୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ୨ ନାବାଳକ ସମେତ ୪ ବ୍ୟବସାୟୀ ଗିରଫ
ବାଲିଅନ୍ତା : ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବାଳକାଟି ଫାଣ୍ଡି ହୀରାପୁର ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତି ଥିବା ୨ ନାବାଳକ ସମେତ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ୫ ବସ୍ତା ଗଞ୍ଜେଇ ଜବତ ହୋଇଛି । ଏଥିସହ ଏଥିରେ ବ୍ୟବହୃତ ୨ ଟି କାରକୁ ମଧ୍ୟ ଜବତ କରାଯାଇଛି । ଜବତ ଗଞ୍ଜେଇ ପରିମାଣ ୫୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବବୋଲି ଅବକାରୀ ଅଧିକାରୀ କହିଛନ୍ତି । ଗିରଫ ବ୍ୟବସାୟୀ ହେଲେ ସହିଦନଗର ଥାନା ଆଚାର୍ଯ୍ୟବିହାର ସାଇନ୍ସପାର୍କ ବସ୍ତିର ବ୍ରହ୍ମାନନ୍ଦ ପଣ୍ଡା ଓ ରାକେଶ ସାହୁ । ଆଉ ୨ ଜଣ ନାବାଳକ ବଡ଼ଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସମ୍ପୃକ୍ତ ବ୍ୟବସାୟୀ ମାନେ ଏହି ଗଞ୍ଜେଇ ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳ ସମେତ ପୂରୀ ଓ ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳକୁ ଯୋଗାଉଥିଲେ । ଖବରନେବାରେ ଜଣାପଡିଛି ଉପରୋକ୍ତ ବ୍ୟବସାୟୀ ପ୍ରାୟ ବର୍ଷେହେବ ହୀରାପୁର ଗ୍ରାମରେ ଭଡାରେ ରହୁଥିଲେ । ଏମାନଙ୍କ ହାବଭାବ ଦେଖି ଗ୍ରାମବାସୀଙ୍କ ସନ୍ଦେହ କରୁଥିଲେ । ଅନ୍ୟପଟେ ସମ୍ପୃକ୍ତ ଯୁବକ ମାନେ ନିଶାକାରବାରରେ ଲିପ୍ତ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ଅବକାରୀ ପାଖରେ ଥିଲା । ଆଜି ସେମାନେ କନ୍ଧମାଳରୁ ୨ଟି କାରରେ ଗଞ୍ଜେଇ ନେଇ ଆସୁଥିବା ବେଳେ ସେଠାରେ ଅବକାରୀ ବିଭାଗ ତାଙ୍କୁ ପିଛା କରିଥିଲେ । ଆଜି ଭୋର ୫ ଟାରେ ବାଳକାଟି ଫାଣ୍ଡି ହୀରାପୁର ଛକ ଏକ କ୍ଲବରେ କାର ପାର୍କିଂ କରୁଥିବା ବେଳେ ଅବକାରୀ ପୁଲିସ ଚଢାଉ କରି ଉକ୍ତ ବ୍ୟବସାୟୀ ମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବିଲ ଓ ଗହିର ମଝିରେ ଧରିଥିଲେ ।