ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦେଶର ତୃତୀୟ ଶ୍ରେଷ୍ଠ ଆୟୁର୍ବେଦ ଶିକ୍ଷାନୁଷ୍ଠାନ
ବାରଙ୍ଗ: ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ମ୍ୟାଗାଜିନ୍ ଆଉଟ୍ ଲୁକ୍ ଦ୍ୱାରା ଭାରତୀୟ ଗବେଷଣା ଓ ଶିକ୍ଷାର ଉନ୍ନତି କେନ୍ଦ୍ର-୨୦୨୫ (ଇଣ୍ଡିଆନ୍ ସେଣ୍ଟର ଫର୍ ଆଡଭାନ୍ସମେଣ୍ଟ ଅଫ୍ ରିସର୍ଚ୍ଚ ଆଣ୍ଡ୍ ଏଜୁକେସନ୍- ଆଇସିଏଆରଇ) ର୍ୟାଙ୍କିଂ ଅନୁସାରେ ଦେଶର ସର୍ବଶ୍ରେଷ୍ଠ ୨୦ଟି ଆୟୁର୍ବେଦ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସମ୍ପୃକ୍ତ ତାଲିକାର ତୃତୀୟ ସ୍ଥାନରେ ରହିଛି । ଫଳରେ ଏହା କେବଳ ବିଶ୍ୱବିଦ୍ୟାଳୟ ପାଇଁ ନୁହେଁ, ବରଂ ସମଗ୍ର ରାଜ୍ୟ ପାଇଁ ମଧ୍ୟ ଏକ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି । ଏଥିରେ ଶିକ୍ଷାତ୍ମକ ଓ ଗବେଷଣା ଉକ୍ରୃଷ୍ଟତା, ଉଦ୍ୟୋଗ ସଂଯୋଗ ଓ ନିଯୁକ୍ତି, ଭିତ୍ତିଭୂମି ଓ ସୁବିଧା ସୁଯୋଗ, ପ୍ରଶାସନ ଓ ନାମଲେଖା ଏବଂ ବିବିଧତା ଓ ପ୍ରସାରଣ ଭଳି ପାଞ୍ଚଟି ବିଷୟରେ ସମୁଦାୟ ୧୦୦୦ ନମ୍ବରରୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୯୩୫.୫୭ ନମ୍ବର ରଖି ଏହି ସଫଳତା ହାତେଇଛି । ତାଲିକାର ଶ୍ରେଷ୍ଠ ପାଞ୍ଚଟି ଆୟୁର୍ବେଦ ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା, ମହାରାଷ୍ଟ୍ର ପୁଣେ ସ୍ଥିତ ଭାରତୀ ବିଦ୍ୟାପୀଠ ଅନ୍ତର୍ଗତ ୟୁନିଭର୍ସିଟି କଲେଜ ଅଫ୍ ଆୟୁର୍ବେଦ, କେରଳ କୋଲ୍ଲାମ ସ୍ଥିତ ଅମୃତ ବିଶ୍ୱବିଦ୍ୟାପୀଠମ୍, ଓଡ଼ିଶାର କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକ ବିଜୟପୁରା ସ୍ଥିତ ଏଭିଏସ୍ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ମହାରାଷ୍ଟ୍ର ୱାର୍ଦ୍ଧାସ୍ଥିତ ଦତ୍ତା ମେଘେ ଇନଷ୍ଟିଚୁ୍ୟଟ୍ ଅଫ୍ ହାୟର ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ । ନିଜ ପ୍ରତିକ୍ରିୟାରେ ବିଭାଗୀୟ ଡିନ୍ ଡ. ପ୍ରଦୀପ କୁମାର ପଣ୍ଡା ଆଗକୁ ଅଧିକ ପରିଶ୍ରମ କରି ପରବର୍ତ୍ତୀ ବର୍ଷମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏହି ସଫଳତା ପାଇଁ ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର ତେଜପ୍ରତାପ, କାର୍ମିକ ନିଦେ୍ର୍ଦଶକ ସ୍ୱାମୀ ସତ୍ୟଚୈତନ୍ୟ, କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର ଅନିଲ କୁମାର ଶର୍ମା, ମାନବସମ୍ବଳ ବିଭାଗ ଉପ ନିଦେ୍ର୍ଦଶକ ଜ୍ୟୋତିରଞ୍ଜନ ଗଡ଼ନାୟକ, ଆଡମିଶନ୍ ବିଭାଗ ଉପନିଦେ୍ର୍ଦଶକ ଡ. ମଳୟ ମଲ୍ଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।