ଅହଂକାର

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ମଣିଷର ଅହଂକାରକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ବ୍ୟକ୍ତି ଠାରେ କିଛି ନା କିଛି ଅହଙ୍କାର ରହିଛି । ଅହଙ୍କାର ବିବର୍ଜିତ ବ୍ୟକ୍ତି କେହି ନାହାନ୍ତି । ତେବେ ଏହି ଅହଙ୍କାରର ଏକ ସୀମା ରହିଛି । କେତେକାଂଶରେ ଅହଙ୍କାର ହେଉଛି ନିଜ ବ୍ୟକ୍ତିତ୍ୱ । ନିଜ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠିଲେ ତାକୁ କେହ ସହନ୍ତି ନାହିଁ । ଗୀତାରେ ଶ୍ରୀକୃଷ୍ଣ ଅର୍ଜନୁଙ୍କୁ କହିଲେ-ଏ ଯୁଦ୍ଧ ନକରିଲେ ତାଙ୍କୁ ଲୋକେ ଅକଥ୍ୟ ଭାଷାରେ ଗାଳି ଦେଇ ତାଙ୍କ ସାମର୍ଥ୍ୟ ଓ ବ୍ୟକ୍ତିତ୍ୱ ପ୍ରତି ଆକ୍ଷେପ କରିବେ । ଏତିକି ଶୁଣିବା ପରେ ଅର୍ଜୁନ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲେ । ଏହି ବ୍ୟକ୍ତିତ୍ୱ ହେଉଛି ତାଙ୍କର ଅହଙ୍କାର । ବଂଶ ମର୍ଯ୍ୟାଦା, ପିତୃପୁରୁଷ ଏପରିକି ଗୁରୁଙ୍କର ନିନ୍ଦା ବା ଅପମାନକୁ ସେ ସହିପାରିବେ ନାହିଁ । ତେଣୁ ମହାଭାରତ ଯୁଦ୍ଧ ଅର୍ଜୁନ କରିଲେ ଏବଂ ଯୁଦ୍ଧରେ ଫଳାଫଳ ହେଲା ସତ୍ୟମେବ ଜୟତେ । 
ଅନ୍ୟପକ୍ଷରେ କୁରୁସେନାର ନେତୃତ୍ୱ ନେଉଥିବା ଦୁର୍ଯେ୍ୟାଧନ ଅତ୍ୟନ୍ତ ଅହଙ୍କାରୀ । ୧୮ ଦିନର ଯୁଦ୍ଧରେ ପ୍ରତିଦିନ ସେ କିଛି ନା କିଛି କ୍ଷତିର ସମ୍ମୁଖୀନ ହେଉଥିଲେ । ନିଜର ଭାଇ, ପୁତ୍ର, ବନ୍ଧୁ କର୍ଣ୍ଣ ଆଦିଙ୍କୁ ୧୮ ଦିନର ଯୁଦ୍ଧରେ କୌଣସି ନା କୌଣସି ଦିନ ହରାଉଥିଲେ । ମାତ୍ର ଯୁଦ୍ଧ ବନ୍ଦ କରିବାକୁ ସେ ପ୍ରସ୍ତୁତ ନଥିଲେ । କାରଣ ଏହା ଥିଲା ତାଙ୍କର ଅତିଶୟ ଅହଙ୍କାର । ଏଇଠି ଲକ୍ଷ୍ୟ କରିବା କଥା ଅର୍ଜୁନ ଯୁଦ୍ଧ କରୁଥିଲେ ନିଜ ପିତୃପୁରୁଷଙ୍କ ସୁନାମ ପାଇଁ କିନ୍ତୁ ଦୁର୍ଯେ୍ୟାଧନ ଯୁଦ୍ଧ କରୁଥିଲେ ନିଜ ଅହଙ୍କାର ପାଇଁ । ବିନା ଯୁଦ୍ଧରେ ସେ ପାଞ୍ଚ ଖଣ୍ଡ ପଡ଼ା ପାଣ୍ଡପ ପାଞ୍ଚ ଭାଇଙ୍କୁ ଦେବାକୁ ପ୍ରସ୍ତୁତ ନଥିଲେ । ଏହା ହେଉଛି ତାଙ୍କର ପ୍ରଚଣ୍ଡ ଅଭିମାନ । ଏହାକୁ ଗର୍ବ ବୋଲି କୁହାଯାଇପାରେ । 
ଆମେ ଆମର ଜାତୀୟତା, ଅତୀତର ବିଭବ, ଯୁଦ୍ଧ ପରମ୍ପରା ଆଦିକୁ ନେଇ ଗର୍ବ କରୁ । ହେଲେ ଏହି ଗର୍ବ ଯେତେବେଳେ ଅନ୍ୟ କାହାକୁ ନୁ୍ୟନ କରି ଦେଖାଇବାର ଉଦେ୍ଦଶ୍ୟରେ ହେବ ସେତେବେଳେ ତାହା ବିନାଶକାରୀ ହେବ । ପରିଣତି ଦୁଃଖଦ ହେବ । ଅତି ଗର୍ବ ଏବଂ ଅହଙ୍କାରରେ ରାବଣର ସ୍ୱର୍ଣ୍ଣମୟୀ ଲଙ୍କା ଛାରଖାର ହେବା ସହ ନିଜର ଶହେ କୁଟୁମ୍ବଙ୍କର ମୃତୁ୍ୟ ହୋଇଥିଲା ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।