୨୮ରୁ ଜିଲ୍ଲା କ୍ରୀଡ଼ା ସଂସଦର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର ଠାରେ ଆଜି କ୍ରୀଡ଼ା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରି ଚଳିତ ବର୍ଷ ସାହାଣି କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜୁଲାଇରେ ହେବ ବୋଲି କହିଥିଲେ । ଏ ପରିପ୍ରେକ୍ଷିରେ ଜିଲ୍ଲା ଖେଳାଳି ଚୟନ ପାଇଁ ଜୁନ ୨୮ରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦଳରେ ଖେଳାଳି ୩୫ ବର୍ଷରୁ ଅଧିକ ହୋଇ ନ ଥିବେ ଓ ୧୯ ବର୍ଷରୁ କମ୍ ଅନ୍ୟୁନ ୪ ଜଣ ଖେଳାଳି ଥିବା ବାଧ୍ୟତାମୂଳକ । ସମସ୍ତ ଖେଳାଳିଙ୍କ ଡିଜିଟାଲ ଜନ୍ମ ପ୍ରମାଣପତ୍ର କିମ୍ବା ହାଇସ୍କୁଲ ପାସ ସାର୍ଟିଫିକେଟ, ଆଧାର କାର୍ଡ ଓ ଗୋଟିଏ ଲେଖାଏଁ ପାସପୋର୍ଟ ସାଇଜ ଫଟୋ ସହ ଖେଳାଳି ରେଜିଷ୍ଟ୍ରେସନ ଦେବାକୁ ପଡିବ । ଇଚ୍ଛୁକ ଅଂଶଗ୍ରହଣକାରୀ ଦଳ ଜୁନ ୨୩ ଓ ୨୪ ତାରିଖ ଦିନ ସକାଳ ୧୦ଟା ଠାରୁ ଅପରାହ୍ଣ ୫ଟା ମଧ୍ୟରେ ତାଙ୍କ ଆବେଦନ ଫର୍ମ ସହ ଖେଳାଳି ରେଜିଷ୍ଟ୍ରେସନ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର ଠାରେ ଦେବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ବୈଠକରେ କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, ଫୁଟବଲ ସଂପାଦକ ଶରତ ନନ୍ଦ, ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, ଇଂ. ନାରାୟଣ ପ୍ରସାଦ ମିଶ୍ର, କୈଳାସ ଚନ୍ଦ୍ର କର୍ତ୍ତି, ଭୁପେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଯୋଗ ଦେଇଥିଲେ ।