ଖାମଖିଆଲ ବିଭାଗ..ଛିଡ଼ିଗଲା ବିଦୁ୍ୟତ୍ ତାର, ଗାଈ ମୃତ

 ଯାଜପୁର : ଟାଟା ପାୱାର ହାତକୁ ଯିବା ପରେ ବିଦୁ୍ୟତ୍ ବିଭାଗରେ ବ୍ୟାପକ ସଂସ୍କାର ଅଣାଯାଇଛି । ପୁରୁଣା ତାର ବଦଳା ଯାଇଛି, ନୂଆ ଖୁଣ୍ଟ ପକାଯାଉଛି, ଅନେକ ସ୍ଥାନରେ କେବୁଲର ବ୍ୟବସ୍ଥା କରାଯାଇଛି । ଏକଥା ସତ ହୋଇପାରେ ହେଲେ ଗ୍ରାମାଞ୍ଚଳରେ କିନ୍ତୁ ସଂସ୍କାରର ପଦଚିହ୍ନ ଦେଖିବାକୁ ମିଳିନି । ଯେଉଁ କାରଣରୁ ସାମାନ୍ୟ ବର୍ଷା ପବନରେ କୋଉଠି ଖଣ୍ଟ ଉପୁଡି ପଡୁଛି ତ କେଉଁଠି ତାର ଛିଡିଯାଉଛି । ଏଭଳି କାରଣରୁ କୋରେଇ ବ୍ଲକ ତାହାରପୁର ପଞ୍ଚାୟତ ଜଇଁତଳ ଗ୍ରାମରେ ଘର ମୁହାଁ ହେଉଥିବା ଗୋଟିଏ ଗାଇ ତଳେ ପଡିଥିବା ବିଦୁ୍ୟତ ତାର ସ୍ପର୍ଶରେ ଆସି ମୃତୁ୍ୟ ଘଟିଛି । ମୃତ ଗାଇଟି ଖଣ୍ଡୁଆଳି ଗ୍ରାମର ରତ୍ନାକର ଆଏଚଙ୍କର ହୋଇଥିବା ବେଳେ, ଚରିବାକୁ ଯାଇଥିବା ବେଳେ ବର୍ଷା କାରଣରୁ ଫେରି ନଥିଲା । ଆଜି ସକାଳେ ଘର ମୁହାଁ ହେଉଥିବା ଗାଇଟି ଜଇଁତଳ ଗ୍ର୍ରାମର ଚନ୍ଦ୍ରମଣି ମହାରଣାଙ୍କ ଦୁଆରମୁହଁରେ ଛିଡ଼ିପଡ଼ିଥିବା ବିଦୁ୍ୟତ ତାର ସ୍ପର୍ଶରେ ଆସିଥିଲା । ଏହା ଦେଖିବା ପରେ ଗାଁ ଲୋକେ ବିଦୁ୍ୟତ ବିଭାଗକୁ ଖବର କରିଥିଲେ । ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ପରେ ଗାଇଟିକୁ ଉଦ୍ଧାର କରାଯାଇଥିଲା । ବିଦୁ୍ୟତ ତାର ବହୁବର୍ଷର ହୋଇଥିବା ଏବଂ ତାହା ଦୁର୍ବଳ ହୋଇପଡ଼ିଥିବା କାରଣରୁ ଛିଡ଼ିପଡ଼ିଥିବା ଗାଁ ଲୋକେ କହିଛନ୍ତି । ଯଦି ବିଭାଗ ସେବାରେ ସଂସ୍କାର ଆଣୁଛି, ତେବେ ଗ୍ରାମାଞ୍ଚଳରେ କାହିଁକି ଏଯାବଦ ଏହା ପରିଲକ୍ଷିତ ହେଉନାହିଁ ବୋଲି ଉପଭୋକ୍ତା ପ୍ରକାଶ କରିଛନ୍ତି ।