ରାଜନଗର ବନଖଣ୍ଡରେ ୧୧୬ କୁମ୍ଭୀର ବସା ଚିହ୍ନଟ 

 ରାଜନଗର : ରାଜନଗର ବନ୍ୟପ୍ରାଣୀ ବନଖଣ୍ଡରେ କୂମ୍ଭୀର ବସା ଚିହ୍ନଟ ଶେଷ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳ ସମେତ ଜାତୀୟ ଉଦ୍ୟାନର ବାହାରେ  ମୋଟ ୧୧୬ଟି କୂମ୍ଭୀର ବସା ଚିହ୍ନଟ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତଃ କନିକା ରେଞ୍ଜରେ ସର୍ବାଧିକ ୧୦୪ଟିବସା ଚିହ୍ନଟ କରାଯାଇଛି । ରାଜନଗର ରେଞ୍ଜରେ ୧୦ଟି, ଗହିର ମଥା ରେଞ୍ଜରେ ଗୋଟିଏ ଓ ମହାକାଳପଡ଼ା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଥିବା ବେଳେ କୁଜଙ୍ଗ ରେଞ୍ଜରେ କୂମ୍ଭୀର ବସା ଦେଖିବାକୁ ମିଳିନାହିଁ  । କନିକା ରେଞ୍ଜର ଡାଙ୍ଗମାଳ ଫରେଷ୍ଟ ବ୍ଲକ, ଗଞ୍ଜେଇଖିଆ ଫରେଷ୍ଟ ବ୍ଲକ, ଶୂଆଯୋର ଓ ମହିଷାମଡା ଫରେଷ୍ଟ ବ୍ଲକରେ ଅଧିକ ବସା ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଅପ୍ରେଲ ମାସରେ ମା କୂମ୍ଭୀରର ମିଳନ ପର୍ବ ପରେ ମେ ମାସ ଶେଷ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ନଦୀ ଜୁଆର ମାଡୁନଥିବା ସ୍ଥାନରେ ହେନ୍ତାଳ,ଖରିଫ ପ୍ରଭୃତି ପତ୍ରକୁ ଗଦାକରି ତା ମଧ୍ୟରେ ଅଣ୍ଡା ଦେଇଥାନ୍ତି । ତା ଅଣ୍ଡାକୁ ଗୋଧି, ମାଙ୍କଡ, ସାପ ବାର୍ହା ପ୍ରଭୃତି ଜୀବଙ୍କ ଠାରୁ ରକ୍ଷା ପାଇବାପାଇଁ ନିକଟରେ ଜଗି ରହିଥାଏ  । ୨୦୨୪ରେ ୧୧୪ ଟି, ୨୦୨୩ରେ ୧୨୨ଟି, ୨୦୨୨ରେ ୧୨୨ଟି, ୨୦୨୧ରେ ୮୪ଟି କୃମ୍ଭୀର ବସା ଚିହ୍ନଟ କରାଯାଇଥିଲା  ।