ଲୁଟ୍ ହେଉଛି ହଜାର ହଜାର ଟନ କଳାପଥର ;ଆବଶ୍ୟକ ପଦକ୍ଷେପ ନେବାକୁ ସତୀଶଙ୍କ ଦାବି 


 ଯାଜପୁର: ଧର୍ମଶାଳା ତହସିଲରୁ କଳାପଥର ଲୁଟ୍ ଥମିବାର ନାଁ ଧରୁନି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କଳାପଥର ଲୁଟେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ବେଆଇନ କଳାପଥର ଲୁଟେରାଙ୍କ ଉପରେ ହୋଇଥିବା ଜରୀମାନା ଆଦାୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ କଳାପଥର ଲୁଟେରା କିନ୍ତୁ ଲୁଟପାଟରୁ ନିବୃତ ହେଉ ନାହାନ୍ତି । ତହସିଲ ଅନ୍ତର୍ଗତ ବାଜବାଟୀ ପାହାଡର ୬ଟି କ୍ୱାରୀ ରହିଥିବା ବେଳେ ୫ଟିର ଲିଜ ରହିଛି । ଦୁଇଟି କ୍ୱାରୀ ନଂବର-୨ ଓ ୬କୁ ବାର୍ଷିକ ପାଖାପାଖି ୩ କୋଟି ଟଙ୍କାରେ ଦୁଇଜଣ ବ୍ୟକ୍ତିଙ୍କୁ ଲିଜ ଦିଆଯାଇଛି । ଗତ କିଛିମାସ ତଳେ କ୍ୱାରୀ ନମ୍ବର ୩ ଓ ୪କୁ ଏବଂ କ୍ୱାରୀ ନମ୍ବର ୫କୁ ଦୁଇଟି କମ୍ପାନୀକୁ ଅସ୍ଥାୟୀ ବା ଅଳ୍ପ ସମୟ ଅନୁମତି (ଟିପି)ମିଳିଛି । ଗୋଟିଏ କମ୍ପାନୀ ଖଣି ଅପରେସନ ଅଦ୍ୟାବଧି ଆରମ୍ବ କରିନାହିଁ । କ୍ୱାରୀ ନମ୍ବର-୧ବର୍ତ୍ତମାନ ସୁଦ୍ଧା ଲିଜ ହୋଇନାହିଁ । ଏଠାରେ ୧୪୪ ବଳବତ୍ତର ରହିଛି । ଏହିକ୍ୱାରୀ ନମ୍ବର ୧ ଓ କମ୍ପାନୀ ଲିଜ ନେଇଥିବା ୫ ନମ୍ବରରୁ ଦୈନିକ ୩ ହଜାରରୁ ଅଧିକ ଟନ କଳାପଥର ଚୋରୀ ହେଉଥିବାରୁ ସରକାର ବହୁଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ଧର୍ମଶାଳାର ଡଙ୍କାରୀ, ରାହାଡପୁର, ବିଛାଖଣ୍ଡୀ, ବରଡା ଆଦି ପାହାଡରୁ ଦୈନିକ ବହୁ କୋଟି ଟଙ୍କାର ଲୁଟ ଚାଲିଛି । କଳାପଥର ଲୁଟ ପାଇଁ ବିଜେପି ସରକାର ଉପରେ ଉଠୁଛି ଅଙ୍ଗୁଳି । ବିଜେପି ସରକାର ଆସିବା ପରେ ଯାଜପୁର ଜିଲାର ଧର୍ମଶାଳାର ପାହାଡ ପର୍ବତ ଲୁଟ ନହୋଇଏହି ବ୍ୟବସାୟରେ ସ୍ଥାନୀୟ ନିଯୁକ୍ତି ମିଳିବା ଲୋକେ ଆଶା ରଖିଥିଲେ । ଖଣି ବିଭାଗର କର୍ମଚାରୀ ଅଭାବ ସମସ୍ୟା ସମାଧାନ ଦାୟୀତ୍ୱ ସରକାରଙ୍କର । ଏହାକୁ ଆଳ କରି ଧର୍ମଶାଳାର ପାହାଡ ପର୍ବତକୁ ଲୁଟ କରି ନିଆଯିବା ରାଷ୍ଟ୍ର ବିରୋଧୀ ଏବଂ ଜନସ୍ୱାର୍ଥ ବିରୋଧୀ ନୁହେଁ କି? ଲୋକଙ୍କ ସରକାର ବୋଲି ଦାବି କରୁଥିବା ମୋହନ ସରକାରରେ ଏଭଳି ହରିଲୁଟ ରୋକିବାରେ ସମର୍ଥ ହେଉନାହାନ୍ତି । ସରକାର ସଚେତନ ହୋଇ ବାସ୍ତବତାକୁ ଦୃଷ୍ଟିରେ ରଖି ଠୋସ ପଦକ୍ଷେପ ଗହଣ କରିବାକୁ ନିବେଦନ କରିଛନ୍ତି ସଂଗ୍ରାମୀ ଯୁବନେତା ତଥା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ୱାଳ । ସତୀଶ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ସରକାରଙ୍କ ସମ୍ପତି ତଥା ଲୋକଙ୍କ ସମ୍ପତି ପାହାଡ ପର୍ବତ ଓ ପରିବେଶକୁ ସୁରକ୍ଷିତ କରିବା ସରକାରଙ୍କ ଦାୟୀତ୍ୱ । ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ମୋହନ ସରକାରରେ ପାହାଡ ପର୍ବତ ସୁରକ୍ଷା ନେଇ ଲୋକେ ନିଶ୍ଚିନ୍ତ ଥିବା ସହ ସର୍ବାଧିକ ଖୁସି ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇ ମା’ତାରିଣୀଙ୍କୁ ଦର୍ଶନ ପରେ କେଉଁଝର ସଭାରେ ଖଣି ଲୁଟେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଥିଲେ । ବିଜେପି ଦଳ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସରହିଛି । ଏଣୁ ସରକାରରେ ଧର୍ମଶାଳାରେ ଲୁଟ ନେଇନିଜ ବିଶ୍ୱସ୍ଥ ସୁତ୍ରରେ ଖବର ନିଅନ୍ତୁ ବୋଲି ସତୀଶ ଦାବି କରିଛନ୍ତି । ଧର୍ମଶାଳାରେ ବିଜେଡି ସରକାରର ଅନେକ ଲୁଟ ଏବଂ ଲୁଟେରାଙ୍କୁ ସରକାରରେ ସୁରକ୍ଷା ଦିଆଯାଉଛି ବୋଲି ସତୀଶ ଅଭିଯୋଗ ଆଣିଛନ୍ତି । ବିଜେପି ସରକାରରେ ଗତ ୧୪ ସେପ୍ଟେମ୍ବରରେ ଧର୍ମଶାଳାର ରାହାଡପୁର ପାହାଡରେ ବେଆଇନ କଳାପଥର ଚାଲାଣରେ ଜଣେ ନିରୀହ ଆଦିବାସୀ ଶ୍ରମିକ ଅଜୁସିଂଙ୍କ ମୃତୁ୍ୟ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ବି ଚାପି ଦିଆଗଲା । ଏକ୍ଷେତ୍ରରେ ଆଦିବାସୀ ମୁଖ୍ୟମନ୍ତ୍ରୀ ନିଜେ ଖବର ନେଲେ ସବୁସତ୍ୟ ଜାଣିପାରିବେ । ଏଠାରେ ଆଦିବାସୀ ଶ୍ରମିକ ଟି ମରିନାହିଁ ବରଂ ତାକୁ ମରିବାକୁ ବାଧ୍ୟ କରାଯାଇଛି । ଏଥିନେଇ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ସରକାରଙ୍କ କଥା ଓ କାମ ମଧ୍ୟରେ ଫରକ ସ୍ପଷ୍ଟ ହେଉଛି ।  ଲଘୁଖଣିଜ ଦ୍ରବ୍ୟ ବିଭାଗରେ କର୍ମଚାରୀ ସମସ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ନେଇଥିଲେ ମଧ୍ୟ ଏଥିନେଇ ସରକାର କୌଣସି ପଦକ୍ଷେପ ଗ୍ରହଣକରୁ ନାହାନ୍ତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ହସ୍ତକ୍ଷେପ ପରେ ବି ମୋହନ ସରକାରରେ ବହୁକୋଟି ଟଙ୍କାର ଜରିମାନା ଫାଇଲକୁ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତି ଚାପି ଦେବା ଘଟଣା ସରକାରଙ୍କ ପାରିବାପଣିଆକୁ ଉପହାସ କରୁଛି । ଜନମତକୁ ସମ୍ମାନ ଦେଇ ଚୁପ ରହିବାକୁ ବହୁ ଚେଷ୍ଟା କରିଛି । ବାଘୁଆ ପାହାଡରୁ ରାଜ୍ୟ ବାହାରର କମ୍ପାନୀର ହରିଲୁଟକୁ ବିରୋଧ କରି ମୋହନ ସରକାରରେ ପ୍ରଥମ ଜନଆନେ୍ଦାଳନ ମୁଣ୍ଡ ଟେକିଥିଲା । ହେଲେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନରେ ସାମିଲ ଥିବା ଆନେ୍ଦାଳନକାରୀଙ୍କ ବିରୋଧରେ ବନ୍ଧୁକ ଧରିଚାନ୍ଦା ମାଗୁଥିବା ନେଇ ମିଛ କେସ କରାଯାଇ ଗିରଫ କରାଗଲା । ଏହା ସତ୍ତ୍ୱେ ବି ଆମ ଆନେ୍ଦାଳନ ସଫଳ ହେଲା ଏବଂ ବାଘୁଆ ପାହାଡରୁ କମ୍ପାନୀ ବିଦା ହେଲା । ମୋହନ ସରକାର ଏଥିନେଇ ଗୁୁରୁତ୍ୱର ସହ ଆତ୍ମସମୀକ୍ଷା କରିବା ସହ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସତୀଶ ନିବେଦନ କରିଛନ୍ତି ।