ଶିକ୍ଷା ବିଭାଗରେ କେଳେଙ୍କାରୀ  : ଟ୍ୟାମ୍ପରିଂ ଓ ନକଲି ବିଲ୍ରେ ଅର୍ଥ ଆତ୍ମସାତ

ବିଞ୍ଝାରପୁର : ବିଭିନ୍ନ ରାସ୍ତା କାର୍ଯ୍ୟ ହେଉ ବା ଉନ୍ନୟନ ମୂଳକ କାର୍ଯ୍ୟ ନାମରେ ଅନେକ ମିଥ୍ୟା ବିଲ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ହୋଇଥାଏ । ହେଲେ ମଣିଷ ଗଢା କାରଖାନା କୁହାଯାଉଥିବା ଶିକ୍ଷା ବିଭାଗ ବା ମଣିଷ ଗଢ଼ୁଥିବା ଶିକ୍ଷକ ଏଭଳି କେଳେଙ୍କାରିରେ ସାମିଲ ହେବା ପୂର୍ବକ ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ କରିବା ଭଳି ଅଭିଯୋଗ ଆସିଛି । ବିଭିନ୍ନ କାର୍ଯ୍ୟକ୍ରମର ଖର୍ଚ୍ଚ ଦର୍ଶାଇ ଅନେକ ଗୁଡ଼ିଏ ହୋଟେଲ ଓ ଦୋକାନର ବିଲକୁ ଟ୍ୟାମ୍ପରିଂ କରିବା ସହ ଡ଼ିଟିପିରେ ମିଥ୍ୟାବିଲ ବନାଇ ଅର୍ଥ ଆତ୍ମସାତ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଜିଲାପାଳ ଆଉ ଜିଲା ଶିକ୍ଷାଧିକାରୀ ତଥା ଜିଲା ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ହୋଇଛି । ଅଭିଯୋଗ ଅନୁଯାୟି ବିଞ୍ଝାରପୁର ବ୍ଲକ୍ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସିଆରସି କ୍ଲଷ୍ଟର ୨୦୨୨-୨ ୪ମସିହାରେ ସମସ୍ତ ଖର୍ଚ୍ଚର ହିସାବ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ମଗାଯାଇଥିଲା । ନିର୍ଦ୍ଧାରିତ ସମୟରେ ସୂଚନା ଦେବା ପାଇଁ ବ୍ଲକ୍ ଶିକ୍ଷାଧିକାରୀ ସିଆରସିସି ମାନଙ୍କୁ ବାରମ୍ବାର ତାଗିଦ କରିବା ପରେ ସେମାନଙ୍କ ଦରମା ବନ୍ଦ କରିବା ଭଳି ଚେତାବନୀ ଦେଇଥିଲେ । ଶେଷରେ ସିଆରସିସି ମାନେ ନିଜେ କରିଥିବା ଭୁଲକୁ ଢାଙ୍କିବା ପାଇଁ କମ୍ପୁ୍ୟଟର ସାହାଯ୍ୟରେ କିଛି ଜଳଖିଆ ଦୋକାନ, ରଙ୍ଗ ଦୋକାନ, ବହି ଦୋକାନ, ଫର୍ଣିଚର୍ ଦୋକାନର ବିଲକୁ ଡିଟିପି କରି ମିଥ୍ୟା ବିଲ ସହ ଏହାକୁ ଟ୍ୟାମ୍ପରିଂ କରି ପ୍ରେରଣ କରିଥିଲେ । ହେଲେ ପରେ ଉକ୍ତ ବିଲ୍ ଗୁଡ଼ିକର ସତ୍ୟତା ଜାଣିବା ପାଇଁ ଦେଇଥିବା ବିଲ୍କୁ ନେଇ ଦୋକାନ ସହ ଯୋଗାଯୋଗ କରିବାକୁ ଏହା ସେମାନଙ୍କ ବିଲ୍ ନୁହ ବୋଲି କହିବା ସହ ଏହା ମିଥ୍ୟା ବିଲ ବୋଲି ପ୍ରକାଶ କରିଥିଲେ । ଏପରି କି ବିଲ ଗୁଡ଼ିକରେ ସମାନ କ୍ରମିକ ନମ୍ବର ସହ ତାରିଖ ଆଉ କ୍ରମିକ ନମ୍ବରର ତାଳମେଳ ରହୁନଥିବା ବେଳେ ହଜାରରୁ ଊର୍ଦ୍ଧ ଟଙ୍କାର ବିଲ ଉପରେ ଜିଏସଟି ନଥିବା ବିଲ୍ବି ଦର୍ଶାଇ ଅନେକ ଗୁଡ଼ିଏ ଅର୍ଥ ୨୦୨୨-୨୪ ମସିହା ପର୍ଯ୍ୟନ୍ତ ଦାଇତ୍ୱରେ ଥିବା ସିଆରସିସି ମାନେ ଅର୍ଥ ଆତ୍ମସାତ କରିଛନ୍ତି । ଏହି ଫର୍ଜି କଳା ଧନ୍ଦାର ତଦନ୍ତ ପାଇଁ ବାରମ୍ୱାର ବ୍ଲକ୍ ଶିକ୍ଷାଧିକାରୀଙ୍କୁ ପଚାରିଲା ବେଳକୁ ଏହା ତାଙ୍କ ଦାଇତ୍ୱ ନୁହଁ ଏହା ଡିପିସିଙ୍କ କାର୍ଯ୍ୟ କହି ନିଜକୁ ଖସାଇ ଦେଇଛନ୍ତି । ଯାହାକୁ ନେଇ ଏହି ଅର୍ଥ ଲୁଟ ପଛରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ସହଯୋଗ ରହିଥିବା ଅଭିଯୋଗ ହେଉଛି । ତେବେ ଏହି କେଳେଙ୍କାରିର ସମସ୍ତ ପ୍ରମାଣ ଥିଲେ ସୁଦ୍ଧା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ବଦଳରେ ନିରବ ରହିବା ନିଜ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି । ସିଆର୍ସିସି ମାନେ ଜଣେ ଜଣେ ଶିକ୍ଷକ ଭାବେ ସମାଜର ଦିଗଦର୍ଶକ ହୋଇଥିବା ବେଳେ ଏଭଳି ଦୁର୍ନୀତି କାର୍ଯ୍ୟ ପାଇଁ ଶିକ୍ଷା ବିଭାଗ ସହ ଶିକ୍ଷକ ସମାଜ ବି ବଦନାମ୍ ହେଉଛି । ତେବେ ଉକ୍ତ ଅର୍ଥ ହେରଫେରର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଲାଗି ଜିଲା ଶିକ୍ଷାଧିକାରୀ ଓ ଜିଲାପାଳଙ୍କୁ ଏକ ଲିଖିତ ଦାବୀ ପ୍ରଦାନ କରାଯାଇଛି । ତେବେ ସମସ୍ତ ଘଟଣା ତଥ୍ୟ ଭିତିକ ତଦନ୍ତ କରି ସଂପୃକ୍ତ ଥିବା ସିଆରସିସି ଶିକ୍ଷକଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେଇଛି ତାହା ସମସ୍ତଙ୍କ ଅପେକ୍ଷା ରହିଛି ।