ବଜାର ମୁଖ୍ୟରାସ୍ତା ପାର୍ଶ୍ୱରେ ବେଆଇନ ଜବରଦଖଲ : ବଢୁଛି ଟ୍ରାଫିକ ସମସ୍ୟା, ଘଟୁଛି ଦୁର୍ଘଟଣା
କାକଟପୁର : କାକଟପୁର ବଜାରର ମୁଖ୍ୟରାସ୍ତା ପାର୍ଶ୍ୱରେ ଦୀର୍ଘଦିନ ଧରି ମାଡି ବସି ଦୋକାନ ଗୃହ ନିର୍ମାଣ କରି ଅନ୍ୟ ବ୍ୟବସାୟୀଙ୍କୁ ଭଡା ସୂତ୍ରରେ ଦିଆଯାଉଛି । ଏକାଧିକ ବେଆଇନ ଦୋକାନ ଗୃହ ପାଇଁ କାକଟପୁର ମୁଖ୍ୟରାସ୍ତା ସଂକୁଚିତ ହେବା ସହିତ ପଥଚାରୀ ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତା ପାର୍ଶ୍ୱରେ ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ଲୋକ ଦୋକାନ ଗୃହ ନିର୍ମାଣ କରି ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ଭଡା ସୂତ୍ରରେ ଦେଇ ଭଲ ରୋଜଗାର କରୁଛନ୍ତି । ଏମିତିକି କିଛି ନ୍ୟସ୍ତସ୍ୱାର୍ଥ୍ୟ ଲୋକ ସରକାରୀ ଜାଗାକୁ ମାଡିବସି ନିଜ ଅକ୍ତିୱାରକୁ ନେଇ ପରେ ଅନ୍ୟ ଲୋକକୁ ବିକ୍ରୟ କରିଥିବା ମଧ୍ୟ ଅଭିଯୋଗ ରହିଛି କ୍ଷ ଆହୁରି ମଧ୍ୟ ଉକ୍ତ ଜବର ଦଖଲ ପାଇଁ ରାସ୍ତା ପାର୍ଶ୍ୱ ନାଳ ଅବରୋଧ ହୋଇ ଦୀର୍ଘ ଦିନ ହେବ ନର୍ଦ୍ଦମା ପାଣି ରାସ୍ତା ଉପରେ ଚାଲୁଛି । କିଛି ଜବରଦଖଲ ଜାଗାରେ ହୋଇଥିବା ଦୋକାନରେ ନିଶା କାରବାର ଚାଲୁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । କାକଟପୁର ଅଞ୍ଚଳ ମା ମଙ୍ଗଳାଙ୍କ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏଠାକୁ ଦୈନିକ ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଆସିଥାନ୍ତି । ଏହି ଜବର ଦଖଲ କାରଣରୁ ବଜାରରେ ଟ୍ରାଫିକ ସମାସ୍ୟା ସୃଷ୍ଟି ହେବା ସହିତ ପର୍ଯ୍ୟଟକ, ଆମ୍ବୁଲାନ୍ସ ସେବା, ସ୍କୁଲ ବସ ଏବଂ ପଥଚାରୀ ମାନେ ଘଣ୍ଟା ଘଣ୍ଟା ଧରି ଫସି ରହି ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପୁରୀ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଜବର ଦଖଲ କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାସହିତ ଜବର ଦଖଲ ଉଛେଦ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।