ସାଉଦି ଆରବ ପତାକା ଲଗାଇବାକୁ ନେଇ ବିରୋଧ

 ବ୍ରହ୍ମବରଦା : ଏହି ଥାନା ଅନ୍ତର୍ଗତ ବଜାରଘାଟ ବମ୍ବେ ଛକ ନିକଟସ୍ଥ ଆରାମବାଗ ମସଜିଦରେ କିଛି ସ୍ତାନୀୟ ଯୁବକ ସାଉଦି ଆରବର ଜାତୀୟ ପତାକା ଲଗାଇବାକୁ ନେଇ ମସଜିଦର ସଦର, ସେକ୍ରେଟାରୀ ଓ ସଭ୍ୟମାନେ ବିରୋଧ କରିଛନ୍ତି । ବିରୋଧ କରିଥିବା ବ୍ୟକ୍ତିଙ୍କୁ ପତାକା ଲଗାଇଥିବା ଯୁବକଙ୍କ ପକ୍ଷରୁ ଧମକ ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଗତ ୧୦ଦିନ ପୂର୍ବରୁ ଚାନ୍ଦପୁର ଗ୍ରାମର କିଛି ଯୁବକ କାହାରିକୁ ନ ପଚାରି ଆରାମବାଗ ମସଜିଦ ଉପରେ ସାଉଦି ଆରବର ଜାତୀୟ ପତାକା ଲଗାଇଥିଲେ । ଘଟଣାକୁ ନେଇ ସଭ୍ୟ ନାସିର ମହମ୍ମଦ, ମସଜିଦର ସଦର, ସଂପାଦକ ବିରୋଧ କରିବାରୁ ତାଙ୍କୁ ଧମକ ମିଳିଥିଲା । ସେହିପରି ଗତକାଲି ମହମ୍ମଦଙ୍କ ଜନ୍ମ ଉତ୍ସବ ଅବସରରେ ଆରାମବାଗ ମସଜିଦ କମିଟି ଓ ମଦ୍ରାସା ମଦିନତୁଲ ଉଲୁମ କମିଟି ସକାଳ ୬.୩୦ରେ ପଦଯାତ୍ରା ବାହାରିଥିଲା । ସନ୍ଧ୍ୟାରେ ଚାନ୍ଦପୁର ଗ୍ରାମର ସେହି ଯୁବକ ମାନେ ଅନ୍ୟ ଏକ ଦଳ କରି ହାତରେ ସାଉଦି ଆରବ ପତାକା ଧରି ଯାତ୍ରା ଆରମ୍ଭ କରିଥିଲେ । ପୂର୍ବ ବିରୋଧ ଘଟଣାକୁ ନେଇ ମସଜିଦର ସଦର, ସେକ୍ରେଟାରୀ ଓ ସଭ୍ୟମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ବିଳମ୍ବିତ ରାତିରେ ମସଜିଦର ମେମ୍ବର ନାସିର ମହମ୍ମଦଙ୍କ ସାଇକେଲ ଦୋକାନରେ ଲାଗିଥିବା ତାଲାକୁ ଏମସିଲ ଅଠା ଦ୍ୱାରା ବନ୍ଧ କରି ଫେରାର ହୋଇଯାଇଥିଲେ । ଏନେଇ ନେଇ ବ୍ରହ୍ମବରଦା ଆଇଆଇସି ଜୟନ୍ତୀ ମଲ୍ଲିକଙ୍କୁ ପଚାରିବାରୁ କୌଣସି ଲିଖିତ ନୁହେଁ ମୌଖିକ ଅଭିଯୋଗ ହୋଇଥିବା କଥା କହିଥିଲେ ।