ଶିଶୁମୃତୁ୍ୟ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ଯାଜପୁର ଟାଉନ : ସୋମବାର ଶିଶୁ ମୃତୁ୍ୟକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଯାଜପୁର ବ୍ଲକ କଚେରୀ ଗାଁର ସୋନି ମଳିକ ଓ ନାରଣ ମଳିକଙ୍କ ବର୍ଷକର ପୁଅ ଶୁଭମ ଗତ ବୁଧବାର ଅଙ୍ଗନବାଡ଼ି କେନ୍ଦ୍ରରେ ଟୀକା ନେଇଥିଲା । ପରିବାର ଲୋକଙ୍କ କହିବାନୁଯାୟୀ ଟୀକା ନେବା ପରେ ଜ୍ୱର ହେବା ସହ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ନିମନ୍ତେ ସୋମବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଶିଶୁକୁ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ । କିନ୍ତୁ ମୃତ ଶିଶୁର ବାପା ମା’ ଏହି କଥାକୁ ସ୍ୱୀକାର କରିପାରିନଥିଲେ । ଓଲଟି ଡାକ୍ତର ତାଙ୍କ ପୁଅକୁ ଚିକିତ୍ସା କରିବାରେ ବିଳମ୍ବ ହେବାରୁ ତାଙ୍କ ପୁଅର ମୃତୁ୍ୟ ହୋଇଛି ବୋଲି ଅଭିଯୋଗ କରିବା ପରେ ମେଡ଼ିକାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା । ଖାଲି ସେତିକିି ନୁହେଁ ମେଡ଼ିକାଲର ସୁରକ୍ଷା କର୍ମୀ ମଧ୍ୟ ତାଙ୍କ୧୬ବର୍ଷୀୟା ନାବାଳିକାକୁ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ବୋଲି ପିତାମାତା ଅଭିଯୋଗ କରିଥିଲେ । ପୁଅକୁ ସୁସ୍ଥ କରି ଦେଲେ ସେ ପୁଅକୁ ନେଇ ଘରକୁ ଚାଲିଯିବେ ବୋଲି କହିବା ସହ ଦୀର୍ଘ ସମୟ ଧରି ମେଡ଼ିକାଲର ପିଣ୍ଡାରେ ବସି ରହିଥିଲେ । ଖବରପାଇ ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ଓ ଅନ୍ୟ ପୁଲିସ ଅଫିସର ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିଥିଲେ ମଧ୍ୟ ପିତାମାତା ଜିଦ୍ରେ ଅଟଳଥିଲେ । ପୁଲିସ ସହଯୋଗରେ ଗ୍ରାମବାସୀ ପରିବାର ଲୋକେ ବୁଝାସୁଝା କରିବା ପରେ ମୃତକଙ୍କ ପରିବାର ବିକ୍ଷୋଭରୁ ଓହରି ଥିଲେ । ମୃତ ପୁଅକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଖବରପାଇ ଘଟଣା ସ୍ଥଳରେ ଯାଜପୁର ସଦର ପୁଲିସ ପହଁଚିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସମ୍ପର୍କରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡା.ମନୋଜ ସେନାପତିକୁ ପଚାରିବାରେ ଶିଶୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ବର୍ହି ବିଭାଗରେ ଥିବା ଡାକ୍ତର ଶିଶୁକୁ ଦେଖି ମୃତ ଘୋଷଣା କରିଥିଲେ । ଏପରିକି ଶିଶୁଟିର ମଧ୍ୟ ଇସିଜି କରାଯାଇଥିଲା । କିନ୍ତୁ ପରିବାର ଲୋକ ବୁଝି ନଥିଲେ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶିଶୁର ଚିକିତ୍ସାରେ କୌଣସି ଡାକ୍ତର ଅବହେଳା ପ୍ରଦର୍ଶନକୁ ଡାକ୍ତର ସେନାପତି ଖଣ୍ଡନ କରିଛନ୍ତି । ଶବ ବ୍ୟବଚ୍ଛେଦ କରାଯାଇଛି, ପୁଲିସ ଅନୁସନ୍ଧାନ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।