ହାତୀ ସୁରକ୍ଷା ପ୍ରସଙ୍ଗ
ସୌଭାଗ୍ୟ ରଞ୍ଜନ ମହାନ୍ତି : ଆସାମର ସାଙ୍ଗଦୁରାଇ ଗ୍ରାମ ନିକଟରେ ବିଗତ ମାସରେ ଦ୍ରୃତଗାମୀ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ୮ଟି ହାତୀଙ୍କର ମୃତ୍ୟୁ କେବଳ ଏକ ଭୟଙ୍କର ଦୁର୍ଘଟଣା ନୁହେଁ, ଏହି ଦୁଃଖଦ ଘଟଣା ଦେଶରେ ବଣଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁଙ୍କ ବାସସ୍ଥଳୀରେ ବିକାଶମୂଳକ କାର୍ଯ୍ୟର ଏକ ଦୁଭାର୍ଗ୍ୟଜନକ ପରିଣତି ବୋଲି କୁହାଯାଇପାରେ । ଆମ ଦେଶରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା ନୂଆ ନୁହେଁ, ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଦେଶରେ ଟ୍ରେନ ଧକ୍କାରେ ଏହା ଚତୁର୍ଥ ହାତୀ ମୃତ୍ୟୁ ଘଟଣା । ସ୍ଥଳଭାଗର ଏହି ବିଶାଳ ଜୀବ ହାତୀ ବଣ ଜଙ୍ଗଲରେ ଘୁରି ବୁଲୁଥିବା ସତ୍ତେ୍ୱ ସେମାନଙ୍କର ଚଲାପଥ (କରିଡର) ଏକ ନିର୍ଦ୍ଧିଷ୍ଟ ପଥର ସଂକେତ ପ୍ରଦାନ କରେ । ସେହି ଚଲାପଥରେ ରେଳ ଲାଇନ ନିର୍ମାଣ ହାତୀର ମୃତ୍ୟୁ ଜନ୍ତା ସାବ୍ୟସ୍ତ ହୋଇଛି । ଆସାମର ସିଙ୍ଗାଜୁରିଆ ଗ୍ରାମବାସୀ କହନ୍ତି, ସିଙ୍ଗାଜୁରିଆକୁ ହାତୀଙ୍କର ଚଲାପଥ ଭାବେ ଘୋଷଣା କରିବାକୁ ସେମାନେ ବାରମ୍ବାର ଦାବି କରି ଆସୁଥିବା ସତ୍ତେ୍ୱ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନାହାଁନ୍ତି ।
ହାତୀ ଚଲାପଥରେ ଟ୍ରେନର ଗତି କମାଇବା ପାଇଁ ନିର୍ଦ୍ଦେଶ ଥିବା ସତ୍ତେ୍ୱ ରାଜଧାନୀ ଏକ୍ସପ୍ରେସର ବେଗ ୨କିମି ବେଗରେ ନଥିବା ଗ୍ରାମବାସୀ କହନ୍ତି । ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ କେବଳ ଆସାମରେ ସୀମିତ ନୁହେଁ । ଆସାମ , ପଶ୍ଚିମବଙ୍ଗ, ଓଡିଶା, କେରଳ, ତାମିଲନାଡୁ ଆଦି ରାଜ୍ୟରେ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଘଟଣା ବାରମ୍ବାର ଘଟୁଛି । ୧୪ଟି ରାଜ୍ୟରେ ୭୭ଟି ହାତୀ ଚଲାପଥ ଚିହ୍ନଟ ହୋଇଥିବାବେଳେ ହାତୀ ମୃତ୍ୟୁ ଏଡାଇବା ପାଇଁ ସରକାର ଯେ, ପଦକ୍ଷେପ ନେଇନାହାଁନ୍ତି, ତା ନୁହେଁ । ହାତୀ ଚଲାପଥରେ ସାଇରନ, କ୍ଲୋଜ ସର୍କିଟ କ୍ୟାମେରା ଖଂଜିବା, ଟ୍ରେନର ଗତିପଥ କମାଇବା, ଟ୍ରେନ ଚାଳକମାନଙ୍କୁ ସଚେତନ କରାଇବାଠାରୁ ଆରମ୍ଭ କରି ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ଏ ସବୁ ଟ୍ରେନ ସହ ହାତୀର ଧକ୍କାକୁ ଏଡାଇ ପାରିନାହିଁ । ଏହାର କାରଣ ହେଉଛି ବ୍ୟାପକ ଜଙ୍ଗଲ କ୍ଷୟ ତଥା ବିକାଶମୂଳକ କାର୍ଯ୍ୟ ଯୋଗୁଁ ହାତୀଙ୍କର ବାସସ୍ଥଳ ସଂକୁଚିତ ହେବା ସହ ସେମାନଙ୍କର ଚଲାପଥରେ ପରିବର୍ତ୍ତନ ଘଟୁଛି । ଯାହା ସେମାନଙ୍କୁ ଏବେ ଜନବସତି ମୁହାଁ କରିଦେଇଛି । ଆମ ରାଜ୍ୟରେ ମଧ୍ୟ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ କିଛି କମ ନୁହେଁ ।
୨୦୧୯ରୁ ୨୪ ମଧ୍ୟରେ ଆମ ରାଜ୍ୟରେ ଟ୍ରେନ ଧକ୍କାରେ ୧୪ଟି ହାତୀଙ୍କର ଜୀବନ ଯାଇଥିବା ସରକାରୀ ରିପୋର୍ଟ କହେ । ତେବେ ଓଡିଶାରେ ଟ୍ରେନ ଧକ୍କାରେ ହାତୀମୃତ୍ୟୁ ଏଡାଇବା ଲାଗି ପରୀକ୍ଷାମୂଳକ ଭାବେ ରାଉରକେଲା ବନଖଣ୍ଡରେ କୃତ୍ରିମ ବୁଦ୍ଧିମତା (ଏଆଇ) କ୍ୟାମେରା ଖଂଜାଯାଇଛି । ଯାହାଦ୍ୱାରା ଗଲା ଡିସେମ୍ବର ମାସରେ ଏକ ଆସନ୍ନ ମୃତ୍ୟୁ ମୁଖରୁ ହାତୀ ପଲକୁ ରକ୍ଷା କରାଯାଇଥିଲା । ଓଡିଶାରେ ଏହା ସଫଳ ହେବା ଘଟଣାକୁ ଦୃଷ୍ଟିରେ ରଖି ସରକାର ଏବଂ ରେଳବାଇ କର୍ତ୍ତୃପକ୍ଷ ଦେଶର ସମସ୍ତ ହାତୀ ବହୁଳ ରାଜ୍ୟରେ ଟ୍ରେନ ଲାଇନ ଯାଇଥିବା ସେମାନଙ୍କ ଚଲାପଥରେ ଏଆଇ କ୍ୟାମେରା ଖଂଜା ଯିବାର ଆବଶ୍ୟକତା ରହୁଛି । କେବଳ ଟ୍ରେନ ଧକ୍କାରେ ନୁହେଁ, ସ୍ଥଳଭାଗର ଏହି ବିଶାଳକାୟ ଜୀବର ଜୀବନ ମଧ୍ୟ ବିପଦରେ, ଯାହାକି ହାତୀର ମୃତ୍ୟୁର କାରଣ ଭାବେ ଉଭା ହୋଇଛି । ବିଶେଷ କରି ବିଦ୍ୟୁତ ଏବଂ ହାତୀର ଶିକାର ସେମାନଙ୍କର ମୃତ୍ୟୁ ସଂଖ୍ୟ ବୃଦ୍ଧି କାରଣ ପାଲଟିଛି । କେବଳ ଏତକିି ନୁହେଁ, ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ହାତୀ-ମଣିଷ ଲଢେଇ ଏବେ ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ । ହାତୀ-ମଣିଷର ସମ୍ପର୍କ ମଧ୍ୟ ଅତି ନିବିଡ, ଯାହା ଆମର ଶାସ୍ତ୍ର ଦର୍ଶାଉଛି । ହାତୀ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ଆମ ଦେଶ ପୂଜା କରାଯାଇଥାଏ । ଏ ସବୁ ଦୃଷ୍ଟିରୁ ହାତୀର ସୁରକ୍ଷା ଏବେ ସମସ୍ତଙ୍କର ଧ୍ୟେୟ ହେଉ ।
ମୋ:୭୯୭୮୬୬୬୪୦୩
Samir Kumar Rout