ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା : ବିଇଓଙ୍କ କାର୍ଯ୍ୟାଳୟ ଆଗରେ ବସିଲେ ଅଭିଭାବକ
ରାଜନଗର: ରାଜନଗର ବ୍ଲକ୍ ରାଜପୁର ପଞ୍ଚାୟତ ବାଲିଚନ୍ଦ୍ରପୁର ପ୍ରାଥମିକ ସ୍କୁଲରେ ୯୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଦୁଇଜଣ ଶିକ୍ଷକରେ ଏହି ବିଦ୍ୟାଳୟ ଚାଲିଥିବା ବେଳେ, ବିଭାଗୀୟ ଅଧିକାରୀ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ଯାହାକୁ କେନ୍ଦ୍ରକରି ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ । ଏହାର କିଛି ସମୟ ପରେ ବଦଳିର ପ୍ରତିବାଦ କରି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଏହି ସ୍କୁଲର ପ୍ରଧାନଶିକ୍ଷକ ପବିତ୍ର ରଥ ଓ ସହକାରୀ ଅଜୟ ଗୋଛାୟତ ୫ଟି ଶ୍ରେଣୀର ଏହି ୯୧ଜଣ ଛାତ୍ରଛାତ୍ରୀଙ୍କୁ ଦୁଇଜଣ ଶିକ୍ଷକ ପାଠ ପଢାଉଥିଲେ । ଏପରି ସ୍ଥିତିରେ ସହକାରୀ ଶିକ୍ଷକ ଅଜୟ ଗୋଛାୟତଙ୍କୁ ଡେରାବିଶ ବ୍ଲକ୍ ବଟମହାପୁରୁଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ତାଲିକାରେ ଏହି ସ୍କୁଲରେ ୧୩୭ଜଣ ଛାତ୍ରଛାତ୍ରୀଙ୍କ ସହ ୭ଜଣ ଶିକ୍ଷକ ଥିବା ଉଲ୍ଲେଖ ରହିଛି । ଯାହାକୁ କେନ୍ଦ୍ର କରି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶିକ୍ଷକଙ୍କ ବଦଳି ବାତିଲ ଦାବିକରି ରତିକାନ୍ତ ରାଉତ, ଜୟଶ୍ରୀ ସ୍ୱାଇଁ, ହେମଲତା ରାଉତ, ଭାନୁମତି ଦାସ, ଗଣେଷ ମଲିକ, ବିଜୟ ଦାସ, ସୁରେନ୍ଦ୍ର ସ୍ୱାଇଁ, ଅକ୍ଷୟ ସେଠୀ, ନଳିନୀକାନ୍ତ ତ୍ରିପାଠି, ପ୍ରଶାନ୍ତ ସ୍ୱାଇଁ, କଳାକର ସେଠୀ ପ୍ରମୁଖଙ୍କ ସହ ୫୦ରୁ ଊଦ୍ଧ୍ୱର୍ ପୁରୁଷ ଓ ମହିଳା ଧାରଣାରେ ସାମିଲ ହୋଇଥିଲେ । ମଣ୍ଡଳ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ ଶିକ୍ଷକ ବଦଳି ବାତିଲ କରାଯିବାକୁ ପ୍ରତିଶ୍୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏନେଇ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ସେଠୀଙ୍କୁ ପଚାରିବାରୁ ବଦଳି ସମ୍ପର୍କରେ ଅବଗତ ନାହିଁ ବୋଲି କହିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଏ ବଦଳି କରିଛନ୍ତି । ଅଭିଭାବକଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ଶିକ୍ଷକଙ୍କ ବଦଳି ବାତିଲ ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ଆମ ବ୍ଲକରେ ତିନିଶହ ଶିକ୍ଷକ ପଦବୀ ଖାଲି ପଡିଛି । କିଭଳି ଆମେ ଶିକ୍ଷକଙ୍କୁ ଅନ୍ୟ ବ୍ଲକ୍କୁ ବଦଳି କରିବୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ସୁରମା ମହାପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଉଠାଇନଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଦ୍ୟାଳୟରେ କେତେ ଜଣ ଛାତ୍ରଛାତ୍ରୀ ଓ କେତେଜଣ ଶିକ୍ଷକ ନିଯୁକ୍ତି ପାଇଥିବା ତାଲିକା ବ୍ଲକ ଶିକ୍ଷାଧିକାରୀ ଦେଇନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠିରେ ପ୍ରକାଶ ପାଇଲା କିପରି ? ଜିଲ୍ଲା ଶିକ୍ଷାଧିକାରୀ କାହା କଥାରେ ବଦଳି କରିଛନ୍ତି, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।