ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା: ‘ପିଲାଙ୍କ ପ୍ରିୟ ନୃସିଂହ ସାର୍’ ଉନ୍ମୋଚିତ
କେନ୍ଦ୍ରାପଡ଼ା :କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ପ୍ରକୃତିବନ୍ଧୁ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସୃଜନ ଦିଗନ୍ତ’ ପକ୍ଷରୁ ସାଂସ୍କୃତିକ ବିଚିତ୍ରା ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତଳବାରଙ୍ଗ ସତ୍ୟସାଇ ବାଳ ବିକାଶ କେନ୍ଦ୍ରର ଛାତ୍ର ଦେବ ପ୍ରସାଦ ପତି ପବିତ୍ର ଗୀତାର ପ୍ରଥମ ଅଧ୍ୟାୟ ଆବୃତ୍ତି କରିଥିଲେ । ଦିବ୍ୟଜ୍ୟୋତି ପତି ସାଇ ଭଜନ ଗାନ କରିଥିଲେ । ଛାତ୍ରି ଅଂଶିତା ବେହେରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ପରେ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିରର ଛାତ୍ରୀ ମନସ୍ୱିନୀ, ପ୍ରତିଭା ଲିପ୍ସା ପ୍ରିୟଦର୍ଶିନୀ, ସୂଚୀ ଲିପ୍ସା, ହଂସିକା ଓ ଭାଗ୍ୟଶ୍ରୀଙ୍କ ଦ୍ୱାରା ଦଳଗତ ନବରତ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ତା’ପରେ ରୁଦ୍ରାଣୀ ପବ୍ଲିକ ସ୍କୁଲ ଏବଂ ରୁଦ୍ରାଣୀ କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଦେଶାତ୍ମବୋଧ ଦଳଗତ ନୃତ୍ୟ, ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରାଯାଇଥିଲା । ତୃପ୍ତିନୟନା, ବିଷ୍ଣୁପ୍ରିୟା, ସାଇଲଗ୍ନା, ଅପର୍ଣ୍ଣା, ଆଦ୍ୟାଶା, ଶ୍ରେୟାଂଶୁ ଦେଶାତ୍ମବୋଧ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିବା ବେଳେ, ଲୋପିତା, ଶ୍ରେୟାଶ, ସାଇରୁଦ୍ରାଂଶ, ସ୍ୱୟଂପ୍ରକାଶ, ରୁଦ୍ରପ୍ରକାଶ, ଦେବାଂଶୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସତ୍ୟସାଇ ବିଦ୍ୟା ମନ୍ଦିରର ସୁଚିତ୍ର ମାମ୍ ଓ ରୁଦ୍ରାଣୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୌଦାମିନୀ ପଣ୍ଡା ସଂଯୋଜନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ସଭାରେ ନୃସିଂହ ଚରଣ ତ୍ରିପାଠୀଙ୍କ ଜୀବନାଦର୍ଶ ଉପରେ ରଚିତ ପୁସ୍ତକ ‘ପିଲାଙ୍କ ପ୍ରିୟ ନୃସିଂହ ସାର୍’ ଉନ୍ମୋଚିତ ହୋଇଥିଲା ।