ପାଣିରେ ବୁଡ଼ିଛି ଧାନ ଫସଲ; ଚିନ୍ତାରେ ଚାଷୀକୁଳ


ବରୁଆଁ: ବାତ୍ୟାଭୟ ଟଳିଯିବା ପରେ ଲଗାଣ ବର୍ଷା ଯୋଗୁଁ ଶାରଦ ଧାନ ଓ ପରିବା ଫସଲ ଗୁଡିକୁ ବେଶ କ୍ଷତି ପହଁଚାଇବ ବୋଲି ଆଜି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ରବିଋତୁରେ ଚାଷୀମାନେ ସଅଳ ପନିପରିବା ଚାଷ କରି ବେଶ ଦୁଇ ପଇସା ଅର୍ଜନ କରିବାପାଇଁ ଲକ୍ଷ୍ୟ ରଖିଥିଲେ । ମାତ୍ର ଦାନା ପ୍ରଭାବରେ ତିନିଦିନ ହେଲା ଲଗାଣ ବର୍ଷା ବାଧକ ସାଜିଛି । ବର୍ଷା ଫଳରେ ପରିବାରେ ବିଭିନ୍ନ ରୋଗ ଧରିବା ସମ୍ଭାବନା ରହିଛି । ଫସଲରେ ପାଣି ଜମି ରହିଲେ ଗଛ ମରିଯିବାର ଭୟ ସହିତ ଝାଉଁଳା ରୋଗ ବ୍ୟାପିବା ମଧ୍ୟ ଆଶଙ୍କା ରହିଛି । ଚଳିତ ବର୍ଷ ଶାରଦ ଧାନ ଚାଷ ବହୁତ ଭଲ ହୋଇଥିଲା । ପେଟ ଥୋଡ଼ ସମୟରେ ପବନରେ ଧାନ ଗଛ ଭାଙ୍ଗି ପକାଇବା ସହ ଅତ୍ୟଧିକ ବର୍ଷା ପାଣିରେ ଧାନ ବୁଡିଥିବାରୁ ଫସଲକୁ ମଧ୍ୟ ବହୁ କ୍ଷତି ପହଁଚାଇବ ବୋଲି ଚାଷୀ ମତବ୍ୟକ୍ତ କରିଛନ୍ତି । ଏଭଳି ସ୍ଥିତିରେ ବାତ୍ୟା ଓ ବର୍ଷାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଚାଷୀ କୂଳକୁ ସହଯୋଗର ହାତର ବଢାଇବାକୁ ଅନୁରୋଧ କରିଛନ୍ତି । ଏପଟେ ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ସହ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପ୍ରଶାସନ ପ୍ରୟାସ ଜାରି ରହିଛି ବୋଲି କୁହାଯାଉଛି । ପ୍ରାୟତଃ ପରିବା ଫସଲ ଉଜୁଡ଼ିଯିବାର ବେଶୀ ଆଶଙ୍କା ଦେଖାଦେଇଛି । କୋବି, ବାଇଗଣ, ଜହ୍ନି, ଭେଣ୍ଡି, କାକୁଡ଼ି, ଝୁଡ଼ଙ୍ଗ, କଲରା, ପୋଟଳ, ଶାଗ ଆଦି ଫସଲ ବିଶେଷ ପ୍ରଭାବିତ ହୋଇଛି । ଯାଜପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ କୃଷକ ମାନେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ରୁଣ କରି କୃଷି କାର୍ଯ୍ୟ କରୁଥିବା ବେଳେ କେମିତି ରୁଣ ଶୁଝିବେ ଏନେଇ ଚିନ୍ତାରେ ଚାଷୀକୂଳ । ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ସ୍ୱରୂପ କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୂରଣ ଦେବାକୁ ଚାଷୀମାନେ ନିବେଦନ କରିଛନ୍ତି ।