୮ରେ ବ୍ୟାସନଗରରେ ସୁଭଦ୍ରା କିସ୍ତି ବାଣ୍ଟିବେ: ଜିଲା ମହୋତ୍ସବ "ଯଯାତି' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଯାଜପୁର: ଚଳିତମାସ ୮ତାରିଖ ଯାଜପୁର ଜିଲାଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉକ୍ତ ଦିନ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିବା ସହ ବ୍ୟାସନଗରରେ ସୁଭଦ୍ରା କିସ୍ତି ସହ ଯାଜପୁର ଟାଉନ୍ଠାରେ ଜିଲା ମହୋସôବ ଯଯାତି ଉଦଘାଟନ କରିବେ । ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି-୨୦୨୫ ସମ୍ପର୍କୀୟ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ସୂଚନା ଦେଇଛନ୍ତି । ଯଯାତି-୨୦୨୫କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ପ୍ରଶାସନିକ ଭବନ ପଡିଆଠାରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ସେହିଦିନ ଚାନ୍ଦମା ପଡିଆ, ଯାଜପୁର ରୋଡ଼ ଠାରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତି ପ୍ରଦାନ କରିବେ । ଜିଲା ମହୋତ୍ସବ ଯଯାତି -୨୦୨୫ ଏବଂ ପଲ୍ଲୀଶ୍ରୀ ମେଳା ଫେବୃଆରୀ ୮ତାରିଖରୁ ଆରମ୍ଭ ହୋଇ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୫ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଯଯାତି-୨୦୨୫ ଆରମ୍ଭରେ ମା'ବିରଜାଙ୍କ ମନ୍ଦିର ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ପ୍ରଶାସନିକ ଭବନ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୧୫୦ ଷ୍ଟଲ୍ ବିଶିଷ୍ଟ ପଲ୍ଲିଶ୍ରୀ ମେଳା ଓ ୪୦ଷ୍ଟଲର ଫୁଡ କୋର୍ଟ ଆୟୋଜିତ ହେବ । ପଲ୍ଲୀଶ୍ରୀ ମେଳାରେ ସ୍ଥାନୀୟ ଓ ଅନ୍ୟ ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ଜିନିଷ ବିକ୍ରୟ କରାଯିବ । ପ୍ରତ୍ୟେକ ଦିନ ସଭା ପୂର୍ବରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ପ୍ରତ୍ୟେକ ଦିନ ସ୍ୱାଗତ ସଙ୍ଗୀତ ଗାନ କରାଯିବ । ଏହା ବ୍ୟତୀତ ବଲିଉଡ୍, ଓଲିଉଡ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରଥମ ଦିନ ଓଡ଼ିଶୀର ଗଣେଶ ବନ୍ଦନା ପରିବେଷଣ କରାଯିବ । ଆଦିବାସୀ ଢେମସା, ରାଜସ୍ଥାନୀ ଫୋକ ଡାନ୍ସ, ମାଲାଖମ୍ବ ଆକ୍ଟ, ଭାରତ ନାଟ୍ୟମ, ଷ୍ଟାଣ୍ଡ ଅପ୍ କମେଡି, କଳାହାଣ୍ଡି ଘୁମୁରା ବିଭିନ୍ନ ଦିନରେ ପରିବେଷଣ କରାଯିବ । ଏତଦବ୍ୟତୀତ ଫେବୃଆରୀ ୧୦ତାରିଖରେ ସେମିନାର ଦିନ ୧୦ଘଟିକା ଓ ୧୧ ତାରିଖରେ ଏକ କବି ସମ୍ମିଳନୀ ୯.୩୦ରେ ଅନୁଷ୍ଠିତ ହେବ । ଜିଲ୍ଲା ମହୋତ୍ସବରେ ବଲିଉଡ୍ ସିଙ୍ଗର ଜୁବିନ୍ ନଉଟିଆଲ୍, ଅନନ୍ୟା ଶ୍ରୀତମ ନନ୍ଦ, ସତ୍ୟଜିତ ପ୍ରଧାନ, ମୋନାଲୀ ଠାକୁର, ଦେବାର୍ଚ୍ଚନ ମିଶ୍ର, ଦିପ୍ତିରେଖା ପାଢ଼ୀ, ସୁଖବିନ୍ଦର୍ ସିଂହ ମୁଖ୍ୟ ଆକର୍ଷଣ ହେବେ । ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ ଯୋଗଦେଇ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲୀ ବେହେରା, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଉପସ୍ଥିତ ରହି ସ୍ୱାଗତ ସୂଚନା ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।