ଶକ୍ତିପୀଠରେ ବାସନ୍ତିକ ନବରାତ୍ର ଆରମ୍ଭ

 ସମ୍ବଲପୁର : ପବିତ୍ର ଚୈତ୍ର୍ର୍ୟ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ବାସନ୍ତିକ ନବରାତ୍ରୀ ପାଇଁ ଦେବୀ ମନ୍ଦିର ଓ ପୀଠଗୁଡ଼ିକ ଉତ୍ସବମୁଖର ହୋଇଛି । ଏଥର ପୂର୍ବ ଭଳି ପାରମ୍ପାରିକ ରୀତିରେ ଦେବୀଙ୍କ ଆରଧନା କରି ଆନନ୍ଦିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏହି ନବଦିନାତ୍ମକ ଦେବୀ ଆରାଧନା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଦିନମାନଙ୍କରେ ଜଗଜ୍ଜନନୀଙ୍କୁ ବିଭିନ୍ନ ରୂପରେ ପୂଜା କରାଯିବ । ଏଥର ନବରାତ୍ର ସଂପୂର୍ଣ୍ଣ ନଅ ଦିନ ଧରି ହେବାକୁ ଥିବା ଏକ ଶୁଭଙ୍କର ସମୟ ବୋଲି କୁହାଯାଉଛି ।  ନବରାତ୍ରୀରେ ଦେବୀଙ୍କୁ ଶୈଳପୁତ୍ରୀ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯିବ । ଏହି ଉପଲକ୍ଷେ ସମଲେଶ୍ୱରୀ, ପାଟଣେଶ୍ୱରୀ, ଦଲେଇପଡ଼ା ଓ ଅଇଁଠାପାଲି ବାଟମଙ୍ଗଳା, ବଡ଼ରମା ଓ ଗୋପାଲପାଲିର ବନଦୁର୍ଗା, ଭୂତାପଡ଼ାର ମଙ୍ଗଳା, ବଇଦାର ନୂଆଁପାଲିର କାମାକ୍ଷା, ଗେଇଟୀ ରୋଡ଼, ବଡ଼ବଜାର, ଶକ୍ତିସଂଘ ଛକ ଓ ରେମେଡ଼ର ଭୁବନେଶ୍ୱରୀ, ଫାଟକ ଓ ବାଲିବନ୍ଧାର ମହାମାୟା, କୋଶଳେଶ୍ୱରୀ, କ୍ଷେତରାଜପୁରର ବୈଷ୍ଣୋଦେବୀ, ଖଣ୍ଡୁଆଳର ନିମ୍ବସରିଏନ୍, ଧମାର ଝାଡ଼େଶ୍ୱରୀ, ଦୁର୍ଗାପାଲିର ଦେବୀ ଦୁର୍ଗା, ଚାଉଁରପୁର, ସାକ୍ଷୀପଡ଼ା, ତାଳବ ଓ ସମଲେଇପଦରର ସମଲେଇ, ସିନ୍ଦୁରପଙ୍କର ପୀତାବଳି, ବାଲିବନ୍ଧାର ମାହେଶ୍ୱରୀ ପ୍ରଭୃତି ମନ୍ଦିରରେ ଭକ୍ତମାନେ ମାନସିକ ଜାଗର ବସାଇଛନ୍ତି । ଏହା ବ୍ୟତୀତ ବିଭିନ୍ନ ମନ୍ଦିରରେ ଚୈତ୍ର୍ୟ ନବରାତ୍ରି ପାଇଁ ସ୍ୱତନ୍ତ୍ର ପୂଜା ଅନୁଷ୍ଠାନ କରାଯାଉଛି । ପୂର୍ବରୁ ନବରାତ୍ର ପାଇଁ ମହିଳାମାନେ ନଦୀ ଓ ପୋଖରୀରୁ ଜଳଭର୍ତ୍ତି କଳସ ଆଣି ମନ୍ଦିର ଓ ପୀଠମାନଙ୍କରେ ସ୍ଥାପନ କରିଥିଲେ । ମନ୍ଦିରମାନଙ୍କୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଗ୍ରାମଦେବୀ ପୀଠମାନଙ୍କ ମଧ୍ୟରେ ଉତ୍ସବାନୁଷ୍ଠାନ ଚାଲିଛି । ମନ୍ଦିରମାନଙ୍କରେ ବଡ଼ି ଭୋର ସମୟରୁ ଭକ୍ତମାନେ ସମବେତ ହେଉଛନ୍ତି ।