୬୫ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଆତଙ୍କ
ନୀଳଗିରି : ନୀଳଗିରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପୁଣି ପଶିଲେ ୬୫ଟିକିଆ ଝାଡଖଣ୍ଡୀ ହାତୀପଲ । ଏବେ ଧାନ ଫସଲ ନଥିବା ବେଳେ ଗାଁକୁ ପଶି ହାତୀ ଉପଦ୍ରବ କରିବା ସହ ଘର ଭାଙ୍ଗିବା ନେଇ ଆଶଙ୍କା ଘାରୁଛି । ଏ ନେଇ ବନାଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ସୂଚନା ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀପଲ ଆସୁଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀଦଳ ଆସି ଓଡିଶା ବଡର୍ ପାରି ହୋଇ କିଛିଦିନ ମୟୂରଭଞ୍ଜରେ ରହିଥିବାବେଳେ ମଙ୍ଗଳବାର ଭୋର ସମୟରେ ୬୫ଟିକିଆ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧିନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ଏହି ହାତୀପଲ ଅପରାହ୍ନ ୬ ଘଟିକା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବାବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଙ୍ଗଲ ମୁହାଁ ହେଉଥିବା ଜଣାପଡୁଛି । ବନବିଭାଗ ହାତୀର ଗତିବିଧି ନୀରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିଛନ୍ତି । ହାତୀପଲ ଆସୁଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱକୁ ସଂଲଗ୍ନ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏବେ ଧାନ ଫସଲ ନଥିବାରୁ ସନ୍ଧ୍ୟାହେଲେ ଖାଦ୍ୟ ଅନ୍ୱେଷଣରେ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ନିକଟସ୍ଥ ଗ୍ରାମପଞ୍ଚାୟତ ନରଣପୁର, ଭଉଁରିୟାବାଡ, ଜାମୁଡିହା, ଶିଆଡିମାଳ, ସଜନାଗଡ, ଗରଡି, ଅଯୋଧ୍ୟା ଆଦି ଅଞ୍ଚଳରେ ହାତୀ ଅନ୍ଧାର ରାତ୍ରିରେ ଉପଦ୍ରବ କରିବା ସହ ଘର ଭାଙ୍ଗିବା ନେଇ ଆଶଙ୍କା ଘାରୁଛି । ଏ ନେଇ ନୀଳଗିରି ରେଞ୍ଜର ଆଇସା ଅକ୍ତାରି ନିସା ପଚାରିବାରୁ ଜଙ୍ଗଲ ଚତୁଃପାର୍ଶ୍ୱରେ ନୀଳଗିରି ବନବିଭାଗ ପକ୍ଷରୁ ୨୫ରୁ ଊଦ୍ଧ୍ୱର୍ କର୍ମଚାରୀ ତଥା ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡÿ, ସବୁଜ ବାହିନୀ ଜଗି ରହିଛନ୍ତି ବୋଲି ମତ ରଖିଥିଲେ ।