ଦଧିବାମନଙ୍କୁ ଲାଗି ହେଲା ୧୦୮ ଭୋଗ

 ବରଗଡ଼ : ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ସ୍ଥିତ ଶ୍ରୀ ଦଧିବାମନ ଧାମରେ ପବିତ୍ର ବୈଶାଖ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅଷ୍ଟୋତ୍ତର ଶତ ଅମୃତ ମଣୋହି ବାଳ ନୈବେଦ୍ୟ ୧୦୮ ଭୋଗ ପରମ୍ପରା କ୍ରମେ ଲାଗି ହୋଇଥିଲା  । ପ୍ରାତଃ ସମୟରେ ମନ୍ଦିର ସେବକଙ୍କ ଦ୍ୱାରା ଶୁଭ ଶଙ୍ଖ ନାଦ କରି ଦଧିବାମନ ମହାପ୍ରଭୁଙ୍କ ପହଡଭଙ୍ଗ ନୀତି, ଦ୍ୱାର ଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ୱଳନ, ସୂର୍ଯ୍ୟ ପୂଜା, ଅବକାଶ ନୀତି, ବେଶ ପରିବତ୍ତନ, ଗୋପାଳ ବଲ୍ଲଭ ଭୋଗ, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଳ ଧୂପ, ଦିବା ପହୁଡ, ମଧ୍ୟାହ୍ନ ଧୂପ ସମାପନ ପରେ ସନ୍ଧ୍ୟା ଧୂପ ସମୟରେ ୧୦୮ ଭୋଗ ଲାଗିଥିଲା  ।  ପ୍ରକାଶଥାଉକି ପୁରୀ ଜଗନ୍ନାଥ ଧାମରେ ମାର୍ଗଶିର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଛପନ ଭୋଗ ଲାଗୁଥିବା ବେଳେ ଭଟଲି ଧାମରେ ପ୍ରଭୁ ଦଧିବାମନଙ୍କୁ ପରମ୍ପରା କ୍ରମେ ବୈଶାଖ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅଷ୍ଟୋତ୍ତର ଶତ ଅମୃତ ମଣୋହି ବାଳ ନୈବେଦ୍ୟ ଭୋଗ ଲାଗି ଆସୁଛି  । ସେଠାରେ ବ୍ୟଞ୍ଜନ ଭୋଗ ଲାଗୁଥିବା ବେଳେ ଏଠାରେ ବାଳ ଭୋଗ ଲାଗିଥାଏ  ।  ଶ୍ରୀମନ୍ଦିର ମୁଖ୍ୟ ପୂଜକ ଲଳିତ ରଥ ତତ୍ତ୍ୱାବଧାନରେ ପଣ୍ଡିତ ଗୌର ଚନ୍ଦ୍ର ରଥ, ରମେଶ ଚନ୍ଦ୍ର ଷଡଙ୍ଗୀ, ଶ୍ରୀବସô ପାଣିଗ୍ରାହୀ, ସୁବାସ ରଥ, ରୋହିତ ରଥ, ନିରଞ୍ଜନ ରଥ, ନିଶିଥ ଦାଶ, ନୀଶାନ୍ତ ଶେଖର ଦାଶ, ସୁମନ୍ତ ଶତପଥି ଏବଂ ନାରାୟଣ ଦାଶ ସହଯୋଗ କରିଥିଲେ  । ମନ୍ଦିର ଟ୍ରଷ୍ଟ ସଭ୍ୟ ନାରାୟଣ ସାହୁ, ଭିକାରୀ ମେହେରଙ୍କ ସମେତ ଅଶୋକ ମିଶ୍ର ଉପସ୍ଥିତ ଥିଲେ  ।