ହେଉନି ଭେଣ୍ଡିଂ ଜୋନ ଦୋକାନ ହସ୍ତାନ୍ତର : ଖତ ଖାଉଛି ୫୦ କ୍ୟାବିନ୍ 

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଉଠାଦୋକାନୀଙ୍କୁ ଥଇଥାନ କରିବା ଲକ୍ଷ୍ୟରେ ମୁ୍ୟନିସିପାଲଟି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ଚିହ୍ନଟ କରି ଟିଣ କ୍ୟାବିନରେ ଦୋକାନ ଗୃହ ନିର୍ମାଣ କରାଯାଇଛି । ହେଲେ ଅଧାରୁ ଅଧିକ କ୍ୟାବିନ ଗୃହ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇନାହିଁ । ଫଳରେ କ୍ୟାବିନ ଗୁଡିକ ଖାଲି ପଡି ନଷ୍ଟ ହେବାରେ ଲାଗିଛି । ପ୍ରକାଶ ଯେ, ଭବାନୀପାଟଣା ମୁ୍ୟନିସିପାଲଟି ପକ୍ଷରୁ ୨୦୧୭-୧୮ମସିହାରୁ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା । ଉଠାଦୋକାନୀ ମାନେ ସେଠାରେ ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଇବା ଉଦେ୍ଦଶ୍ୟରେ କରାଯାଇଥିଲା । ସହରର କଲେଜ ଛକଠାରେ ୬ଗୋଟି, ଏସବିଆଇ ବ୍ୟାଙ୍କ ଛକରେ ୧୭ଗୋଟି, ପୁରୁଣାପଡା ପୋଖରୀ ହୁଡାରେ ୪୪ଗୋଟି, ଇରିଗେସନ ଛକରେ ୧୩ଗୋଟି, ବାଳିକା ଉଚ୍ଚ ବିଦ୍ୟାପୀଠ ସାମ୍ନାରେ ୮ଗୋଟି ମିଶି ସମୁଦାୟ୮୮ଗୋଟି ଟିଣ କ୍ୟାବିନ ନିର୍ମାଣ କରାଯାଇଥିଲା । ସେଥିରୁ କେବଳ ୩୮ଜଣକୁ ମାସିକ ୫୦୦ଟଙ୍କା ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଛି । ଅନ୍ୟ ୫୦ଗୋଟି କ୍ୟାବିନ ଖାଲି ପଡିଛି । ଗୋଟିଏ କ୍ୟାବିନ ବାବଦକୁ ୪୫ହଜାର ଟଙ୍କା ହିସାବରେ ୮୮ଗୋଟି କ୍ୟାବିନକୁ ୩୯ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ସହରର ଏକାଧିକ ଉଠାଦୋକାନୀ ମାଲିକ ଆଶାୟୀ ଥିବାବେଳେ ମୁ୍ୟନିସିପାଲଟି ପକ୍ଷରୁ ପ୍ରାଥମିକତା ଆଧାରରେ ଉଠାଦୋକାନୀ ମାନଙ୍କୁ କ୍ୟାବିନ ବଣ୍ଟନ ଚୂଡାନ୍ତ ନିଷ୍ପତ୍ତି ହୋଇପାରିନାହିଁ । ଫଳରେ ଖାଲି ପଡିଥିବା କ୍ୟାବିନ ଗୁଡିକ ନଷ୍ଟ ହେବାରେ ଲାଗିଛି । ଯଦି ଏହି କ୍ୟାବିନ ବ୍ୟବହାରରେ ଆସିପାରୁନି ତା’ ହେଲେ ମୁ୍ୟନିସିପାଲଟିର ଲକ୍ଷଲକ୍ଷ ଟଙ୍କା ପାଣିରେ ପଡିବା ସଦୃଶ ବୋଲି ଆଲୋଚନା ହେଉଛି । ଏ ନେଇ ମୁ୍ୟନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଆସନ୍ତା ମାସ ସୁଦ୍ଧା କ୍ୟାବିନ ଗୁଡ଼ିକୁ ମରାମତ କାର୍ଯ୍ୟ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।