ଶିଶୁ ଶ୍ରମିକ ନିରାକରଣ ସଚେତନତା କର୍ମଶାଳା

 ଯାଜପୁର : ରାଜ୍ୟ ସରକାର ଶିଶୁଙ୍କ ଯତ୍ନ ନେବା ପାଇଁ ବିଭିନ୍ନ ବିଭାଗରେ ଆଇନ ପ୍ରଣୟନ କରିଛନ୍ତି । ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ସତ୍ୱେ ଅନେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି । ସରକାରୀସ୍ତରରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଯେଉଁ ସବୁ ନିୟମାବଳୀ କରାଯାଇଛି ଯଦି ତାହାର ସଠିକ ଅନୁପାଳନ କରାଯାଏ ଏବଂ ଆନ୍ତରିକତାର ସହ କାର୍ଯ୍ୟ କରାଯାଏ, ତେବେ ଶିଶୁ ଶ୍ରମିକ ପ୍ରଥା ସଂମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇପାରିବ । ଜିଲ୍ଲାଶ୍ରମ କମିଶନର ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା କର୍ମଶାଳାରେ ଏଭଳି ପରାମର୍ଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଯୁଧିଷ୍ଠିର ନାୟକ ।
 ବୈଠକରେ ଅଧ୍ୟକ୍ଷତା କରୁଥିବା ଶ୍ରମ କମିଶନର ଶ୍ରୀ ଆଚାର୍ଯ୍ୟ କହିଲେ ଶିଶୁଟିଏ କିପରି ତାର ମୌଳିକ ଅଧିକାର ଓ ସୁବିଧା ପାଇପାରିବ ଆମେ ନିଶ୍ଚିତ ସେ ଦିଗ ପ୍ରତି କାର୍ଯ୍ୟ କରିବା । ଶିଶୁ ଶ୍ରମିକ ପ୍ରଥାକୁ ଏକ ସମାଜିକ ବ୍ୟାଧି ରୂପେ ଅଭିହିତ କରିବା ସହ ଏହାର ନିରାକରଣ ଦିଗରେ ସମସ୍ତଙ୍କର ଦାୟିତ୍ୱ ରହିଛି । ପ୍ରତ୍ୟେକ ନାଗରିକ ଶିଶୁ ଶ୍ରମିକକୁ ବିରୋଧ କରିବା ପାଇଁ ଶପଥ ନେବା ଉଚିତ୍ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ଯୋଗଦେଇ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ରେକ୍ସୋନା ଜେନା କହିଲେ ଆଜିର ପିଲା ହେଉଛନ୍ତି କାଲିର ଭବିଷ୍ୟତ ସେମାନେ ହିଁ ଦେଶକୁ ଆଗକୁ ନେବେ ଆମକୁ ସେଥିପ୍ରତି ସଜାଗ ରହିବାକୁ ପଡିବ ଯେପରି କୌଣସି ଶିଶୁ ପାଠ ପଢାରୁ ବଞ୍ଚିତ ନରୁହନ୍ତୁ । କୌଣସି ବ୍ୟକ୍ତି ଯଦି ୧୪ ବର୍ଷରୁ କମ ପିଲାଙ୍କୁ କାମରେ ନିୟୋଜିତ କରିଥିବାର ନଜର ଆସେ ତାହେଲେ ଚାଇଲ୍ଡ ଲାଇନ ୧୦୯୮ ନମ୍ବରକୁ କଲ୍ କରି ଜଣାଇବାକୁ ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ତଥା ଶ୍ରମ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । କର୍ମଶାଳାରେ ଜିଲା ଶ୍ରମ ଅଧିକାରୀ ଦେବାଶିଷ ଜେନା ସ୍ୱାଗତ ଭାଷଣ ଦେଇଥିଲେ । କର୍ମଶାଳାରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ରାଉତରାୟ, ସୌମ୍ୟାରଞ୍ଜନ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାତୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଜ ଆସଫା ଏନ୍ଜିଓ ନୀଳାଚଳ ଇସ୍ପାତ ନିଗମ କର୍ମକର୍ତା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।