ବିଜ୍ଞାନର ପ୍ରୟୋଗ ଓ ଅପପ୍ରୟୋଗ
ମନୁଷ୍ୟର ଜୀବନକୁ ସୁଖ ସ୍ୱାଚ୍ଛନ୍ଦମୟ କରିବା ଦିଗରେ ବୈଜ୍ଞାନିକ ଉଦ୍ଭାବନ, ଆବିଷ୍କାର ଏବଂ ମୋଟ୍ ଉପରେ ବିଜ୍ଞାନର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ବିଜ୍ଞାନ ଯେ ସୁବିଧାରୁ ନେଇ ଅସୁବିଧାରେ ପକାଇ ଦେବ ତାହା କେହି କେବେ କଳ୍ପନା କରିନଥିବେ । ବର୍ତ୍ତମାନ ସେହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇସାରିଲାଣି । ଆଜିର ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା ମନୁଷ୍ୟ ଜୀବନକୁ ଖୁବ୍ ସରଳ ଏବଂ ଆରାମଦାୟକ କରିପାରିଛି । ସମୟ ଏବଂ ଶ୍ରମକୁ ମଧ୍ୟ ବଞ୍ଚେଇ ପାରିଛି । ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତ୍ତା ବର୍ତ୍ତମାନ ଭସ୍ମାସୁର ଭୂମିକାରେ ଅବତୀର୍ଣ୍ଣ ହେଲାଣି । ଜୀବନକୁ ସରଳ, ସୁନ୍ଦର ଏବଂ ସହଜ କରୁଥିବା କୃତ୍ରିମ ବୁଦ୍ଧିମତ୍ତା ଧୀରେ ଧୀରେ ନିଯୁକ୍ତିର ପରିସରକୁ ସଙ୍କୁଚିତ କରିଲାଣି । ସିଧା ଅର୍ଥରେ କହିଲେ ଏହା ଲୋକଙ୍କ ଚାକିରି ଖାଇବାକୁ ବସିଲାଣି । ବିଭିନ୍ନ କ୍ଷେତ୍ରରେ କୃତି୍ରମ ବୁଦ୍ଧିମତ୍ତା ପ୍ରୟୋଗ କରାଯାଇ ଅନେକ ଲୋକଙ୍କର ଆବଶ୍ୟକତାକୁ କମେଇ ଅଳ୍ପ ଲୋକରେ କିଭଳି କାମ ହୋଇପାରିବ ତାହା କରି ଦେଖେଇ ଦେଲାଣି । ଏଭଳି ହେବା ଦ୍ୱାରା ଦିନକୁ ଦିନ ନିଯୁକ୍ତି ପରିସର ସଙ୍କୁଚିତ ହେଉଛି ଏବଂ ବେକାରୀ ବୃଦ୍ଧି ହେବାର ସମ୍ଭାବନା ଉପୁଜିଲାଣି । ଅଗଷ୍ଟ ମାସରେ କୃତି୍ରମ ବୁଦ୍ଧିମତାର ପ୍ରୟୋଗ ଜନିତ ୨୭ ହଜାର ଚାକିରି କେବଳ ଅଗଷ୍ଟ ମାସରେ ବିଭିନ୍ନ ଟେକ୍ କମ୍ପାନୀମାନେ ସଙ୍କୁଚିତ କରିଛନ୍ତି । ଭବିଷ୍ୟତରେ ଏ ପ୍ରକାରର ସମସ୍ୟା ଆହୁରି ଉକ୍ରଟ ହେବାର ସମ୍ଭାବନା ରହିଛି । ବିଭିନ୍ନ ପ୍ରକାରର ବୈଷୟିକ କ୍ଷେତ୍ରରେ ବର୍ତ୍ତମାନ ଦିନକୁ ଦିନ କୃତି୍ରମ ବୁଦ୍ଧିମତ୍ତା ପ୍ରୟୋଗ ଜନିତ ନିଯୁକ୍ତି ସଙ୍କୋଚନ ହାର ବଢ଼ି ବଢ଼ି ଚାଲିଛି । ବୃହତ୍ ଟେକ୍ କମ୍ପାନୀ ଗୁଡ଼ିକ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଆପଲ୍, ଇଣ୍ଟେଲ୍, ସିସ୍କୋ, ଆଇବିଏମ୍ ଭଳି ୪୦ଟି ଅଗ୍ରଣୀ ବୈଷୟିକ କମ୍ପାନୀ ଅଗଷ୍ଟ ମାସରେ ୨୭ ହଜାର ଲୋକଙ୍କୁ ଛଟେଇ କରି ଦେଇଛନ୍ତି । ୨୦୨୪ ମସିହା ଆରମ୍ଭ ଠାରୁ ଏ ପର୍ଯ୍ୟନ୍ତ ଆଇଟି କମ୍ପାନୀ ଗୁଡ଼ିକ ୧ ଲକ୍ଷ ୩୬ ହଜାର ଚାକିରି ପ୍ରତ୍ୟାହାର କରିନେଲେଣି । ବ୍ୟୟ ସଙ୍କୋଚନ ନାମରେ ବୈଷୟିକ କ୍ଷେତ୍ରରେ ଏ ପ୍ରକାରର ନିଯୁକ୍ତି ମରୁଡ଼ି ଭବିଷ୍ୟତ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବ । ଚାକିରି ମିଳିବା କ୍ଷେତ୍ରରେ ଏ ପ୍ରକାରର ପରିସ୍ଥିତି ଦୁର୍ନୀତିକୁ ପ୍ରଶୟ ଦେବ । ଚାକିରିରୁ ଛଟେଇ ଯେତିକି ସମସ୍ୟା ନୁହେଁ ଛଟେଇ ଜନିତ ପରିଣତି ତାହାଠାରୁ ଏକ ବଡ଼ ସମସ୍ୟା ଭାବରେ ଦେଖା ଦେବାର ସମ୍ଭାବନା ଉପୁଜିଲାଣି । ସାମାଜିକ ଜୀବନରେ ମଧ୍ୟ ଏ ପ୍ରକାରର ପରିସ୍ଥିତି ଅନେକ ନୂଆ ନୂଆ ସମସ୍ୟା ସୃଷ୍ଟି କରିବ । ଏଆଇର ପ୍ରୟୋଗ ପ୍ରଥମେ ସୁଫଳ ଦେଖାଉଥିଲା । ବର୍ତ୍ତମାନ ଏହା ଭସ୍ମାସୁର ପାଲଟି ତାର କରାଳ ରୂପ ଦେଖାଇଲାଣି । ତେବେ ଏ କ୍ଷେତ୍ରରେ ଆଉ ଏକ ବିପଜ୍ଜନକ ପରିସ୍ଥିତି ହେଲା ଏଆଇ ପ୍ରୟୋଗଜନିତ ତ୍ରୁଟି । ଗତବର୍ଷ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ବୈଷୟିକ ତ୍ରୁଟି ବା ଏଆଇର ପ୍ରୟୋଗ ଅଭାବ ଯୋଗୁଁ ହିଁ ଘଟିଥିଲା ବୋଲି କିଛି ବିଶେଷଜ୍ଞ ମତ ଦେଇଥିଲେ । କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରାଯିବା ବର୍ତ୍ତମାନ ସମୟର ଏକ ଆବଶ୍ୟକତା । କିନ୍ତୁ ଏହା ନିଯୁକ୍ତି କ୍ଷେତ୍ରରେ ଭସ୍ମାସୁର ପାଲଟିଲେ ନିଶ୍ଚିତ ରୂପେ ବିଭିନ୍ନ ସାମାଜିକ ଅପରାଧ ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ । କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ କରାଗଲେ ମଧ୍ୟ ମାନବସମ୍ବଳର ସଦ୍ବିନିଯୋଗ ଏବଂ ଏହାର ପ୍ରୟୋଗ ଜନିତ ସାମାଜିକ କୁପ୍ରଭାବ ଗୁଡ଼ିକ ପ୍ରତି ଆଖି ବୁଜି ଦେବା ଅନୁଚିତ୍ । ଯେଉଁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଏକ ଅତ୍ୟାବଶ୍ୟକ ବିଭବ ନୁହେଁ, ସେ କ୍ଷେତ୍ରରେ ଏହାକୁ ପ୍ରୟୋଗ କରିବା ଅନୁଚିତ୍ । ଅନ୍ୟଥା ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷାର ଅବମୂଲ୍ୟାୟନ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ।