ସହିଦ ସ୍ମୃତିସ୍ତମ୍ଭ ଓ ପାର୍କ ଉନ୍ନତିକରଣ ବୈଠକ'
ନବରଙ୍ଗପୁର : ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଠାରେ ଦେଶ ପାଇଁ ସହିଦ ହୋଇଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସ୍ମୃତି ପାର୍କ ନିର୍ମାଣ ଓ ଉନ୍ନତିକରଣ ନିମେନ୍ତ ଏକ ବୈଠକ ଅନୁଷ୍ଠିତ ହୋଇଛି । ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ, ଜିଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ପୂର୍ବତନ ଲୋକସଭା ସଦସ୍ୟ ପର୍ଶୁରାମ ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ, ଆଦିବାସୀ ସହିଦ ସ୍ମୃତି କେନ୍ଦ୍ର ସଭାପତି ମୁନା ତ୍ରିପାଠୀ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବୈଠକରେ ପାର୍କ ନିର୍ମାଣ ବାବଦକୁ ୬ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ଜଣାପଡ଼ିଛି ।
ଜିଲ୍ଲାପାଳ ସ୍ମୃତି ପାର୍କ ନିର୍ମାଣ ରୂପରେଖରେ ସମସ୍ତଙ୍କ ମତାମତ ଲୋଡ଼ିବା ସହ ପିପିଟି ମାଧ୍ୟମରେ ସହିଦ ପାର୍କରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିଶେଷ ଧାରଣା ଦେଇଥିଲେ । ସର୍ବସମ୍ମତି କ୍ରମେ ସହିଦ ସ୍ମୃତିପାର୍କ ପାଇଁ ନବରଙ୍ଗପୁର- ଉମରକୋଟ ରାସ୍ତାରେ ୫ ଏକର ଜାଗା ଚିହ୍ନଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ସହିଦ ସଂଗ୍ରାମୀଙ୍କ ନାମ ସ୍ମୃତିସ୍ତମ୍ଭରେ ସ୍ଥାପନ କରାଯିବା ସହ ଏକ କମିଟି ଗଠନ କରାଯାଇ ସେଥିରେ ସହିଦ ପରିବାରଙ୍କ ଦାୟାଦ, ଜନ ପ୍ରତିନିଧି, ସହରର ବୁଦ୍ଧିଜୀବୀ, ଏ ସମ୍ବନ୍ଧୀୟ ଗବେଷଣା ନିବନ୍ଧରେ ସଂପୃକ୍ତ ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରାଯିବ । ସହିଦ ସ୍ମୃତିପାର୍କରେ ଏଣ୍ଟ୍ରାନ୍ସ ଗେଟ, ଷ୍ଟାଚ୍ୟୁ ଏରିଆ, ୱାଟର ଫାଉଣ୍ଟେନ, ପାର୍କିଂ, ଶିଶୁ ଉଦ୍ୟାନ, ପାଠାଗାର, ଶୌଚାଳୟ, ସିଟିଂ ଏରିଆ, ପ୍ରାର୍ଥନା ସ୍ଥଳ, ସାଂସ୍କୃତିକ ଉତ୍ସବ ସ୍ଥଳ, ଭିଜୁଆଲ ଗ୍ୟାଲେରୀ ଓ ଅନ୍ୟାନ୍ୟ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଟୁରି ନଦୀ କୂଳରେ ତିଳ ତର୍ପଣ ସ୍ଥାନର ବିଶେଷ ଉନ୍ନତି କରିବାକୁ ବିଧାୟକ ଶ୍ରୀ ମାଝୀ କହିଥିଲେ । ସଭାରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବିଡିଓ ମନୋଜ ପାଣିଗ୍ରାହୀ, ସହିଦ ସ୍ମୃତି କମିଟି ସଭ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।