ସମୁଦ୍ରର ସତର୍କ ପ୍ରହରୀ ଲାଇଫଗାର୍ଡ଼

 ପୁରୀ:  ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସ୍ନାନ ସହାୟକ ହେଉହେଉ ସେମାନେ ଲାଭ କରିଛନ୍ତି ଭାରତର ପ୍ରଥମ ଲାଇଫଗାର୍ଡ଼ର ମାନ୍ୟତା । କେବଳ ସ୍ନାନ ଓ ସନ୍ତରଣରେ ସେମାନେ ସହାୟତା କରନ୍ତି ନାହିଁ । ବିପଦ ବେଳେ ସେମାନେ ରକ୍ଷା କରନ୍ତି ଅନେକ ଅମୂଲ୍ୟ ଜୀବନ । ପରମ୍ପରାକ୍ରମେ ସେମାନେ ହୋଇଯାଇଛନ୍ତି ପୁରୀରେ ପର୍ଯ୍ୟଟନ ଶିଳ୍ପର ଅଭିନ୍ନ ଅଂଶବିଶେଷ । ସ୍ନାନ ବେଳେ ସମୁଦ୍ରରେ ବୁଡ଼ିଯାଉଥିବା ହଜାରହଜାର ଯାତ୍ରୀଙ୍କ ପ୍ରାଣ ରକ୍ଷା ପାଲଟିଛି ସେମାନଙ୍କ ବୃତ୍ତି । କେବଳ ବୃତ୍ତି ନୁହେଁ ଅନ୍ୟର ଜୀବନ ରକ୍ଷା କରିବା ପରିଣତ ହୋଇଛି ସେମାନଙ୍କ ଜୀବନର ବ୍ରତରେ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି ସଂଗଠିତ ଲାଇଫଗାର୍ଡ଼ ମାନଙ୍କର ଆବାସସ୍ଥଳରେ ପରିଣତ ହୋଇଛି । ବେଳାଭୂମି ପାଲଟିଛି ସେମାନଙ୍କର ଜୀବନ ଓ ଜୀବିକା । 
    ସାମୁଦ୍ରିକ ମସô୍ୟଜୀବୀ ସମ୍ପ୍ରଦାୟ ନୋଳିଆମାନଙ୍କ ଦ୍ୱାରା ଗଠନ କରାଯାଇଛି ‘ ଦି ପୁରୀ ବିଚ୍ ଲାଇଫଗାର୍ଡ଼ ମହାସଂଘ’ । ଦେଶର ସବୁଠାରୁ ବ୍ୟସ୍ତବହୁଳ ପୁରୀ ବେଳାଭୂମିରେ ଲାଇଫଗାର୍ଡ଼ଙ୍କ ଦ୍ୱାରା ଗଠିତ ଏହି ସଂଗଠନର ସଦସ୍ୟ ସଂଖ୍ୟା ୨୦୦୦ରୁ ଉଦ୍ଧ୍ୱର୍  । ଅପୂର୍ବ ସାହସିକତା ପ୍ରଦର୍ଶନ କରି ସେମାନେ ସ୍ନାନ ରତ ପ୍ରର୍ଯ୍ୟଟକମାନଙ୍କ ଜୀବନର ସୁରକ୍ଷା କରିଥାନ୍ତି । ସମୁଦ୍ରରେ ଯେପରି ଜଣେ ବି ବୁଡ଼ି ମୃତୁ୍ୟବରଣ ନକରେ ସେଥିପ୍ରତି ସେମାନେ ସତର୍କ ଓ ସଂକଳ୍ପବଦ୍ଧ । ବ୍ରିଟିଶ ଶାସନ କାଳରୁ ଲାଇଫଗାର୍ଡ଼ମାନେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କରିଆସୁଛନ୍ତି । ଶହ ଶହ ବର୍ଷ ଧରି ଏହା ପରିଣତ ହୋଇଛି ସେମାନଙ୍କର ବୃତ୍ତିଗତ ପରମ୍ପରାରେ । ଲାଇଫଗାର୍ଡ଼ କାର୍ଯ୍ୟ ସହ ସେମାନେ  ପର୍ଯ୍ୟଟନ ଶିଳ୍ପ ସହ ସଂଶ୍ଲିଷ୍ଟ ଛୋଟମୋଟ ବେପାର ଏବଂ ଅନ୍ୟାନ୍ୟ ସେବା ମଧ୍ୟ କରିଥାନ୍ତି । ଏହି ପାରମ୍ପରିକ ମସô୍ୟଜୀବୀମାନେ ଶତାଦ୍ଦୀ ଧରି ବେସରକାରୀ ଲାଇଫଗାର୍ଡ଼ ରୂପେ କାର୍ଯ୍ୟରତ । ୧୯୨୭ ମସିହାର ଐତିହାସିକ ରେକର୍ଡ଼ରୁ ଜଣାଯାଏ ବ୍ରିଟିଶ ହାକିମ ମାନେ ପୁରୀ ପରିଦର୍ଶନରେ ଆସୁଥିବା ବେଳେ ନୋଳିଆମାନେ ସେମାନଙ୍କ ସ୍ନାନ ସେବକ ବା ବାଥ୍ ଆଟେଣ୍ଡାଣ୍ଟ ରୂପେ କାର୍ଯ୍ୟ କରୁଥିଲେ । ସମୟ କ୍ରମେ ଏହି ସାମୁଦ୍ରିକ ମସô୍ୟଜୀବୀ ସମ୍ପ୍ରଦାୟ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକମାନଙ୍କର ପ୍ରାଣ ରକ୍ଷା କରିବାର ଦକ୍ଷତା ଅର୍ଜନ କରିବା ସହ ପୁରୀ ପର୍ଯ୍ୟଟନ ଶିଳ୍ପର ଅବିଚ୍ଛିନ୍ନ ଅଂଶ ହୋଇପଡ଼ିଛନ୍ତି । ପୁରୁଷାନୁକ୍ରମେ ସେମାନେ ଅଗଣିତ ଲୋକଙ୍କର ଜୀବନ ବଞ୍ଚାଇ ଆସିଛନ୍ତି । ୪କିଲୋମିଟର ବିସ୍ତୃତ ପୁରୀ ସମୁଦ୍ର କୂଳରେ ସେମାନେ ବସ୍ତୁତଃ ପର୍ଯ୍ୟଟକମାନଙ୍କ ଜୀବନ ରକ୍ଷା ପାଇଁ ସତର୍କ ପ୍ରହରୀ । ୨୦୦୦ ମସିହା ସୁଦ୍ଧା ପୁରୀ ବିଚ୍ ଲାଇଫଗାର୍ଡ଼ ମହାସଂଘ ଆନୁଷ୍ଠାନିକ ଭାବେ ମସô୍ୟଜୀବୀମାନଙ୍କୁ ସଂଗଠିତ କରି ସେମାନଙ୍କୁ ପର୍ଯ୍ୟଟକମାନଙ୍କ ନିରାପଦ ସମୁଦ୍ର ସ୍ନାନ ଓ ଜୀବନରକ୍ଷା କ୍ଷେତ୍ରରେ ସହାୟକ ହୋଇଆସିଛି । ସଂପ୍ରତି ମହାସଂଘରେ ଅନ୍ତର୍ଭୁକ୍ତ ଅଛନ୍ତି ୬ଟି ସଂଘ- କାଳୀ ମା, ସାଗର ତରଙ୍ଗ, ସରସ୍ୱତୀ,ହରଚଣ୍ଡୀ, ଗୋଲଡ଼େନ୍ ଓ ଚକ୍ରତୀର୍ଥ ଲାଇଫଗାର୍ଡ଼ ଆସୋସିଏସନ । ୪୨୦ରୁ  ଉଦ୍ଧ୍ୱର୍ ଲାଇଫଗାର୍ଡ଼ ୪କିଲୋମିଟର ପରିବ୍ୟାପ୍ତ ବେଳାଭୂମି ଅଞ୍ଚଳରେ ଅହରହ ପଇଁତରା ମାରିବା ସହ ବୁଡ଼ିଯାଉଥିବା ସ୍ନାନାର୍ଥୀମାନଙ୍କୁ ଉଦ୍ଧାର କରିଥାନ୍ତି ।
     ଯାତ୍ରୀ ଓ ପର୍ଯ୍ୟଟକଙ୍କ ଜୀବନରକ୍ଷା କରିବା ସହ ପ୍ରତିଭାବାନ ଯୁବ ଲାଇଫଗାର୍ଡ଼ମାନଙ୍କୁ ବିଭିନ୍ନ ଜୀବନରକ୍ଷାକାରୀ କୌଶଳ ସମ୍ପର୍କରେ ତାଲିମ ଦେଇଆସୁଛି ମହାସଂଘ । ମହାସଂଘର ସଭାପତି ବଡ଼ି ଶିବା ରାଓଙ୍କ ସୂଚନା ଅନୁଯାୟୀ ଅନେକ ଯୁବ ଲାଇଫଗାର୍ଡ଼ମାନଙ୍କ ପ୍ରତିଭା ବିକାଶ ଓ ବୃତ୍ତିଗତ ଦକ୍ଷତାର ବିକାଶ ପାଇଁ ମହାସଂଘ କାର୍ଯ୍ୟ କରିଆସୁଛି । ସମୁଦ୍ରରୁ ଉଦ୍ଧାର କରିବାର କୌଶଳ ବିଷୟରେ ସେମାନଙ୍କୁ ସୁଦକ୍ଷ କରିବା ପାଇଁ ମହାସଂଘ ଉଦ୍ୟମରତ । ଯୁବ ଲାଇଫଗାର୍ଡ଼ମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଦକ୍ଷ ସନ୍ତରଣକାରୀ ଓ ଜଳକ୍ରୀଡ଼ାବିଚ୍ । ସେମାନେ ଜୀତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ ପୂର୍ବକ ସ୍ୱୀକୃତି ଓ ସମ୍ମାନ ହାସଲ କରିବାରେ ସଫଳ ହୋଇଛନ୍ତି । ଶିବା ରାଓ କହନ୍ତି-ପର୍ଯ୍ୟଟକମାନେ ଆମକୁ କର୍ତ୍ତବ୍ୟରତ ଅବସ୍ଥାରେ ଦେଖିଥାନ୍ତି, କିନ୍ତୁ ସେମାନେ ଜାଣିନାହାଁନ୍ତି ଯେ ଜୀବନ ରକ୍ଷା କରିବା ପରେ ଆମେ ଫେରିଯାଉ କୌଳକ ବୃତ୍ତି ମାଛ ଧରିବାକୁ । ଜାଲ ଓ ଡ଼ଙ୍ଗା ଧରି ଆମେ ପୁଣି ବାହାରିପଡ଼ୁ ନୀଳ ସାଗରକୁ । ପର୍ଯ୍ୟଟକମାନଙ୍କୁ ଆମେ ନିରାପଦ ସମୁଦ୍ର ସ୍ନାନ ସମ୍ପର୍କରେ ସୂଚନା ଦେବା ସହିତ ବେଳାଭୂମିରେ ଚେୟାର ଭଡ଼ା ଦେଉ, ଛତାତଳେ ସ୍ୱଳ୍ପ ଅର୍ଥ ନେଇ ବିଶ୍ରାମ ନେବାରେ ସହାୟତା କରୁ ।  ଲାଇଫଗାର୍ଡ଼ମାନଙ୍କର ସେବା ଓ ସାହସିକ କାର୍ଯ୍ୟ ସତ୍ତ୍ୱେ ଲାଇଫଗାର୍ଡ଼ମାନଙ୍କୁ ମିଳିପାରିନାହିଁ ଆନୁଷ୍ଠାନିକ ସରକାରୀ ସ୍ୱୀକୃତି କିମ୍ବା ଆର୍ଥିକ ସହାୟତା । ତେଣୁ ଐତିହାସିକ ଗୁରୁତ୍ୱ ଥିବା ଏହି ଲାଇଫଗାର୍ଡ଼ମାନଙ୍କୁ ଉତ୍ତମ ବୃତ୍ତିଗତ ତାଲିମ ପ୍ରଦାନ କରାଯିବା ସହ ଆଧୁନିକ ଉଦ୍ଧାରକାରୀ ସରଂଜାମ ଯୋଗାଇ ଦିଆଯିବା ଏକାନ୍ତ ଆବଶ୍ୟକ ବୋଲି ମତ ଦିଅନ୍ତି ମହାସଂଘର ସଭାପତି ବଡ଼ି ଶିବା ରାଓ । କେଉଁ ଆବହମାନ କାଳରୁ ସାଗରର ନୀଳ ଲହରୀ ସେମାନଙ୍କର ସାଥୀ । ନିର୍ଭୟରେ ସେମାନେ ସମୁଦ୍ର ଲହରୀରେ ଲମ୍ଫ ପ୍ରଦାନ କରନ୍ତି । ବିଭିନ୍ନ ସମୟରେ ଏଭଳି କାର୍ଯ୍ୟ ପାଇଁ ବ୍ରିଟିଶ ଶାସନ କାଳରେ ବିହାର ଓ ବଂଗଳା ଗଭର୍ଣ୍ଣରଙ୍କ ଠାରୁ ସେମାନଙ୍କୁ ମିଳିଛି ପ୍ରଶଂସା ଓ ପ୍ରଶସ୍ତି ପତ୍ର । କ୍ରମେ ସେମାନେ ସଂଗଠିତ ହେବା ସହ ନିଜ ଦକ୍ଷତାର ବିକାଶ ପାଇଁ ଉଦ୍ୟମ କରି ଆସୁଛନ୍ତି । ପୁରୀରେ ସେମାନେ ପର୍ଯ୍ୟଟନ ଶିଳ୍ପ ବିକାଶର ସହଯାତ୍ରୀ ହୋଇପାରିଛନ୍ତି ।