ଶ୍ରୀରାମ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି

 ନିଶ୍ଚିନ୍ତକୋଇଲି : ଆସନ୍ତା ଏପ୍ରିଲ ୬ତାରିଖ ଦିନ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀରାମ ସେବା ସମିତି ସାଲେପୁର ପଦ୍ମପୁର, ଜଗତପୁର କଟକ ଆନୁକୂଲ୍ୟରେ ଏକ ବିରାଟ ଶ୍ରୀରାମ ଶୋଭାଯାତ୍ରା ଅନୁଷ୍ଠିତ ହେବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିବା ଆଞ୍ଚଳିକ ଗୋସେବା ମଞ୍ଚ ପ୍ରମୁଖ ପ୍ରଫୁଲ୍ଲ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀରାମ ସେବା ସମିତିର ପ୍ରମୁଖ ରଶ୍ମୀରଂଜନ ଲେଙ୍କା(ଲଲାଟ)ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ଶ୍ରୀରାମ ସେନା ସଦସ୍ୟ ଶ୍ରୀନିବାସ ନାୟକଙ୍କ ସଂଯୋଜନାରେ ନିଶ୍ଚିନ୍ତକୋଇଲି ଶ୍ରୀରାମ ମାନସ ମଣ୍ଡପ ସମ୍ମୁଖ ସାପ୍ତାହିକ ହାଟ ପରିସରରେ ଏହାର ବ୍ୟାପକ ପ୍ରସ୍ତୁତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଶ୍ରୀରାମ ପ୍ରେମୀ ଯୁବ ଛାତ୍ର ଓ ବୟଜ୍ୟେଷ୍ଠମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ଜଗତପୁର ଠାରୁ ବାହାରି ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଅସୁରେଶ୍ୱର ଛକ ଠାରେ ଥିବା ହନୁମାନ ମନ୍ଦିରରେ ଶେଷ କରାଯିବ । ଉକ୍ତ ଶୋଭାଯାତ୍ରା ପାଇଁ ନଗର ସଜା, ଶ୍ରୀରାମଙ୍କ ଧ୍ୱଜା ଉଡ଼ାଣ ଓ ଜୟଶ୍ରୀରାମ ଧ୍ୱନୀ ଉଚ୍ଚାରଣ ଆଦି କାର୍ଯ୍ୟକ୍ରମ କିଭଳି ଶୃଙ୍ଖଳିତ ଭାବେ କରାଯିବ ସେ ସଂକ୍ରାନ୍ତରେ ବିଷଦ ଭାବେ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତି ହୋଇଛି । ଏହି ଶ୍ରୀରାମ ଶୋଭାଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଅବଗତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସମୀର କୁମାର ସାମଲ,ହିନ୍ଦୁ ମହାସଂଘର ରାଜ୍ୟ ସଭାପତି ଶରତ କୁମାର ପରିଡ଼ା, ଅଞ୍ଜନ କୁମାର ସାହୁ, ତାପସ ମିଶ୍ର, ଅରବିନ୍ଦ ଭୋଇ, ଜୟରାମ ବେହେରା, ଭୀମସେନ ଦାସ, ମୃତୁ୍ୟଞ୍ଜୟ ଖୁଣ୍ଟିଆ, କୀର୍ତ୍ତିରଂଜନ ଦାଶ, ମନୋରଂଜନ ମିଶ୍ର, ତ୍ରିବିକ୍ରମ ସ୍ୱାଇଁ, ନାରାୟଣ ସେଠୀ, ଅମୂଲ୍ୟ ନାୟକ, ଅନନ୍ତ ଓଝା, କାହ୍ନୁ ଚରଣ ମହାରଣା, ବିଶାଲ ମହାପାତ୍ର, ଭାଗିରଥି ଜେନା, ଗଣେଶ୍ୱର ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ହିଂମାଶୁ ମହାପାତ୍ରଙ୍କ ସମେତ ବହୁ ଶ୍ରୀରାମ ପ୍ରେମୀ ଯୋଗ ଦେଇଥିଲେ ।