ରାମାୟଣ ଓ ଋଷ୍ୟଶୃଙ୍ଗ
ଡ.ଦିଲ୍ଲୀପ କୁମାର ମହାରଣା : ଭାରତୀୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାରେ ପ୍ରଭୁ ଶ୍ରୀରାମଙ୍କ ମାର୍ଗଦର୍ଶନ ଏବଂ ଆଦର୍ଶଧର୍ମୀ ଦାୟିତ୍ୱବୋଧ ସ୍ମରଣୀୟ ନିଶ୍ଚୟ । ଭାରତୀୟ ଜନଜୀବନର ଧର୍ମୀୟ ପରମ୍ପରା ଯାହା ସୂଚାଇଛି ତାହା ତତ୍କାଳୀନ ଋଷିପ୍ରୋକ୍ତ ରାମାୟଣ ଓ ମହାଭାରତ ଭଳି ଦୁଇ ମହାକାବ୍ୟ, ଶତାବ୍ଦୀ ଶତାବ୍ଦୀ ଧରି ବିଶାଳ ଭୂଖଣ୍ଡର ଜନଜୀବନକୁ ଅଖଣ୍ଡ ଚେତନା ଗତ ସୂତ୍ରରେ ବାନ୍ଧି ରଖିଛି । ମହର୍ଷି ବାଲ୍ମିକୀଙ୍କ ଲେଖନୀ ପ୍ରସ୍ତୁତ ରାମାୟଣ ଭାରତୀୟ ସାହିତ୍ୟକୁ ପ୍ରଭାବିତ କରିଛି ନିଶ୍ଚୟ । ଏହି ରାମାୟଣ ଗ୍ରନ୍ଥର ସୁଦୀର୍ଘ କଳେବର ମଧ୍ୟରେ ପ୍ରତିପାଦିତ ଦୃଶ୍ୟମାନ ବସ୍ତୁ ଏବଂ ପ୍ରତ୍ୟେକ ପରିସ୍ଥିତିର ଅନ୍ତରାଳରେ ଆତ୍ମଗୋପନ କରିଥିବା ବାସ୍ତବ ସତ୍ୟକୁ ଉପଲବ୍ଧି କଲେ ଜଣେ ସଂସ।।ରର ଜାଗତିକ ବନ୍ଧନରୁ ମୁକ୍ତି ହୋଇ ପାରିବ । ରାମାୟଣରେ ଦଶରଥଙ୍କର ଜଣେ କନ୍ୟା ଥିବା କମ୍ ଆଲୋଚନା ହୋଇଥାଏ । ଦଶରଥଙ୍କର ପ୍ରଥମ ପତ୍ନୀ କୌଶଲ୍ୟାଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ଏକ କନ୍ୟା ଯାହାର ନାମ ଶାନ୍ତା । ଶାନ୍ତାଙ୍କୁ ପିଲାଦିନୁ ଅଙ୍ଗଦେଶର ରାଜା ସନ୍ତାନହୀନ ରୋମପାଦ ଓ ତାଙ୍କ ପତ୍ନୀ କୌଶଲ୍ୟାଙ୍କ ବଡ଼ ଭଉଣୀ ବର୍ଷିନୀ ପୋଷ୍ୟସନ୍ତାନ ଭାବେ ନେଇଯାଇଥିଲେ । କଳା, ସ୍ଥାପତ୍ୟ ଓ ବେଦ ପାରଙ୍ଗମ ଶାନ୍ତା ବିବାହ କରିଥିଲେ ଆଧ୍ୟାତ୍ମ୍ୟ ବିଜ୍ଞାନୀ ଭାବେ ପରିଚିତ ଋଷ୍ୟଶୃଙ୍ଗଙ୍କୁ । ଋଷ୍ୟଶୃଙ୍ଗଙ୍କ ଦ୍ୱାରା ଯଜ୍ଞ କରାଗଲେ ତାଙ୍କର ମନ୍ତ୍ର ଉଚ୍ଚାରଣରେ ବର୍ଷା ହୁଏ ଏବଂ ଧରଣୀ ଶସ୍ୟଶ୍ୟାମଳା ହୁଏ ।
ଦିନକର ଘଟଣା । ବର୍ଷାଋତୁରେ ଚାଷକାର୍ଯ୍ୟରେ ସାହାଯ୍ୟ ଲାଗି ଜଣେ ବ୍ରାହ୍ମଣ ରାଜାଙ୍କ ନିକଟକୁ ସାହାଯ୍ୟ ଭିକ୍ଷା କରିବାକୁ ଆସିଥିଲେ । ଶାନ୍ତାଙ୍କ ସହ ଆଲୋଚନାରତ ଥିବା ପିତା ରୋମପାଦ ବ୍ରାହ୍ମଣଙ୍କ କଥା ପ୍ରତି ଧ୍ୟାନ ଦେଇପାରି ନଥିଲେ । ରାଜାଙ୍କ ବ୍ୟବହାରରେ ବିରକ୍ତ ହୋଇ ବ୍ରାହ୍ମଣ ଜଣକ ରାଜ୍ୟ ଛାଡ଼ି ଚାଲିଗଲେ । ତାଙ୍କ ଭକ୍ତଙ୍କ ପ୍ରତି ଅପମାନ ସହ୍ୟକରି ପାରିଲେନି ଇନ୍ଦ୍ରଦେବ ଏବଂ ସେବର୍ଷ ରାଜ୍ୟରେ ଦେଖାଦେଲା ଅନାବୃଷ୍ଟି । ରାଜା ରୋମପାଦ ବର୍ଷା ନିମନ୍ତେ ରାଜ୍ୟରେ ଯଜ୍ଞ କରିବାକୁ ଋଷ୍ୟଶୃଙ୍ଗଙ୍କୁ ଆମନ୍ତ୍ରଣ କଲେ । ଏହି ଯଜ୍ଞ ପରେ ଜନ୍ମଗ୍ରହଣ କଲେ ଚାରି ପୁତ୍ର । ପିତା ଦଶରଥଙ୍କୁ ଶାନ୍ତା ନିଜର ପରିଚୟ ଦେଲେ । ଝିଅର ସଫଳତା ଦେଖି ଆତ୍ମବିଭୋର ହୋଇଯାଇଥିଲେ ଦଶରଥ ଓ କୌଶଲ୍ୟା । ରାମାୟଣରେ ଋଷିଶୃଙ୍ଗଙ୍କ ଚରିତ୍ର ଆମ ସମସ୍ତଙ୍କ ପାଇଁ ମହାନ ଆଧ୍ୟାତ୍ମିକତାର ବାର୍ତ୍ତା ଦେଉଛି । ପବିତ୍ର ରାମାୟଣ ଆମ ସମସ୍ତଙ୍କ ଜୀବନର ଧ୍ୟେୟ ହେଉ ଏହା ହିଁ ପ୍ରାର୍ଥନା।
ମୋ: ୮୨୮୦୯୬୩୨୮୩