ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ
ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ଶ୍ରୀବିହାର ପରିସରରେ ପାଳିତ ହୋଇଯାଇଛି । ଏହି ଉସôବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ପ୍ରକ୍ଷାତ ସ୍ଥାପତ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଓଡ଼ିଶାର ସଂସ୍କୃତି, କଳା ଓ ସ୍ଥାପତ୍ୟ ଉଚ୍ଚକୋଟୀର ହୋଇଥିବାରୁ ଏହା କେବଳ ଭାରତରେ ନୁହେଁ ବରଂ ଜାପାନ, ଜର୍ମାନ, ଇଣ୍ଡୋନେସିଆ ପ୍ରଭୃତି ଦେଶର ସଂସ୍କୃତିରେ ମଧ୍ୟ ପ୍ରତିଫଳିତ ହୋଇଛି ବୋଲି ପ୍ରମାଣିତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ନୀଳକଣ୍ଠ ପତି ଯୋଗଦାନ କରି କହିଥିଲେ ଯେ ଆଧୁନିକ ସମାଜକୁ ଶୃଙ୍ଖଳିତ କରିବା ପାଇଁ ସଂସ୍କୃତ ଭାଷା ଓ ସାହିତ୍ୟର ଅତ୍ୟନ୍ତ ଆବଶ୍ୟକତା ଅଛି । ପ୍ରାରମ୍ଭରେ କୁଳପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳ ସଚିବ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ବିବରଣୀ ପାଠ କରିଥିଲେ । ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଜଣେ ଶିକ୍ଷକଙ୍କ ସମେତ ୭ଜଣ କର୍ମଚାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟର ବାର୍ତ୍ତା ପତ୍ର ‘ଶ୍ରୀ ବିହାର ଭାରତୀ’ ଓ ଶୋଧ ପତ୍ରିକା ‘ଶ୍ରୀ ଜଗନ୍ନାଥ ଜ୍ୟୋତି’ ଉନ୍ମୋଚିତ ହୋଇଥିଲା ।