ସାମ୍ବାଦିକଙ୍କୁ ହତ୍ୟା ଧମକ 

 ବୈଶିଙ୍ଗା : ଜୁନ ୨୫ ତାରିଖରେ ହେବାକୁ ଥିବା ଜନଶୁଣାଣି କାର୍ଯ୍ୟକ୍ରମକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ ବେତନଟୀ ଅଞ୍ଚଳର ସାମ୍ବାଦିକ ଉଦିତ ପରିଡାଙ୍କୁ ହତ୍ୟା ଧମକ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବାର ଜଣା ପଡିଛି । ଯୁବକ ଜଣକ ବୈଶିଙ୍ଗା ଥାନା ଅଧୀନ ନାଖରା ଅଞ୍ଚଳର ଛତିଶ ମଣ୍ଡଳ ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବେତନଟୀ ଅଞ୍ଚଳର ସାମ୍ବାଦିକ ଉଦିତ ପରିଡା ନିୟମିତ ଭାବେ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ ଖବର ଲେଖୁଥିବା ବେଳେ ରବିବାର ପ୍ରାୟ ରାତି ୧୧ ଟା ସମୟରେ ସେ ଶୋଇବାକୁ ଯାଉଥିବା ସମୟରେ ତାଙ୍କୁ ଫୋନ ଯୋଗେ ଛତିଶ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ ଏବଂ ହ୍ୱାଟ୍ସଆପରେ କଲ ରିସିଭ କରିବାକୁ ବାଧ୍ୟ କରିଥିଲେ । ପରେ ହ୍ୱାଟ୍ସଆପ ମାଧ୍ୟମରେ କଲ କରିବା ପରେ ସିଧାସଳଖ ବିଧାୟକଙ୍କ ବିରୁଦ୍ଧରେ ଖବର ପ୍ରକାଶ କଲେ ଏବଂ ଜନଶୁଣାଣିକୁ ଗଲେ ଜୀବନରୁ ହତ୍ୟା କରିଦେବି ବୋଲି ଧମକ ଦେଇଥିଲେ । ଉଦିତ ସଙ୍ଗେ ସଙ୍ଗେ ଏବାବଦରେ ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତଙ୍କୁ ଜଣାଇଥିଲେ ।