ଚର୍ଚ୍ଚାରେ ନିଟ୍ ପରୀକ୍ଷା
ଆମ ସମାଜରେ ଦ୍ୱିତୀୟ ଭଗବାନ ଭାବେ ଡାକ୍ତରୀ ବୃତ୍ତିକୁ ମର୍ଯ୍ୟାଦା ଦିଆଯାଏ ଏବଂ ଏହି ମର୍ଯ୍ୟାଦାଜନକ ଓ ତୀବ୍ର ପ୍ରତିଯୋଗିତା ମୂଳକ ବୃତ୍ତି ପାଇଁ ଆବଶ୍ୟକ ପଡ଼ିଥାଏ ନିଟ୍ ପରୀକ୍ଷା । କିନ୍ତୁ ଚଳିତଥର ଏହି ନିଟ୍ ବ୍ୟବସ୍ଥା ଏପରି ଆଲୋଡ଼ନ, ଆଲୋଚନା ସୃଷ୍ଟି କରିଛି ଯେ ଯାହା ପୂର୍ବରୁ କେବେ ହୋଇନଥିଲା । ଚଳିତ ନିଟ ପରୀକ୍ଷାରେ ପ୍ରାୟ ଏକ ଲକ୍ଷ ସିରକି ଏମବିବିଏସ ସିଟ ଲାଗି ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ, ଅର୍ଥାତ୍ ପ୍ରତି ଆସନ ଲାଗି ପ୍ରାୟ ୨୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରତ । ଏଭଳି ସ୍ଥଳେ ଛାତ୍ରଛାତ୍ରୀ ମାନଙ୍କ ପ୍ରସ୍ତୁତି ଓ ପ୍ରତିଦ୍ୱନ୍ଦ୍ୱିତାର ସ୍ତର କିଭଳି ଉଚ୍ଚ ହୋଇଥାଏ, ତାହା କେବଳ ଅନୁମାନସାପେକ୍ଷ । ଏହି କାରଣରୁ ରାଜସ୍ଥାନର କୋଟାରେ ଥିବା ମେଡ଼ିକାଲ ଓ ଇଂଜିନିୟରିଂ କୋଚିଂ ସେଣ୍ଟର ଗୁଡ଼ିକ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ସକାଶେ ଚୁମ୍ବକୀୟ ଆକର୍ଷଣ କ୍ଷେତ୍ର ପାଲଟି କିଭଳି ଏକ କିମ୍ବଦନ୍ତୀ ସ୍ୱରୂପ ଲାଭ କଲାଣି, ତାହା ଦେଶ ବିଦେଶରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ପ୍ରତି ବର୍ଷ କୋଟାକୁ ପ୍ରାୟ ୨ଲକ୍ଷ ନୂଆ ଛାତ୍ରଛାତ୍ରୀ କେବଳ ନିଟ କୋଚିଂ ନେବା ଲାଗି ପଦାର୍ପଣ କରନ୍ତି ଏବଂ ସେହି ଗୋଟିଏ ସ୍ୱପ୍ନର ପୂର୍ତ୍ତି ସକାଶେ ପ୍ରବେଶିକା ଗାଇଡ଼ ବହିର ସ୍ତୂପ ମଧ୍ୟରେ ପୋତି ହୋଇ ନିଃସଙ୍ଗ ବିନିଦ୍ର ରଜନୀମାନ ଅତିବାହିତ କରନ୍ତି ।
ଏନଇଟି-ୟୁଜି ପରୀକ୍ଷାରେ ଅନିୟମିତତା ଓ ରେଜଲ୍ଟ ବିଭ୍ରାଟ ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି କରିଛି । ଏହାକୁ ନେଇ ଦିନକୁ ଦିନ ନାନା ବିବାଦ ସୃଷ୍ଟି ହେଉଥିବାବେଳେ ଚଳିତ ବର୍ଷ ମେଡ଼ିକାଲ ଓ ଫେଲୋସିପ ପରୀକ୍ଷାରେ ବୈଷୟିକ ତ୍ରୁଟି, ପ୍ରଶ୍ନପତ୍ର ପ୍ରଘଟ ଓ ପ୍ରକ୍ସି ପରୀକ୍ଷାର୍ଥୀ ହାଉଜାଉ ହେବା ସହିତ ଜାଣି ଶୁଣି କେତେ ଜଣଙ୍କୁ ଗ୍ରେସ ମାର୍କ ଦିଆଯିବା ବିଷୟ ପଦାକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହେବା ସହ ଏହା ହଇଚଇ ସୃଷ୍ଟି କରିଛି । ଚଳିତ ୨୦୨୪ରେ ପ୍ରାୟ ୨୪ ଲକ୍ଷ ୬ ହଜାର ୭୯ ପରୀକ୍ଷାର୍ଥୀଙ୍କ ଭିତରୁ ୨୩ ଲକ୍ଷ ୩୩ ହଜାର ୨୯୭ ପରୀକ୍ଷାର୍ଥୀ ୧ ଲକ୍ଷ ୬ ହଜାର ୩୩୩ (ଏମବିବିଏସ) ଓ ୨୬ ହଜାର ୯୪୯ (ବିଡ଼ିଏସ) ସହିତ ଅନ୍ୟାନ୍ୟ ସିଟ ପାଇଁ ପରୀକ୍ଷା ଦେଇଥିବାବେଳେ ଏଥରର ପରୀକ୍ଷାଫଳ ପିଲାମାନଙ୍କ ସହିତ ଅଭିଭାବକ ମାନଙ୍କୁ ମଧ୍ୟ ଚକିତ କରିଦେଇଛି ।
ମେଧା ସୃଷ୍ଟି ଓ ଅନ୍ୱେଷଣରେ ବିଶ୍ୱଗୁରୁ ଆଖ୍ୟା ପାଇଥିବା ଭାରତ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପରୀକ୍ଷା ପରିଚାଳନା ବିଭ୍ରାଟ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏନଟିଏ ଦ୍ୱାରା ପରିଚାଳିତ ଚଳିତ ବର୍ଷର ନିଟ-ୟୁଜି (ଡାକ୍ତରୀ ପରୀକ୍ଷା)ରେ ଗ୍ରେସ ମାର୍କ ବିବାଦ ଓ ପ୍ରଶ୍ନପତ୍ର ପ୍ରଘଟ ପରି ଗୁରୁତର ଅଭିଯୋଗ ଆସିବା ପରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଘେରକୁ ଚାଲିଯାଇଛି । କେବଳ ସେତିକି ନୁହେଁ, ନିଟ ୟୁଜି ପରୀକ୍ଷା ବିଭ୍ରାଟ ଜଣାପଡ଼ିବା ପରେ ଏନଟିଏ ଦ୍ୱାରା ପରିଚାଳିତ ନିଟ ପିଜି ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ଏବଂ ଅଧ୍ୟାପନା ଓ ଗବେଷଣା ପାଇଁ ଉଦ୍ଦିଷ୍ଟ ଯୋଗ୍ୟତା ପରୀକ୍ଷା ନିଟ ୟୁଜିସିକୁ ବାତିଲ କରିଦିଆଯାଇଛି । ଫଳରେ ଏହି ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଶ୍ରମ, ଅଧ୍ୟବସାୟ ନିଷ୍ପଲ ହେବା ସହିତ ସେମାନଙ୍କ କ୍ୟାରିୟର ଗଠନ ଆଶା ମଧ୍ୟ ମଉଳି ଯାଇଛି । କ୍ରମଶଃ ଏହି ସମସ୍ୟା ସ୍ୱାଭାବିକ ଭାବେ ରାଜନୈତିକ ରୂପ ନେଇଛି । ତେଣୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦ୍ର ସରକାର ଏନଟିଏର ମୁଖ୍ୟଙ୍କୁ ବହିଷ୍କାର କରିବା ସହିତ ଜାତୀୟ ପ୍ରବେଶିକା ପରୀକ୍ଷାର ପରିଚାଳନାରେ ସଂସ୍କାର ପରାମର୍ଶ ଦେବା ପାଇଁ ଦେଶର ବଛାବଛା ଶିକ୍ଷାବିତଙ୍କୁ ନେଇ ଇସ୍ରୋର ପୂର୍ବତନ ମୁଖ୍ୟ ଡ.କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସାତଜଣିଆ କମିଟି ଗଠନ କରିଛନ୍ତି । ଏଥିସହିତ ଜାତୀୟ ପରୀକ୍ଷା ପରିଚାଳନା ଆଇନକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି ।
ପ୍ରଥମେ ୟୁଜି-ନିଟ ଏବଂ ପରେ ୟୁଜିସି - ନିଟ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିବା ପରେ ଏନଟିଏର କାର୍ଯ୍ୟଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏନଟିଏ ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ଦାୟିତ୍ୱ ତୁଲାଇଥାଏ । ପ୍ରଶ୍ନପତ୍ର ପ୍ରସ୍ତୁତି ସହ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ, ପେପର ଯାଞ୍ଚ କଥା ମଧ୍ୟ ବୁଝିଥାଏ ଏହି ସ୍ୱୟଂଶାସିତ ସଂସ୍ଥା । ତେବେ ଯେଉଁଭଳି ଭାବେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ତ୍ରୁଟି ବିଚୁ୍ୟତି ସାମ୍ନାକୁ ଆସିଛି, ତାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ନେବା ସହ ସରକାରଙ୍କୁ ଟାଣିଛି କାଠଗଡ଼ାକୁ । ବର୍ତ୍ତମାନ ପ୍ରଶ୍ନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଛାତ୍ରଛାତ୍ରୀଙ୍କୁ କିଭଳି ମିଳିବ ନ୍ୟାୟ?
ପୂର୍ବରୁ ମେଡ଼ିକାଲ ଶିକ୍ଷା ପାଇଁ ବିଭିନ୍ନ ରାଜ୍ୟରେ ପ୍ରବେଶିକା ପରୀକ୍ଷା ଏବଂ ସର୍ବଭାରତୀୟ କ୍ଷେତ୍ରରେ ଏ.ଆଇ.ପି.ଏମ୍.ଟି ପରୀକ୍ଷା ସମାନ୍ତରାଳ ଭାବେ ଚାଲୁଥିଲା । କିନ୍ତୁ ୨୦୧୬ରୁ ଦେଶବ୍ୟାପୀ ଡାକ୍ତରୀ ଶିକ୍ଷା ପାଇଁ କେନ୍ଦ୍ରୀୟ ପରୀକ୍ଷା ବ୍ୟବସ୍ଥା କରାଯାଇ ନିଟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ପଥମତଃ ପଞ୍ଜୀକରଣରୁ ହିଁ ଚଳିତ ବର୍ଷ ନିଟ ପରୀକ୍ଷାର ଅନିୟମିତତାର ଅଭିଯୋଗ ଉଠିଥିଲା । ପଞ୍ଜିକରଣ ପାଇଁ ଆବେଦନ ସମୟ ସୀମା ଫେବୃୟାରୀ ୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆବେଦନ ଶେଷ ତାରିଖକୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ହଠାତ୍ ଏପ୍ରିଲ ୯-୧୦ରେ ପଞ୍ଜିକରଣ ପାଇଁ ପୁଣି ଥରେ ସୁଯୋଗ ଦିଆଗଲା । ଏନଟିଏର ଏଭଳି ନିଷ୍ପତ୍ତିକୁ ଅଦ୍ଭୁତ ଓ ସ୍ୱାର୍ଥ ପ୍ରଣୋଦିତ ବୋଲି ସେତେବେଳେ ଅଭିଯୋଗ ଆସିଥିଲା । ଦ୍ୱିତୀୟତଃ, ନିଟ ୟୁଜିରେ ମୋଟ ୭୨୦ ନମ୍ବରର ପରୀକ୍ଷା ହୋଇଥାଏ । ଚଳିତ ବର୍ଷ ୬୭ ଜଣ ପରୀକ୍ଷାର୍ଥୀ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ଟପ୍ପର ହୋଇଛନ୍ତି । ଗତବର୍ଷ ମାତ୍ର ୨ଜଣ ଓ ୨୦୨୨ରେ ୪ଜଣ ପରୀକ୍ଷାର୍ଥୀ ସର୍ବୋଚ୍ଚ ୭୨୦ ନମ୍ବର ରଖିବାରେ ସକ୍ଷମ ହୋଇଥିଲେ । ତେଣୁ କେଉଁ ଯାଦୁବଳରେ ଚଳିତ ବର୍ଷ ଏକକାଳୀନ ୬୭ ଜଣ ପରୀକ୍ଷାର୍ଥୀ ଶ୍ରତିପ୍ରତିଶତ ନମ୍ବର ରଖିପାରିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ତୃତୀୟତଃ ପରୀକ୍ଷା ନିୟମାବଳୀ କାଗଜରେ ଗ୍ରେସ ମାର୍କ ସମ୍ପର୍କରେ ଉଲ୍ଲେଖ ନଥିଲେ ମଧ୍ୟ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା । ଏନଟିଏ କହିବା ଅନୁଯାୟୀ କିଛି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ବିଳମ୍ବରେ ପହଞ୍ଚôବା ଏବଂ କିଛି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୁରୁଣା ଏନସିଇଆରଟି ବହି ବ୍ୟବହାର କଥାକୁ ବିଚାରକୁ ନେଇ ଅତିରିକ୍ତ ମାର୍କ ଦିଆଯାଇଛି । ତେବେ ପ୍ରଶ୍ନ ଉଠେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ସମୟ ଦିଆ ନଯାଇ ଗ୍ରେସ ମାର୍କର ବ୍ୟବସ୍ଥା କାହିଁକି କରାଗଲା? ଅବଶ୍ୟ ବହୁତ ଅଭିଯୋଗ ଆସିବା ପରେ ଏବଂ ଏ ପ୍ରସଙ୍ଗରେ ଏକ ମାମଲାରେ ସୁପ୍ରିମ କୋର୍ଟଙ୍କ କଡ଼ା ମନ୍ତବ୍ୟ ପରେ କେନ୍ଦ୍ର ସରକାର ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ବାତିଲ କରି ଜୁନ ୨୩ ତାରିଖରେ ସେମାନଙ୍କର ପୁନଃ ପରୀକ୍ଷା କରାଇଲେ, ଯାହାର ଫଳାଫଳ ୩୦ ତାରିଖରେ ବାହାରିବ । କାଉନସେଲିଂ ବନ୍ଦ କରାଯାଇନାହିଁ ଏବଂ ସୁପ୍ରିମ କୋର୍ଟରେ ଏ ସମସ୍ତ ବିଷୟରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ କରାଯିବ । ହେଲେ ସରକାର ହୁଅନ୍ତୁ କି ଏନଟିଏ, ଜାଣି ରଖନ୍ତୁ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସାମାନ୍ୟ ତ୍ରୁଟି ଅଯୋଗ୍ୟ ଡାକ୍ତରଟିଏ ସୃଷ୍ଟି କରିବ । ଆଗକୁ ସେହି ଡାକ୍ତରର ଚିକିତ୍ସା ଦେଶ ପାଇଁ କାମରେ ଆସିବ କି? ଟଙ୍କା ବାଲାମାନେ ନିଜ ପିଲାଙ୍କ ପାଇଁ ଅର୍ଥ ବୁହାରେ ସିଟ ଯଦି କିଣିବେ ତାହାଲେ ଗରିବ ଓ ମଧ୍ୟବିତ୍ତ ଘରର ପିଲା, ଯିଏ କଠୋର ପରିଶ୍ରମ କରି ପ୍ରବେଶିକା ପରୀକ୍ଷା ଦେଉଥିବାମାନେ କରିବେ କ'ଣ? ଗତବର୍ଷ ପର୍ଯ୍ୟନ୍ତ ୬୪୦ରେ ସ୍କୋର ନିଶ୍ଚିତ ସରକାରୀ କଲେଜରେ ଏମବିବିଏସ ସିଟ ପ୍ରଦାନ କରୁଥିଲେ । ଏଥର ଡେଣ୍ଟାଲରେ ମିଳିବା ବି ସମ୍ଭବ ନୁହେଁ । ବର୍ଷେ ଦୁଇ ବର୍ଷ ଡ୍ରପ ନେଇ ପିଲାଏ ରାତିଦିନ ଏକ କରୁଛନ୍ତି ନିଟ୍ ପରୀକ୍ଷା ପାଇଁ । ସେ ପରୀକ୍ଷା ଯଦି ସ୍ୱଚ୍ଛତାରେ ହେବନି ତାହେଲେ ସତ ପରିଶ୍ରମ କରୁଥିବା ପିଲାଙ୍କ ମାନସିକ ଅବସ୍ଥା କ'ଣ ହେବ? ଭାବିଛନ୍ତି କି କେବେ ଏନଟିଏ କର୍ତ୍ତୃପକ୍ଷ? ପିଲାଙ୍କ ସହ ଖେଳ ବୋଲି ଭାବନ୍ତୁନି, ଏହା ଦେଶର ଭବିଷ୍ୟତ ସହ ଖେଳ, ଜାଣି ରଖନ୍ତୁ ଏହାକୁ । ଏନଟିଏର କିଛି ଅଧିକାରୀଙ୍କୁ ହଟାଯିବା ଏବଂ ସିବିଆଇର ତଦନ୍ତ ଆରମ୍ଭ ହେବା କ'ଣ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ଲାଗି କରିପାରିବ କିଛି ସହାୟତା ।
ଏକ ତଥ୍ୟ ଅନୁଯାୟୀ ୨୦୧୯-୨୧ ମଧ୍ୟରେ ଆମ ଦେଶରେ ପ୍ରାୟତଃ ୩୫,୦୦୦ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ସାମାଜିକ ଓ ଆର୍ଥିକ ବୈଷମ୍ୟ ହିଁ ଏଥିପାଇଁ ମୂଳତଃ ଦାୟୀ । ଡାକ୍ତରୀ ଶିକ୍ଷାର କେନ୍ଦ୍ରୀକରଣ ଓ ବ୍ୟବସାୟୀକରଣ ହେବା ଦ୍ୱାରା ସଂଘୀୟ ବ୍ୟବସ୍ଥା ବ୍ୟାହତ ହେବା ସହ ଡାକ୍ତରୀ ପେସାର ମୂଲ୍ୟବୋଧରେ ଅବକ୍ଷୟ ଘଟିଥିବା ମଧ୍ୟ ମତ ପ୍ରକାଶ ପାଇଛି । ୨୦୨୧ ମସିହାରେ ତାମିଲନାଡୁରେ ଏ କେ ରାଜନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଅନୁଯାୟୀ ନିଟ ପରୀକ୍ଷା ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କୁ ଡାକ୍ତରୀ ଶିକ୍ଷାରୁ ବଞ୍ଚôତ କରୁଛି । ଇତିମଧ୍ୟରେ ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନାନୁସାରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଅନ୍ୟ ପରୀକ୍ଷା ସହ କମ୍ପୁ୍ୟଟର ପର୍ଯ୍ୟବସିତ ପରୀକ୍ଷା ଗୁଡ଼ିକ ନିମନ୍ତେ ଜାତୀୟ ନିଯୁକ୍ତି ସଂସ୍ଥା ଆବଶ୍ୟକ ଏସଓପି ଜାରି କରିବାକୁ ବାଧ୍ୟତାମୂଳକ କରାଯାଇଛି । ବିଜ୍ଞପ୍ତି ଅନୁସାରେ, ପ୍ରତ୍ୟେକ ପରୀକ୍ଷା ଓ ପ୍ରବେଶିକା ପରୀକ୍ଷା ପୂର୍ବରୁ ସହଯୋଗୀ ସଂସ୍ଥା, ବ୍ୟକ୍ତିବିଶେଷ, ଅନୁଷ୍ଠାନ ଆଦି ସହ ସମାଲୋଚନା କରି ଏନଆରଏ ଆବଶ୍ୟକ ଗାଇଡ଼ଲାଇନ, ଏସଓପି ଆଦି ପ୍ରସ୍ତୁତ କରିବ । ପ୍ରତି ପରୀକ୍ଷା ପୂର୍ବରୁ ଏହି ଗାଇଡ଼ଲାଇନ, ଏସଓପି ଗୁଡ଼ିକୁ କେନ୍ଦ୍ର ସରକାର ସର୍ବସାଧାରଣରେ ପ୍ରକାଶ କରିବେ । ଏସଓପିରେ ପରୀକ୍ଷା କେନ୍ଦ୍ରର ପ୍ରାକ ନିରୀକ୍ଷଣ, ପରୀକ୍ଷା କେନ୍ଦ୍ର ନିକଟରେ ପ୍ରାର୍ଥୀଙ୍କୁ ଯାଞ୍ଚ, ବାୟୋମେଟ୍ରିକ ପଞ୍ଜୀକରଣ, ସୁରକ୍ଷା ଓ ସ୍କ୍ରିନିଂ ପରୀକ୍ଷା କେନ୍ଦ୍ରରେ ବସିବା ସ୍ଥାନର ବ୍ୟବସ୍ଥା, ପ୍ରଶ୍ନପତ୍ର ସେଟିଂ ଏବଂ ପରୀକ୍ଷା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ବିସ୍ତୃତ ନୀତି ରହିବ । ସୁତରାଂ ଏଥିରୁ ଉପଲବ୍ଧ ବିମର୍ଷକର ଉପସଂହାରଟି ହେଲା ଛାତ୍ରଛାତ୍ରୀଙ୍କୁ ଗଢ଼ିବାର ଦାୟିତ୍ୱ ନେଇଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ଅଧଃପତିତ ଏବଂ ଏଭଳି ପରିବେଶରେ ଅନେକ ଛାତ୍ରଛାତ୍ରୀଙ୍କ ନିରନ୍ଧ୍ର ପରିଶ୍ରମ ଅଗତ୍ୟା ନିରର୍ଥକ ହୋଇଯାଏ । ଅପରପକ୍ଷରେ ବ୍ୟୟବହୁଳ ଶିକ୍ଷା ବ୍ୟବସ୍ଥା ଡାକ୍ତରଙ୍କ ସେବା ପରାୟଣତାକୁ କ୍ଷୁଣ୍ଣ କରୁଛି । ଏହି ଧାରା ଜାରି ରହିଲେ ଭବିଷ୍ୟତରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏହା ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ ।
ଇ-ମେଲ : ହବଗ୍ଦବଗ୍ଦଙ୍ଗସଦ୍ଭସକ୍ଟ୍ରବଗ୍ଧଗ୍ଧବଦ୍ଭବସଳ୭୮ଅଶଜ୍ଞବସକ୍ଷ.ମକ୍ଟଜ୍ଞ