ପ୍ରାର୍ଥନାର ଶକ୍ତି

ଡ.ସୁରେଶ କୁମାର ନାୟକ : ପ୍ରାର୍ଥନା ମନୁଷ୍ୟ ଜାତି ପାଇଁ ଏକ ଈଶ୍ୱରୀୟ ଆଶୀର୍ବାଦ । କୁହାଯାଏ ପ୍ରାର୍ଥନା କରିବା ହେଉଛି ଭଗବାନଙ୍କ ସମ୍ମୁଖରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇ ନିଜ ହୃଦୟର ବାର୍ତ୍ତାକୁ ତାଙ୍କ ପାଖରେ ପହଞ୍ଚାଇବା । ପ୍ରାର୍ଥନାର ସଂଜ୍ଞାକୁ ବ୍ୟାଖ୍ୟା କରିବା ଅସମ୍ଭବ । ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ କହିବା ଅନୁସାରେ "ପ୍ରାର୍ଥନା ହେଉଛି ପ୍ରେମର ଭାଷା । ଏହି ଶବ୍ଦର ଅନେକ  ଅର୍ଥ ରହିଛି । ପ୍ରାର୍ଥନା ହେଉଛି ଭଗବାନଙ୍କ ସହ ବାର୍ତ୍ତାଳାପ କରିବା ସଦୃଶ । ଈଶ୍ୱରଙ୍କ ଅସ୍ତିତ୍ୱ ସବୁଠାରେ ବିଦ୍ୟମାନ । ଏହାକୁ ଗ୍ରହଣ କରିବା ଏବଂ ପ୍ରାର୍ଥନା କରିବା ସମୟରେ ସଚ୍ଚୋଟ ହୃଦୟ ହେବା ନିତ୍ୟାନ୍ତ ଆବଶ୍ୟକ । ପ୍ରାର୍ଥନା କରିବା ସମୟରେ ପ୍ରେମଭାବ ଏବଂ ଆଦର ସହକାରେ ମସ୍ତିଷ୍କକୁ ନୁଆଁଇ ଈଶ୍ୱରଙ୍କ ସହିତ ବାର୍ତ୍ତାଳାପ କରିବା ଦ୍ୱାରା ପ୍ରାର୍ଥନା ସାର୍ଥକ ହୋଇନଥାଏ । ତେଣୁ ନିଜର ହୃଦୟ କଥା କହିବା ସହିତ ଈଶ୍ୱରୀୟ ବାର୍ତ୍ତାକୁ ମଧ୍ୟ ଧୈର୍ଯ୍ୟ ସହକାରେ ଶୁଣିବା ଉଚିତ୍‌ ।'ପ୍ରାର୍ଥନା କରିବା ସମୟରେ ଆମ୍ଭେମାନେ ଦୁଇଟି ଶାଖା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌ । ସର୍ବପ୍ରଥମେ ଭଗବାନଙ୍କ ସମ୍ମୁଖରେ ସଚ୍ଚୋଟ ହୃଦୟରେ ନିଜର ବିଚାର, ଆକାଂକ୍ଷା ଏବଂ ମାର୍ଗ ପ୍ରଦର୍ଶନ ବିଷୟରେ ବାର୍ତ୍ତାଳାପ ଆବଶ୍ୟକ । ଦ୍ୱିତୀୟତଃ ନିଜ କଥାକୁ ବ୍ୟକ୍ତ କରିସାରିବା ପରେ ଭଗବାନଙ୍କ ପ୍ରତି ଉତ୍ତରକୁ ଅପେକ୍ଷା କରିବା ଉଚିତ ଏବଂ ଭଗବାନଙ୍କ ଅସ୍ତିତ୍ୱକୁ ବୁଝିବା ଉଚିତ । ସେ ଦେଖାଇଥିବା ଉଚିତ୍‌ ମାର୍ଗ ଏବଂ ଆଜ୍ଞାପ୍ରତି ବିଶେଷ ଧ୍ୟାନ ଦେଇ ନିଜ ଚଲାପଥକୁ ସହଜ ଓ ସୁନ୍ଦର କରିବା ଉଚିତ । ଯାହାଦ୍ୱାରା ପ୍ରାର୍ଥନା ଶେଷ ହେବା ପରେ ନିଜ ମଧ୍ୟରେ ବିଶେଷ ଆନନ୍ଦ, ଶକ୍ତ ଏବଂ ସ୍ଫୁର୍ତ୍ତି ସଂଚାରିତ ହେଉଥିବାର ଆପଣ ନିଶ୍ଚୟ ଅନୁଭବ କରିପାରିବେ । ନିଜର ଅନନ୍ତ ହୃଦୟରେ ଏହି ବିଶ୍ୱାସ ରଖିବା ଉଚିତ୍‌ ।
                             
ମୋ : ୯୪୩୭୨୨୫୫୯୨