ଲଘୁଚାପ ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ଆଶଙ୍କା

 ଆସିକା: ଦିନ ତମାମ ଝିପି ଝିପି ବର୍ଷା ଓ କୋହଲା ପାଗ ଲାଗିରହିଛି  । ତେଣୁ ଆସିକା କୃଷି ଜିଲ୍ଲାର ସମସ୍ତ ବ୍ଲକରେ ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଲଘୁଚାପ ବର୍ଷା ଯେମିତି ଚାଷୀଙ୍କୁ ଦାଉ ସାଧିବାକୁ ଆସିଛି । ଚାଷୀ ଉପରେ ସତେ ଯେମିତି ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲରେ ହୋଇଥିବା କ୍ଷତି ଭରଣା ନହେଉଣୁ ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନିଭୂତ ହୋଇ ବାତ୍ୟା ସମ୍ଭାବନା ସୃଷ୍ଟି ହୋଇଛି । ଏହା ତାମିଲନାଡୁ ଉପକୂଳ ମୁହାଁ ହୋଇଛି । ଯାହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଆକାଶ ଶୁକ୍ରବାର ସକାଳୁ ମେଘାଚ୍ଛନ୍ନ ରହି ସକାଳ ଦଶଟାରେ ଝିପି ଝିପି ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପଡିଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ଲଗାଣ ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଯିଜିବା ଫଳରେ ବର୍ଷକର ଫସଲ ଉଜୁଡି ଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଆଗୁଆ ଧାନ ଫସଲ ଅମଳ କରି ରଖିଥିବା ଚାଷୀ ମଣ୍ଡି ଖୋଲି ନଥିବା ଯୋଗୁଁ ଅଭାବୀ ବିକ୍ରିକୁ ଆପଣେଇ ନେଇଛନ୍ତି । ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା ଯୋଗୁଁ କେଉଁଠି ଧାନ ବିକିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଯାହାର ସୁଯୋଗ ଦଲାଲ ମାନେ ନେଉଛନ୍ତି । କ୍ୱିଣ୍ଟାଲ ପିଛା ୧୭୦୦/୧୮୦୦ ଟଙ୍କାରେ ଗାଁ ଗାଁ ରେ ଦଲାଲ ମାନେ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି । ଗୋଟିଏ ପଟେ ଅଭାବି ବିକ୍ରି ଅନ୍ୟ ପଟରେ ବିଲରେ ଖଳାରେ ଧାନ ଓଦା ହୋଇଯିବା କାରଣରୁ ଧାନ ଖତ ହୋଇଯିବାର ଆଶଙ୍କା ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି  । ବର୍ଷକର ଅମଳ କେଉଁଠି ବିଲରେ ତ କେଉଁଠି ଖଳାରେ ଥିବା ଧାନ ଗଦାକୁ ପାଳ ଓ ପାଲ ଘୋଡାଇ ରଖୁଥିବା ବେଳେ କେତେକ ଚାଷୀ ତରତରରେ ମେସିନ ଦ୍ୱାରା ମନ୍ଥୁଥିବା ଦେଖା ଯାଉଛି । ସେହିଭଳି ପାରିବା ଚାଷ ଉପରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ସମୟରେ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ କେବଳ ଏଫଏକିୟୁ ମାନର ଧାନ କିଣିବା ପାଇଁ ନିଷ୍ପତି ନିଆଯାଇଥିବାରୁ ଚାଷୀ ଚିନ୍ତା ହୋଇଛି । ଏଣୁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତି କୋହଳ କରିବା ସହ ତୁରନ୍ତ ମଣ୍ଡି ଖୋଲିବା ପାଇଁ ଚାଷୀ ଦାବି କରିଛନ୍ତି ।