ଅଞ୍ଚଳରେ ବଢୁଛି ଅସାମାଜିକ କାର୍ଯ୍ୟକଳାପ

 ତିହିଡି : ତିହିଡି କଲେଜ ଛକରେ ଲଗାତର ଭାବେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ, ଅଭିଭାବକ ସେମାନଙ୍କ ପିଲାଙ୍କୁ କଲେଜ ପଠାଇବାକୁ ଆଉ ନିରାପଦ ମଣୁନାହାନ୍ତି । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନଥିବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ପ୍ରକାଶ ଯେ, କିଛି ଅସାମାଜିକ ଯୁବକ ଏଠାରେ ସକାଳୁ ପୁଣି ରାତି ଯାଏଁ ଆଡ୍ଡା ଜମାଉଥିବା ବେଳେ, ବିଭିନ୍ନ ସମୟରେ କଲେଜ ଛାତ୍ରଙ୍କୁ ଉସୁକାଇ ପରସ୍ପର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି କରାଇବା, କଲେଜ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିବା, ବେପରୁଆ ଭାବେ ଗାଡି ଚଳାଇ ଦୁର୍ଘଟଣା ଘଟାଇବା ଭଳି କାର୍ଯ୍ୟକଳାପ ଘଟାଇ ଚାଲିଛନ୍ତି  । କଲେଜ ପାଖାପାଖି ଅଞ୍ଚଳରେ ବିଭିନ୍ନ କୋଚିଂ ସେଣ୍ଟର ଓ ଉଭୟ ଛାତ୍ରଛାତ୍ରୀଙ୍କ ଲାଗି ମେସ ମାନ ରହିଥିବା ବେଳେ, ଏହି ଉଚ୍ଛୃଙ୍ଖଳିତ ଯୁବକମାନେ ରାସ୍ତା ଉପରେ ଗାଡି ରଖି ରାସ୍ତା ଅବରୋଧ କରିବା, ନିରୀହ ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ହଇରାଣ କରିବା ଘଟଣା ଦେଖିବାକୁ ମିଳୁଛି । ତିହିଡି ପୁଲିସ ପକ୍ଷରୁ ଏ ଦିଗରେ ଧ୍ୟାନ ଦିଆଯାଇ ପାରିଲେ ଏହି ଅସାମାଜିକ ଯୁବକଙ୍କର ଦେରାତ୍ମ୍ୟ ଅନେକାଂଶରେ କମି ପାରନ୍ତା ।