ରିଟେଲରଙ୍କ ଗୋଦାମରୁ ୧୭୦ ବସ୍ତା ଚାଉଳ ଚୋରି
ତିହିଡି : ତିହିଡି ବ୍ଲକ ଅନ୍ତର୍ଗତ ବାରସର ପଞ୍ଚାୟତର ଜଣେ ରିଟେଲରଙ୍କ ଗୋଦାମରୁ ଗତକାଲି ରାତିରେ ୧୭୦ ବସ୍ତା ଚାଉଳ ଚୋରି ହୋଇଥିବା ପୀରହାଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ରିଟେଲର ନୂଆବନ୍ଧ ନିବାସୀ ଭାଗିରଥୀ ବେହେରା କରିଥିବା ଅଭିଯୋଗ ଅନୁସାରେ ସେ ପଞ୍ଚାୟତର ୨୨ଟି ୱାର୍ଡର ଚାଉଳ ବଣ୍ଟନ ଦାୟିତ୍ୱରେ ନିୟୋଜିତ ଅଛନ୍ତି । ବାରସର ମାର୍କେଟ କମ୍ପ୍ଲେକ୍ସରେ ସେ ତାଙ୍କ ଗୋଦାମ ଖୋଲି ସେହିଠାରେ ଲୋକଙ୍କୁ ଚାଉଳ ବଣ୍ଟନ କରିଥାନ୍ତି । ପରେ ନିଜର ଖାତାପତ୍ର ହିସାବ କରି ଗୋଦାମରେ ଚାବି ପକାଇ ନିଜ ଘରକୁ ଫେରିଥିଲେ । ତେବେ ଆଜି ସକାଳେ ଚାଉଳ ବଣ୍ଟନ କରିବାକୁ ସେ ନିଜ ଗୋଦାମ ପାଖରେ ପହଞ୍ଚି ଗୋଦାମର ସଟର ଚାବି ଭଙ୍ଗା ଯାଇଥିବା ଦେଖିôବାକୁ ପାଇଥିଲେ । ସେହିପରି ଗୋଦାମ ଭିତରେ ମହଜୁଦ ଥିବା ଚାଉଳ ବସ୍ତା ମଧ୍ୟରୁ ପ୍ରାୟ ୧୭୦ ବସ୍ତା ଚାଉଳ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ପରେ ସେ ପୀରହାଟ ଥାନାରେ ପହଞ୍ଚି ଏଥିନେଇ ଲିଖିତ ଏତଲା ଦାୟର କରିଥିଲେ । ପୀରହାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଦାମ ସିଲ କରିଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।