ରାଜ୍ୟପାଳ ସମ୍ମିଳନୀକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି "ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କର'
(ଏଜେନ୍ସି) ନୂଆଦିଲ୍ଲୀ/ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରୋସôାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ରାଷ୍ଟ୍ରପତି ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ ଯେ ଏହି ସମ୍ମିଳନୀର କାର୍ଯ୍ୟସୂଚୀରେ ଆମର ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ସତର୍କତାର ସହ ଚୟନ କରାଯାଇଛି । ଏହି ସମ୍ମିଳନୀର ଆଲୋଚନା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ହେବ । ଏହି ଉଦଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉଦ୍ବୋଧନ ଦେଇଥିଲେ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜ୍ୟପାଳଙ୍କ ଶପଥକୁ ଉଲ୍ଲେଖ କରି ଗତ ଦଶନ୍ଧି ମଧ୍ୟରେ ଘଟିଥିବା ସାମାଜିକ କଲ୍ୟାଣକାରୀ ଯୋଜନା ଓ ବିକାଶ ବିଷୟରେ ଲୋକଙ୍କୁ ସଚେତନ କରିବାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁର ଭୂମିକା ଗ୍ରହଣ କରିବା ଓ ଗରିବ ଲୋକଙ୍କୁ ସହଯୋଗ କରିବା ସହ ସାମାଜିକ ସଂଗଠନମାନଙ୍କ ସହିତ ବାର୍ତ୍ତାଳାପ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ରାଜ୍ୟପାଳ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଯାହା ସମ୍ବିଧାନର ଢାଞ୍ଚା ଅନୁଯାୟୀ ଜନସାଧାରଣଙ୍କର କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ସମ୍ମିଳନୀରେ କଣ ଆଲୋଚନା ହେବ ସେ ସମ୍ପର୍କରେ ବର୍ଣ୍ଣନା କରିବା ସହ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ନେଇ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ । ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି ଯେ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ତିନୋଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ନ୍ୟାୟ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ଗରିବ, ସୀମାବର୍ତ୍ତୀ ଅଞ୍ଚଳ, ବଞ୍ଚିତ ବର୍ଗ ଅଞ୍ଚଳର ବିକାଶରେ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଯୁବପିଢ଼ିଙ୍କ ଶକ୍ତିକୁ ସକାରାତ୍ମକ ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରାଗଲେ "ଯୁବ ବିକାଶ' ଓ "ଯୁବ ନେତୃତ୍ୱାଧୀନ ବିକାଶ' ଅଧିକ ତ୍ୱରାନ୍ୱିତ ହେବ ବୋଲି ରାଷ୍ଟ୍ରପତି କହିଥିଲେ ।
ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ଭଳି ଆହ୍ୱାନର ମୁକାବିଲା ପାଇଁ ଅନେକ ପ୍ରୟାସ କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସମସ୍ତ ରାଜ୍ୟପାଳ ଲୋକଙ୍କ ସେବା ଓ କଲ୍ୟାଣରେ ଯୋଗଦାନ ଜାରି ରଖିବେ ଓ ସେମାନଙ୍କ ଦ୍ୱାରା ନିଆଯାଇଥିବା ଶପଥକୁ ନ୍ୟାୟ ଦେବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ଆୟୋଜନ କରାଯିବ । ଯେଉଁଥିରେ ରାଜ୍ୟପାଳଙ୍କ ସବ୍-ଗ୍ରୁପ୍ ପ୍ରତ୍ୟେକ ଏଜେଣ୍ଡା ଆଇଟମ୍ ଉପରେ ବିଚାର ବିମର୍ଶ କରିବେ । ରାଜ୍ୟପାଳଙ୍କ ବ୍ୟତୀତ ଏହି ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ଓ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି ।