ସରକାରୀ ଅର୍ଥ ହରିଲୁଟ୍, ତଦନ୍ତ ଦାବି
ବେତନଟୀ : ସରକାର ବିଭିନ୍ନ ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ବ୍ଲକ ଓ ପଞ୍ଚାୟତ ମାଧ୍ୟମରେ ଦିଆଯାଉଛି । ହେଲେ ସେହି ସରକାରୀ ଅନୁଦାନ ବିନିଯୋଗ ହେଉଛି କି ନାହିଁ ତାହାର ତଦାରଖ କେହି କରୁନଥିବାବେଳେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ହେଉଛି । ବେତନଟୀ ବ୍ଲକ ଅଧିନସ୍ଥ ଯୁଗଳ ପଞ୍ଚାୟତର ଆଦିବାସୀ ବହୁଳ ଶାଳବଣୀ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୨୩-୨୪ ଆର୍ଥôକ ବର୍ଷରେ ଅନୁଦାନ ୧ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିବାବେଳେ ରକ୍ଷଣାବେକ୍ଷଣ ପାଇଁ ସେହି ଆର୍ଥôକ ବର୍ଷରେ ସୋମନାଥ ନୋଡାଲ ସ୍କୁଲର ଉନ୍ନତିକରଣ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ମୋ ଓଡିଶା ନବୀନ ଓଡ଼ିଶା ସ୍କିମରେ ବେତନଟୀ ପଞ୍ଚାୟତ ସମିତି ପକ୍ଷରୁ ଦିଆଯାଇଥିଲା । ଏହି ଦୁଇଟି ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଗ୍ରା.ପ ଓ ପଞ୍ଚାୟତ ସମିତି ହୋଇଥିବାବେଳେ ଏହି ଦୁଇଟି ପ୍ରକଳ୍ପର କୌଣସି ମରାମତି, ରକ୍ଷଣାବେକ୍ଷଣ, ପୁନରୁଦ୍ଧାର କାର୍ଯ୍ୟ ହୋଇନଥିବା ଦେଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏଠାରେ ଥିବା ନୋଡାଲ ଅପରପ୍ରାଇମେରି ସ୍କୁଲଟି ଷଷ୍ଠରୁ ଅଷ୍ଟମ ଗତ ୨୦୧୯-୨୦ ଶିକ୍ଷାବର୍ଷରୁ ପ୍ରତ୍ୟାହାର ଶିକ୍ଷା ବିଭାଗ ପକ୍ଷରୁ କରି ନିଆଯାଇଥିବା ବେଳେ କେବଳ ପ୍ରାଥମିକ ବିଦ୍ୟାଳୟଟି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ରହିଛି । ଏଠାରେ ୧୯୬୪ ମସିହାରେ ଲୋକଙ୍କ ଠାରୁ ଦାନ ଓ ସାହାର୍ଯ୍ୟ ଅର୍ଥରେ ମ.ଇ ସ୍କୁଲ ପ୍ରତିଷ୍ଠା କରାଯାଇଥିବାବେଳେ ୧୯୯୧ ମସିହା ଅପ୍ରେଲ ମାସରେ ସରକାର ଏହାକୁ ଅଧିଗ୍ରହଣ କରିଥିଲେ । ଏବଂ ୨୦୧୯-୨୦ ମସିହାରେ ପିଲା ସଂଖ୍ୟା କମିଯିବାରୁ ଏଠାରେ ତିନୋଟି ଶ୍ରେଣୀ ଷଷ୍ଠରୁ ଅଷ୍ଟମ ପ୍ରତ୍ୟାହାର କରିନେବା ପରେ ଏହା ସରକାରୀ ରେକର୍ଡରେ ବନ୍ଦ ହୋଇଯାଇଛି । ନୋଡାଲ ସ୍କୁଲ ଦୀର୍ଘ ତିନି ବର୍ଷରୁ ଊଦ୍ଧ୍ୱର୍ ବନ୍ଦ ହୋଇଯିବା ପରେ ପୁଣି ଏହି ବନ୍ଦ ହୋଇଥିବା ସ୍କୁଲ ନାମରେ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଅଢେଇ ଲକ୍ଷ ଟଙ୍କା ଦିଆଯାଇ କେଉଁ କାର୍ଯ୍ୟନିର୍ବାହୀ ଏହା କରିଥିଲେ ଏବଂ ବିଲ ଉଠାଯାଇଛି ଏହା ତଦନ୍ତ ସାପେକ୍ଷ ଅଟେ । ଏହିଭଳି ଏହି ବ୍ଲକ ଅଧିନସ୍ଥ ଅନେକ ପଞ୍ଚାୟତରେ ସ୍କୁଲ, ରାସ୍ତା, ଡ୍ରେନ୍, ପୋଖରୀ, ସିସି ରୋଡ ଏବଂ ମନରେଗା କାମରେ ବ୍ୟାପକ ଜାଲିଆତି ଓ ହେରଫେର କରାଯାଇ କୋଟି କୋଟି ଟଙ୍କା ହଡପ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କ ସଲାସୁତରାରେ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଏହାରୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନେକ ସରପଞ୍ଚ ଓ ସମିତି ସଭ୍ୟମାନେ ଦାବି କରିଛନ୍ତି ।