ସଡ଼କ ସୁରକ୍ଷା ମାସର ପ୍ରଭାବ: ଜାନୁଆରିରେ ୯୯ କମ୍ ଦୁର୍ଘଟଣା
ଭୁବନେଶ୍ୱର/କଟକ: ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା । ଦୁର୍ଘଟଣାପ୍ରବଣ ମାସ ଭାବରେ ପରିଚିତ ଜାନୁଆରୀରେ ପୂର୍ବବର୍ଷ ତୁଳନାରେ ସଡ଼କ ଦୁର୍ଘଟଣା ଓ ତଦ୍ଜନୀତ ମୃତୁ୍ୟସଂଖ୍ୟା ହ୍ରାସ ପାଇଛି । ୨୦୨୫ ଜାନୁଆରୀ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବରେ ପାଳନ କରାଯାଇଥିବା ବେଳେ ଏ ଅବସରରେ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ଆଖିଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କ ଜରିଆରେ ମାସେ ବ୍ୟାପୀ ସାରା ରାଜ୍ୟରେ ସଚେତନତା ଓ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଥିଲା । ସୂଚନାନୁଯାୟୀ, ୨୦୨୫ ଜାନୁଆରୀରେ ରାଜ୍ୟରେ ୯୯୪ ଦୁର୍ଘଟଣା ହୋଇଥିବା ବେଳେ ମୃତୁ୍ୟସଂଖ୍ୟା ହେଉଛି ୪୧୭ । ୨୦୨୪ରେ ଦୁର୍ଘଟଣା ସଂଖ୍ୟା ଥିଲା ୧୦୯୩ ଓ ମୃତୁ୍ୟସଂଖ୍ୟା ଉଦବେଗଜନକ ଭାବରେ ୫୬୧ ଛୁଇଁଥିଲା । ସେହିଭଳି ୨୦୨୩ରେ ଏହି ସଂଖ୍ୟା ଯଥାକ୍ରମେ ୧୧୯୯ ଓ ୫୫୪ ରହିଥିଲା । ପୂରାବର୍ଷରେ ବିଭିନ୍ନ କାରଣ ଯୋଗୁଁ ଡିସେମ୍ବର ଓ ଜାନୁଆରୀରେ ସର୍ବାଧିକ ଦୁର୍ଘଟଣା ଘଟିଥାଏ । ବିଦାୟୀ ବର୍ଷ, ନୂଆବର୍ଷ ଆଦି ପାଇଁ ପିକ୍ନିକ ସଂଖ୍ୟା ବୃଦ୍ଧିପାଏ । ଯାହା ମଦ୍ୟପାନ ଓ ଦ୍ରୁତଗତି ଜନିତ ଦୁର୍ଘଟଣା ବୃଦ୍ଧି କରାଏ । ସେହିଭଳି କୁହୁଡ଼ି ଯୋଗୁଁ ଅନେକ ଦୁର୍ଘଟଣା ଘଟିଥାଏ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ମାସ ମାନଙ୍କରେ ବିଶେଷ ନଜର ରଖିବାକୁ ବିଭାଗ ନିଷ୍ପତ୍ତି ନେଇଥିବାରୁ ଦୁର୍ଘଟଣା କ୍ରମଶଃ ହ୍ରାସ ପାଇଥିବା ଜଣାପଡ଼ିଛି । ସେହିପରି ଜାନୁଆରୀରେ ବିଶେଷ ଫୋକସ୍ ବ୍ୟତୀତ ପ୍ରତି ବୁଧବାରକୁ ଜିରୋ ଟଲେରାନ୍ସ ଡେ ଭାବରେ ପାଳନ କରାଯାଉଛି । ଆଗକୁ ସଚତେନତା କାର୍ଯ୍ୟକ୍ରମ ଓ ଏନଫୋର୍ସମେଣ୍ଟକୁ ଆହୁରି ବ୍ୟାପକ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ।