ରକ୍ତବନ୍ଧୁ ଅନୁଷ୍ଠାନ ଗଠିତ

 କବାଟବନ୍ଧ :  ରକ୍ତ ଅଭାବରୁ କେହି ମୃତୁ୍ୟ ବରଣ କରିବେ ନାହିଁ ସ୍ଲୋଗାନରେ ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଂଚଳରେ  ରକ୍ତ ବନ୍ଧୁ ଅନୁଷ୍ଠାନ ନାମରେ ସଂଗଠନ ଗଢିଉଠିଛି ।  ଜିଲ୍ଲାର କୋଣ ଅନୁକୋଣରୁ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ  ବଳରାମପୁର ଉପରଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ରକ୍ତ ବନ୍ଧୁ ନାମକ ଏକ ନିଃସ୍ୱାର୍ଥପର ମଧ୍ୟସ୍ଥି ବିହୀନ ତ୍ୱରିତ ରକ୍ତ ପ୍ରଦାନକାରୀ ଅନୁଷ୍ଠାନ ଗଠନ କରାଯାଇଛି । ଏକ ମହତ ଲକ୍ଷ ନେଇ ଗଠନ କରାଯାଇଥିବା ଏହି ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନେ ଗୋଟିଏ ମାତ୍ର ଫୋନ କଲ ରେ ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ ତୁରନ୍ତ ପହଁଚି ରକ୍ତ ଦାନ କରିବେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଧନୀ ଗରିବ ସମସ୍ତଙ୍କ ପାଇଁ ଏହି ଅନୁଷ୍ଠାନ ଦ୍ୱାରା ସର୍ବଦା ଖୋଲା ରହିଥିବା ଅନୁଷ୍ଠାନର ଉପଦେଷ୍ଟା ଅନୀଲ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ବିଶେଷକରି ଥାଲାସେମିଆ ଶିଶୁ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତର ଆବଶ୍ୟକତା ରହିଥିବା ବେଳେ ଗରିବ ଲୋକଟିଏ ତା ପିଲାଟିକୁ ରକ୍ତ ଦେଇ ବଂଚାଇବା କଷ୍ଟ ସାଧ୍ୟ ହେଉଥିବା ବେଳେ ରକ୍ତ ବନ୍ଧୁ ସେମାନଙ୍କ ମୁହଁରେ ଟିକିଏ ହସ ଖେଳାଇ ପାରିବ ବୋଲି ଆଶା ପ୍ରକାଶ ପାଇଛି । ରାଜ୍ୟର ଯେ କୌଣସି ସ୍ଥାନରୁ କୌଣସି ରୋଗୀଙ୍କର ରକ୍ତର ଆବଶ୍ୟକତା ଥିଲେ ତୁରନ୍ତ ରକ୍ତ ବନ୍ଧୁ ଅନୁଷ୍ଠାନ କୁ ଅବଗତ କଲେ ଡାକ୍ତରଖାନାରେ ସିଧାସଳଖ ରକ୍ତ ବନ୍ଧୁ ମାନେ ପହଁଚି ରକ୍ତ ଦାନ କରି ପାରିବେ । ଯଦି କୌଣସି ଅଂଚଳରୁ କୌଣସି ସ୍ୱେଚ୍ଛାସେବୀ ଏହି ରକ୍ତ ବନ୍ଧୁ ଅନୁଷ୍ଠାନ ସହିତ ଯୋଡ଼ି ହେବ ପାଇଁ ଚାହିଁବେ ବିନା ଦ୍ୱିଧାରେ ଅନୁଷ୍ଠାନ ସହ ଯୋଡ଼ି ହୋଇ ପାରିବେ ।  ଅନୁଷ୍ଠାନ ର ଶୁଭାରମ୍ଭ ଅବସରରେ ଆୟୋଜିତ ବୈଠକରେ ୫୦ରୁ ଊର୍ଦ୍ଧ୍ୱ ରକ୍ତ ବନ୍ଧୁ ବିଭିନ୍ନ ଯୋଗଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ପଣ୍ଡା କେକକାଟି ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ଆବାହକ ବସନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅନୁଷ୍ଠାନର ଲକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମାନସ ଦାସ, ବିଶ୍ୱଜିତ ଧୀର, ଲଷ୍ମୀଧର ମହାନ୍ତି, ମାୟାଧର ଦାସ, ସୁଜିତ କୁମାର ଧୀର, ଓମପ୍ରକାଶ ମଲିକ, ମନୋଜ ବେହେରା, ଦୁର୍ଯୋଧନ ବେହେରାଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ରକ୍ତ ବନ୍ଧୁ ଯୋଗ ଦେଇଥିଲେ ।