ସାର ଅଭାବକୁ ନେଇ ବଢୁଛି ଅସନ୍ତୋଷ

 ନୂଆପଡ଼ା :  ଚାଷ ଆରମ୍ଭରୁ କୃଷକ ଅନେକ ସମସ୍ୟା ଦେଇ ଗତି କରୁଛି । ଧାନ ବୁଣିବା ପରେ ପ୍ରାକୃତିକ ବର୍ଷାର ଅଭାବ, ପୁଣି ବେଉସା ସମୟର ଦୁଃଖ ଆଉ ବର୍ତ୍ତମାନ ଠିକ୍ ସମୟରେ ସରକାରଙ୍କ ସାର ଯୋଗାଇବା ବିଳମ୍ବ ଭଳି ଅନେକ ସମସ୍ୟା ଚାଷୀଙ୍କୁ ଘାଣ୍ଟି ପକାଉଛି । ଜିଲ୍ଲାକୁ ସାର ଆସିଲା, ବିଭିନ୍ନ ପ୍ୟାକ୍ସ ଆଉ  ସାର ବିକ୍ରୟ କେନ୍ଦ୍ରମାନଙ୍କରେ ସାର ପହଞ୍ଚିଲା, କିନ୍ତୁ ଚାଷୀଙ୍କ ସଂଖ୍ୟା ତୁଳନାରେ ଏହା ବହୁତ୍ କମ ପରିମାଣରେ ଆସିଥିବାରୁ ଚାଷୀ ହଇରାଣ ହେଉଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ସାର ବିକ୍ରୟ କେନ୍ଦ୍ର ଓ ପ୍ୟାକ୍ସମାନଙ୍କରେ ସକାଳ ୫ ଘଣ୍ଟା ସମୟରୁ ଚାଷୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଖରା ସମୟରେ ଘଣ୍ଟା ଘଣ୍ଟା ଧରି ଚାଷୀ ଧାଡ଼ିରେ ଠିଆ ହୋଇ ସାର କିଣିବାକୁ ବ୍ୟସ୍ତ କିନ୍ତୁ ବହୁତ କମ୍ ପରିମାଣରେ ସରକାର ସାର ଯୋଗାଇଥିବାରୁ ଅନେକ ଚାଷୀ ସାର ପାଇବାରୁ ବଞ୍ଚିତ ହୋଇଯାଇଛନ୍ତି । ବିଭିନ୍ନ ସ୍ଥାନରେ ଏହି ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଚାଷୀଙ୍କୁ ସାର ଯୋଗାଇ ଦେବାକୁ ସର୍ବସାଧାରଣ ଦାବି କରୁଛନ୍ତି ।