଛି । ଯାହା ମଣିଷକୁ ଜାଳିଦେବ । ପବନ ଜୁଆଡେ ଜୁଆଡେ ବହିବ – ସିଆଡେ ସିଆଡେ ଜୀବଜଗତ, ଧନସଂପତ୍ତି ଜଳିଯିବ । ଯଦିଓ ଯୁଦ୍ଧରେ ମାତିଥିବା ଉଭୟପକ୍ଷଙ୍କୁ ଭାଗଭାଗ ହୋଇ ବିଭିନ୍ନ ଦେଶ ସମର୍ଥନ କରୁଛନ୍ତି - ପ୍ରାୟ ସମସ୍ତଙ୍କ ପାଖରେ ୧୩ହଜାର ପରମାଣୁ ବୋମା ଅଛି । ଶେଷରେ ଏ ପରମାଣୁ ବୋମା ଯୁଦ୍ଧରେ ପ୍ରୟୋଗ କଲେ ପୃଥିବୀ ଏକପ୍ରକାର ଧ୍ୱଂସ ହୋଇଯିବ । ମଧ୍ୟପ୍ରାଚ୍ୟରେ ଆମେରିକାର କୌଶଳ ବିଫଳ ହୋଇଛି । ଆମେରିକାର ପୂର୍ବବାହାଦୁରୀ ଆଉ ନାହିଁ । ଇସ୍ରାଏଲ ଆମେରିକା ବୁଦ୍ଧିରେ ପଡି ଭୁଲ କରିବାକୁ ଯାଉଛି । ଇସ୍ରାଏଲ-ପାଲେଷ୍ଟାଇନ୍-ଗାଜା-ଜେରୁଜୁଲମ୍ ମଧ୍ୟରେ ବୁଝାମଣାରେ ଶାନ୍ତିପ୍ରତିଷ୍ଠା କରି ନିଜନିଜର ଦେଶରେ ନିଜ ସାର୍ବଭୌମତ୍ୱ ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିପାରିବେ । ଯୁଦ୍ଧ ଆରମ୍ଭବେଳେ ଯେଉଁମାନେ କୁହୁଳା ନିଆଁରେ ଘିଅ ଢାଳୁଥିଲେ – ଏବେ ସେ ହୁତୁହୁତୁ ନିଆଁର ଝୁଲ ସେମାନଙ୍କ ଉପରେ ପଡୁଛି । ଯୁଦ୍ଧ ବନ୍ଦ କରିବାକୁ ଯେତେ ରଡି ଛାଡିଲେ ବି କେହି ଶୁଣିବାକୁ ନାହିଁ । ଯେଉଁ ଆମେରିକା ଇସ୍ରାଏଲକୁ ଖତରନାକ୍ ଯୁଦ୍ଧାସ୍ତ୍ର ବିକ୍ରି କରିଥିଲା – ସେଇ ଅସ୍ତ୍ରରେ ଇସ୍ରାଏଲ ରକ୍ତମୁଖା ହୋଇ ଗାଜା ଉପରେ ନିକ୍ଷେପକରି ଶହଶହ ନିରୀହ ମଣିଷକୁ ଜିଅନ୍ତା ଶବରେ ପରିଣତ କରିଦେଲାଣି । ଏବେ ଇସ୍ରାଏଲକୁ ଚାରିପଟୁ ଆକ୍ରମଣ ଆରମ୍ଭ ହୋଇଗଲାଣି । ପାଲେଷ୍ଟାଇନ୍-ଗାଜା-ହାମାସ୍କୁ ସହଯୋଗ କରିବାପାଇଁ ଇସ୍ରାଏଲକୁ ଜିହାଦ୍, ଲେବାନନ୍ର ହିଜବୁଲ୍ଲା, ଇରାନ୍, ୟେମନ୍ର ହାଇଥି ବିଦ୍ରୋହୀ ଡ୍ରୋନ୍ ମିଜାଇଲ୍ ମାଧ୍ୟମରେ ଆକ୍ରମଣ କରୁଛନ୍ତି । ଏଭଳି ଏକ ସମୟରେ ଆମେ ପହଞ୍ଚôଲେଣି – ଖୁବ୍ ଶୀଘ୍ର ଦେଶେଦେଶେ ଭୟଙ୍କର ଯୁଦ୍ଧ ଲାଗି ବିଶ୍ୱର ଅଧାଲୋକ ଶବ ପାଲଟିଯିବେ । ସେତେବେଳକୁ ଯୁଦ୍ଧାସ୍ତ୍ର, ଅର୍ଥ, ଖାଦ୍ୟ ନଥିବ । ଲୋକ ଭୋକ ଓ ରୋଗରେ ପଡି ଛଟପଟ ହେବେ । “ଶେଷରେ ଠେଙ୍ଗାବାଡି, ପଥର, ଖଣ୍ଡା ଧରି ଯୁଦ୍ଧପାଗଳ ମାନଙ୍କୁ ଗୋଡେଇଗୋଡେଇ ବାଡେଇବେ ।” ଜଗତୀକରଣ ଯୋଗୁଁ ବିଶ୍ୱ ଅର୍ଥନୀତି ଦେବାଳିଆ ଅବସ୍ଥାକୁ ଆସିଯାଇଛି । ସବୁଦେଶରେ ଜନଅସନ୍ତୋଷ ଆନେ୍ଦାଳନର ଆଭାସ ପାଇ ନେତାମାନେ ଯେତେ ଛାନିଆ ହୋଇଗଲେଣି; ସେମାନଙ୍କ ପ୍ରଭୁମାନେ ତା’ଠାରୁ ଆହୁରି ଅଧିକ ଛାନିଆ । ସମଗ୍ର ବିଶ୍ୱ ପାଇଁ ଗୋଟିଏ ସରକାର ନାହିଁ । ଜାତିସଂଘ କେବଳ କେତୋଟି ଧନୀଦେଶଙ୍କ ଅକ୍ତିଆରରେ । ସମଗ୍ର ବିଶ୍ୱ କେଉଁ ପଦ୍ଧତି, ନୀତିରେ ଚାଲିବ - ତାହା ମାର୍କିନ୍ ମାତବରିରେ କେବଳ ପୁଂଜିବାଦୀଦେଶମାନଙ୍କର ଏକଚାଟିଆ ବ୍ୟାପାର । ଆଜି ଯେତେବେଳେ ସେଇ ଏକଚାଟିଆ ବାହାଦୁରିଆ ଦେଶମାନଙ୍କ ଉପରେ ବିପଦ, ତା’ର ବୋଝ କାହିଁକି ଅନ୍ୟଦେଶମାନେ ମୁଣ୍ଡାଇବେ? ସମଗ୍ର ବିଶ୍ୱବାସୀଙ୍କ ପାଇଁ ଜି.୭ ଗ୍ରୁପ ଅର୍ଥାତ ୭ଟି ଦେଶଙ୍କ ପାଣ୍ଠି ବିଶ୍ୱବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ରହି ଅଳ୍ପ ସୁଧରେ ଅନୁନ୍ନତ ବିକାଶଶୀଳ ଦେଶକୁ ଋଣ ଦେଉଛନ୍ତି । ଋଣ ସୁଧ ଶୁଝି ନପାରିଲେ ସେ ଦେଶର ପ୍ରାକୃତିକ ସଂପଦକୁ ଲୁଣ୍ଠନ କରୁଛନ୍ତି ।କେହି ପ୍ରତିବାଦ କଲେ କିଂବା ବାଧାଦେଲେ ଯୁଦ୍ଧ ଲଗାଇ ସେ ଦେଶକୁ ଧ୍ୱଂସ କରିଦେଉଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଧ୍ୱଂସର ତାଣ୍ଡବଲୀଳା ପରେ ବହୁ ପୁଂଜିବାଦୀ ଦେଶ ଅନ୍ୟ ଦେଶରେ ଯୁଦ୍ଧର ବିଭୀଷିକା ସୃଷ୍ଟି କରି ତୃତୀୟ ବିଶ୍ୱଯୁଦ୍ଧର ଗୁପ୍ତଦ୍ୱାର ଖୋଲି ଦେଇଛନ୍ତି । ଏ ମହାବିପଦରେ ଦୁର୍ବୁଦ୍ଧି ଦେଖାଦେଇଥିବା ପଣ୍ଡିତମାନେ ୩ୟ ବିଶ୍ୱଯୁଦ୍ଧ ଲଗାଇ ଦେଇ ସମଗ୍ର ବିଶ୍ୱମାନବ ସମାଜକୁ ଧ୍ୱଂସ କରିଦେବା କିଛି ଅସମ୍ଭବ ନୁହେଁ । ନିପୀଡ଼ିତ ନିଃସ୍ୱର ନିଃଶ୍ୱାସରେ ବିଶ୍ୱ ଜଳିବାକୁ ଯାଉଛି - ବ୍ୟବସ୍ଥାପିତ ବର୍ଗ ବଂଶୀ ବଜାଇବାରେ ବ୍ୟସ୍ତ !
କେତେଶୀଘ୍ର ଆଖିପିଛୁଳାକେ ଘଟଣାସବୁ ଘଟିଯାଉଛି । ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ବିଶ୍ୱର ବହୁଦେଶ ଡେଇଁଲେଣି । ଏସବୁ ଦେଶମାନେ ନିଆଁରେ ପାଣିପକାଇ ନିଭାଇବା ପରିବର୍ତ୍ତେ କୁହୁଳାନିଆଁରେ ଘିଅ ଢାଳୁଛନ୍ତି । ଏଣେ ନିଜ ଦେଶରେ ଲକ୍ଷଲକ୍ଷ ବୁଦ୍ଧିଜୀବୀ, ଯୁବସମାଜ ଗାଜା ସପକ୍ଷରେ ବିକ୍ଷୋଭ କରୁଛନ୍ତି । କେତେକ ଦେଶ ଦୁଇ ବିଲେଇକଳିରେ ମାଙ୍କଡ ଭୂମିକାରେ ଅଭିନୟ କରୁଛନ୍ତି । ପିଠା ସରିଗଲାପରେ ବିଲେଇ କାନ୍ଦୁଛି – ମାଙ୍କଡ ଗଛଡାଳରେ ବସି ହସୁଛି । ହସକାନ୍ଦ ଛାଡି ଶୀଘ୍ର ଯୁଦ୍ଧ ବନ୍ଦକର । ବିଶ୍ୱବାସୀ ଏହା ହିଁ ଚାହାଁନ୍ତି । ଯୁଦ୍ଧ । ଏ ଯୁଦ୍ଧ ଯୋଜନାବଦ୍ଧ । ଜୀବ-ଯୁଦ୍ଧରୁ ଜୀବାଣୁ-ଯୁଦ୍ଧ ଯାଏଁ ଏ ଜଗତ ଓ ଜୀବନ ଜର୍ଜରିତ । ରାଜନୀତିକରୁ ଆସୁରିକ ଆର୍ଥନୀତିକତାର ଅନ୍ଧଗଳି ଦେଇ, ରାଶିରାଶି ରୋଗସୃଷ୍ଟିକାରୀ ରାସାୟନିକ ସମରାଭ୍ୟାସର ସଂକଟପର୍ବ ସଂପ୍ରତି ସାବ୍ୟସ୍ତ କରୁଛି ମଣିଷ ଉପରେ ଅମଣିଷର ଭୂତ ସବାର୍ ହେବାର ସଂଗୀନ୍ ସତ୍ୟ । ବଡ ସାଂଘାତିକ ଏ ଶୋଚନୀୟ ସାମରିକତା - ଯାହା ଆମର ଏ ଜୀବନ୍ତ ଗ୍ରହର ଭବିଷ୍ୟତକୁ ଗୋଟାଏ ପାଉଁଶ ପିଣ୍ଡୁଳାର ପରିଣତି ପ୍ରଦାନ ନିମନ୍ତେ ନିତ୍ୟନିୟତ ଷଡଯନ୍ତ୍ରରତ ! ତଥାପି ଚେତୁନି ଆମର ବୁଦ୍ଧି-ବିଚାର-ବିବେକ । ପ୍ରତିବାଦର ପ୍ରଖରତା କାମ୍ୟ ଏକାନ୍ତ । ଏ ସୁନ୍ଦର ସଂସାରକୁ ନିଜ ଶାଗୁଣାଡେଣାର ଛାଇତଳେ ଛାରଖାର୍ କରିଦେବାର ଯୋଜନାଜାଲ ବିଛାଇ ବସୁଛନ୍ତି କେଉଁ କୁଳପାଂଶୁଳ କୁଚକ୍ରୀଏ ? ହଁ, ମଣିଷହାଡର ହିଡ ଉପରେ ବସି, ନିଜ ମାରଣାସ୍ତ୍ରବଜାରର ମୁନାଫା ମାହୋଲ୍କୁ ମତୁଆଲା କରିବାର ଅଭିସନ୍ଧି କରିଚାଲିଥିବା ସେଇ ଜନତନ୍ତ୍ରର ଜଘନ୍ୟ ଜହ୍ଲାଦଗଣ ସେମାନେ... ମାନବିକତାର ମୃଗୟାମତ୍ତ ମୃତୁ୍ୟଦୂତ – ସାମରିକ ଅସ୍ତ୍ରବିକ୍ରେତା ବୀଭତ୍ସ ବଣିକତନ୍ତ୍ରର କୁତ୍ସିତ କରାଳ କୀଟବର୍ଗ ! ପୃଥିବୀରେ ଆଜି ଅଶାନ୍ତ ଅଶୁଭ ଝଡ ସବୁଠି । ଯୁଦ୍ଧର ଜଳନ୍ତା ନିଅାଁ ଲାଗିଯାଇଛି ଏ ଦେଶ, ସେ ଦେଶ – ବିଭିନ୍ନ ବିଦେଶ । ବିକଳ ବିବ୍ରତ ଆଜିର ମଣିଷ ମହାବିତ୍ପାତର ବିଷାକ୍ତ ବୂ୍ୟହବଳୟରେ !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩