ଅଧାରେ ଅଟକିଛି ରାସ୍ତା ନିର୍ମାଣ

ଅଧାରେ ଅଟକିଛି ରାସ୍ତା ନିର୍ମାଣ


 ବୈଶିଙ୍ଗା  : କେନ୍ଦ୍ର ବା ରାଜ୍ୟ ସରକାର ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ମାତ୍ର ତାର କାର୍ଯ୍ୟର ଅବଧି ତଥା କାର୍ଯ୍ୟର ମାନ ତଦାରଖରେ ଅହେତୁକ ଅନୁକମ୍ପା ଯୋଗୁଁ ରାସ୍ତା ପାର୍ଶ୍ୱବର୍ତ୍ତୀ ଲୋକଙ୍କ ପାଇଁ ଯମଯନ୍ତ୍ରଣା ପାଲଟିଛି । ଏହାର ଉଦାହରଣ ସ୍ୱରୂପ ବୈଶିଙ୍ଗା-ମାଣତ୍ରୀ ଆର୍ଡି ରାସ୍ତା ଲୋକଙ୍କ ନିଦ ହଜାଇ ଦେଇ ସାରିଲାଣି । ଏହି ରାସ୍ତା ରାଜ୍ୟ ସରକାରଙ୍କ ରାଜ୍ୟ ରାଜପଥର ମାନ୍ୟତା ପାଇଛି । ଠାକୁରମୁଣ୍ଡାରୁ ଉଦଳା-ବୈଶିଙ୍ଗା -ବରହମପୁର ଠାରେ ୬୦ ନଂ ଜାତୀୟ ରାଜପଥରେ ସଂଯୋଗ ହେବା ପାଇଁ ଚାରି ବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଅଧା କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ । ପଦ୍ମ ଘୁଞ୍ଚô ଘୁଞ୍ଚô ଯିବା ଭଳି କାର୍ଯ୍ୟର ଅବଧି ବଢ଼ି ବଢ଼ି ଯିବା ସହିତ ବଜେଟ୍ ମଧ୍ୟ ବଢି ବଢି ଚାଲୁଥିବାରୁ କାର୍ଯ୍ୟ ସାରିବାକୁ ଠିକାଦାର ଇଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ବୈଶିଙ୍ଗାରୁ ମାଣତ୍ରୀ ମଧ୍ୟରେ ପାଟଳିପୁରା ଠାରେ ଛଅ ମାସ ଧରି କେବଳ ମେଟାଲ ଓ ଡଷ୍ଟ୍ ବିଛାଇ ଠିକାଦାର ଚୁପ୍ଚାପ୍ ବସି ଯାଇଥିବାରୁ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ପାଦଚଲା ଲୋକଙ୍କ ଠାରୁ ସାଇକେଲ, ବାଇକ୍, କାର, ସମେତ ବସ ଟ୍ରକ୍ ସମସ୍ତଙ୍କ ପାଇଁ ଦୁଃଖ ଆଣିଦେଇଛି । ତା’ସାଙ୍ଗକୁ ରାସ୍ତାର ଉଭୟ ପାର୍ଶ୍ୱରେ ଘର କରିଥିବା ଲୋକଙ୍କ ଦୁର୍ଦ୍ଦଶା ଦୁଇ ଗୁଣ ବଢି ଯାଇଛି । ବର୍ଷା ଛାଡି ଯିବା ପରେ ରାସ୍ତାର ଧୂଳି ସମସ୍ତଙ୍କୁ କଷ୍ଟ ଦେଉଛି । ବାରମ୍ୱାର ଅଭିଯୋଗ କରିବା ପରେ ମଧ୍ୟ ନା ଠିକାଦାର ନା ପ୍ରଶାସନ କେହି କର୍ଣ୍ଣପାତ କରୁନଥିବା ଜଣାଯାଇଛି । ଠିକାଦାରର ଏଭଳି ମନଇଚ୍ଛା କାର୍ଯ୍ୟ ପାଇଁ ପ୍ରଶାସନ ନିରବ ରହିବା ଘଟଣା ଉଭୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲି ଥିବାର ଅଭିଯୋଗ ହେଉଛି । ତୁରନ୍ତ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।