ସ୍ୱାସ୍ଥ୍ୟ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ 

ବ୍ରହ୍ମବରଦା : ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବ୍ୟୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଇ-କେୱାଇସି ସହ କାର୍ଡ ପ୍ରସ୍ତୁତି ଓ ବଂଟନ ନିମନ୍ତେ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ କରାଯାଇଛି ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । କିନ୍ତୁ ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତ ଅଂଚଳରେ ଏହି କାର୍ଡ ବଣ୍ଟନରେ ଟଙ୍କା ଆଦାୟ ହେଉଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିଛି ଅସାଧୁ ଆଶାକର୍ମୀ କାର୍ଡ ବଣ୍ଟନ ସମୟରେ ହିତାଧିକାରୀ ମାନଙ୍କ ଠାରୁ ୧୦ ରୁ ୨୦ଟଙ୍କା ଲେଖାଏ ପର୍ଯ୍ୟନ୍ତ ଆଦାୟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ବ୍ରହ୍ମବରଦା ପଞ୍ଚାୟତ ୮ନଂ ୱାର୍ଡ ଆଶାକର୍ମୀ ବ୍ୟତୀତ ଅନ୍ୟକିଛି ଆଶାକର୍ମୀ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ବଂଟନରେ ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଆଦାୟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ପି ସୂର୍ଯ୍ୟକାନ୍ତକୁ ପଚାରିବାରୁ ସେ କହିଥିଲେ କି ଆଶାକର୍ମୀ ମାନେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବା ସମୟରେ କୌଣସି ଟଙ୍କା ନେବାର ନିୟମ ନାହିଁ । ଯଦି କିଏ ନେଉଥିବା ତା ହେଲେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।