ରଜ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ବାଲିଅନ୍ତା : ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଅଧିନ ହୀରାପୁର ଚଉଷଠି ଯୋଗିନୀ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୪ର୍ଥ ରଜ ମହୋତ୍ସବ ଜୁନ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏନେଇ ଗ୍ରୀନ ଜୟଦେବ ଫାଉଣ୍ଡେସନ୍ ଟ୍ରଷ୍ଟ ପରିଚାଳନା ଟ୍ରଷ୍ଟି ଦୀନବନ୍ଧୁ ଭୋଇ ଅଧ୍ୟକ୍ଷତାରେ ବାଳକାଟି ସ୍ଥିତ ଶ୍ରୀ କନଭେକସନ କଲ୍ୟାଣ ମଣ୍ଡପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ପରିବେଶ ଭିତ୍ତିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୟଦେବ ଫାଉଣ୍ଡେସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବର ଲକ୍ଷ୍ୟ ଓଡ଼ିଶାର ଗଣ ପର୍ବ, ଐତିହ୍ୟ, ପରମ୍ପରା, ଅସ୍ମିତା, କଳା, ସଂସ୍କୃତି, ପରିଚୟକୁ ଉଜ୍ଜୀବିତ ରଖିବା ସହିତ ଅଞ୍ଚଳରେ ଭାଇଚାରା ସୃଷ୍ଟି କରିବା ଏବଂ ଆମୋଦ ପ୍ରମୋଦ ଭିତରେ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିବା, ରାଜ୍ୟର ଅନେକ ବିଶିଷ୍ଟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିବିଶେଷମାନେ, ଏହି ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିତୀୟ ଦିବସରେ ଓଡ଼ିଶୀ, ସମ୍ବଲପୁରୀ, ନୃତ୍ୟ ଦ୍ୱାରା ଦର୍ଶକଙ୍କ ମନ ମୋହିବେ ନେଇ ବ୍ୟବସ୍ଥା, ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଟ ସ୍ଥାନ ପାଇ ଥିବା ପ୍ରତିଯୋଗୀଙ୍କୁ ରଜର ରାଣୀ ଘୋଷଣା ସହିତ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ । ସମ୍ମିଳନୀରେ ଯୁବସମାଜସେବୀ ରଞ୍ଜନ ମହାପାତ୍ର, ଉପଦେଷ୍ଟା ବିଧୁଭୂଷଣ ପଟ୍ଟନାୟକ, ଆଦର୍ଶ ଶିକ୍ଷକ ନାରାୟନ ବେହେରା, ଓଟିଭି ଇଂରାଜୀ ସମ୍ବାଦର ପରିବେଶକ ଶୁଭଜିତ୍ ପଣ୍ଡା, ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ସୁରେଶ ଚନ୍ଦ୍ର ବେହେରା ଓ ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।