ମହାଦେବ ପୋଖରୀ ପୁନରୁଦ୍ଧାର କେବେ ?

 କେନ୍ଦ୍ରାପଡା : କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକର ସର୍ବ ପୁରାତନ ବେରୁହା ଗ୍ରାମର ମହାଦେବ ପୋଖରୀ ଏବେ ଜରାଜୀର୍ଣ ଅବସ୍ଥାରେ । ୩ ଏକର ବିଶିଷ୍ଟ ଏହି ପୋଖରୀଟି କାହିଁ କେଉଁ କାଳରୁ ପଞ୍ଚାୟତବାସୀଙ୍କ ପାଇଁ ପାଣି ଓ ମାଛ ଯୋଗାଇ ଆସୁଥିବା ବେଳେ, ଏବେ ପୋଖରୀର ଅବସ୍ଥା ବେହାଲ ହୋଇ ପଡିଛି । ଦୀର୍ଘ ବର୍ଷ ଧରି ପଙ୍କ ଉଦ୍ଧାର ଓ ଦଳ ସଫେଇ ନ ହେବା ଫଳରେ ପୋଖରୀ ପାଣି ଦୂଷିତ ହେବା ସହ ପଚି ସଢି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି କରୁଛି । ସରକାରଙ୍କ ମୋ ପୋଖରୀ ଯୋଜନାରେ ପୁନଃରୁଦ୍ଧାର ପାଇଁ ୪ଲକ୍ଷ ଟଙ୍କା ଟେଣ୍ଡର ହୋଇଥିଲା । ଏହି ଅର୍ଥକୁ କିଛି ରାଜନୈତିକ ବ୍ୟକ୍ତି ପୋଖରୀର ଅଳ୍ପ କିଛିକାଂଶ ଦଳ ସଫେଇ କରି ବାକି ଅର୍ଥକୁ ହଡପ କରିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ତେବେ ଏହି ପୋଖରୀ କୂଳରେ ମହାଦେବଙ୍କ ମନ୍ଦିର ଥିବା ବେଳେ, ମନ୍ଦିରକୁ ରାସ୍ତା ମଧ୍ୟ ନାହିଁ । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଏସମ୍ପର୍କରେ ମାର୍ଶାଘାଇ ବିଡିଓ ପଞ୍ଚାନନ ମଲ୍ଲିକ କୁହନ୍ତି ଖୁବଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ସରପଞ୍ଚ ବାବାଜୀ ସ୍ୱାଇଁ କୁହନ୍ତି ପୋଖରୀଟି ବହୁ ପୁରାତନ ପଂଚାୟତ ପକ୍ଷରୁ ମାଛ ଚାଷ ପାଇଁ ଏକ ଉପଯୋଗୀ ହୋଇଥିବା ବେଳେ, କିଛି ବ୍ୟକ୍ତି ନିଜର ପୈତୃକ ସମ୍ପତି ଭାବୁଛନ୍ତି । ତେବେ ପ୍ରଶାସନ ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ।