ରକ୍ଷଣାବେକ୍ଷଣବିହୀନ ସୌର ପ୍ରକଳ୍ପ
ଭଣ୍ଡାରିପୋଖରୀ : ପାନୀୟ ଜଳ ଯୋଗାଣ ପାଇଁଁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ନିର୍ମିତ ସୌର ପ୍ରକଳ୍ପ ଗୁଡ଼ିକର ଯଥାବିଧି ରକ୍ଷଣାବେକ୍ଷଣ ହେଉନାହିଁ । ମିଳିଥିବା ସୂଚନା ମୁତାବକ ରାଜ୍ୟ ବାହାରର କମ୍ପାନୀ ଦ୍ୱାରା ପାଖାପାଖି ୩୦ ଗୋଟି ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା ।
ବ୍ଲକର ତେସିଙ୍ଗା, ବନ୍ଦାଳମଢିଆଳୀ, ଦକ୍ଷିଣବାଡ, ସରସଦା, ରଣଜିତ୍ ପ୍ରମୁଖ ପଞ୍ଚାୟତର ଗାଁ ଛକ ମାନଙ୍କରେ ସୌର ପ୍ଲେଟ ସହିତ ପାଣିଟାଙ୍କି ଓ ଜଳ ଯୋଗାଣ ଟ୍ୟାପ ତିଆରି ହୋଇଥିଲା । ଗୋଟିଏ ପ୍ରକଳ୍ପକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ବେଳେ ରକ୍ଷଣାବେକ୍ଷଣା ବାବଦରେ ପାଞ୍ଚ ବର୍ଷ ଯାଏଁ କମ୍ପାନୀ ଦାୟିତ୍ୱ ତୁଲାଇବା କଥା । ପରିତାପର ବିଷୟ ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିନରେ ଲାଭଖୋର କମ୍ପାନୀ ଯେନତେନ ଉପାୟରେ କାମ କରି ବିଲ ନେଇ କେବେଠାରୁ ଉଭାନ ହୋଇଯାଇଛି । ପ୍ରକଳ୍ପ ଗୁଡିକର ନିର୍ମାଣ ହେବା ଦିନ ଠାରୁ ଏଗୁଡିକର ରକ୍ଷଣାବେକ୍ଷଣ ବାବଦରେ ଟଙ୍କାଟିଏ ମଧ୍ୟ ଏଯାଏଁ ଖର୍ଚ୍ଚ ହୋଇନାହିଁ । ଫଳରେ ଜରୁରୀକାଳୀନ ଜଳ ଯୋଗାଣ ବ୍ୟବସ୍ଥା ଏକପ୍ରକାର ଜରାଜୀର୍ଣ୍ଣ ପାଲଟିଛି କହିଲେ ଅତୁ୍ୟକ୍ତି ହେବନାହିଁ । ପାଣି ଟାଙ୍କିକୁ ଲଟା ଘେରି ଗଲାଣି ତ ପୁଣି କେଉଁଠି ଟ୍ୟାପରେ ଜଳ ଆସିବା ବନ୍ଦ ହୋଇଗଲାଣି । କେତେକ ସ୍ଥାନରେ ସୌର ପ୍ଲେଟ ମଧ୍ୟ ଖରାପ ହୋଇଗଲାଣି । ପ୍ରକଳ୍ପ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ଲାଭ କେବଳ କମ୍ପାନୀର ହୋଇଥିବା ବେଳେ ଲୋକମାନେ ଏହାଦ୍ୱାରା ଶତପ୍ରତିଶତ ଉପକୃତ ହୋଇ ପାରିନାହାନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।