୮୪ ବର୍ଷୀୟ ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା
ନାଉଗାଁ : ସରକାରୀ ନିୟମାନୁଯାୟୀ ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ପ୍ରଦାନ କରାଗଲାଣି । କିନ୍ତୁ ବୟସ ହୋଇଯିବା ପରେ ବି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳ ପଞ୍ଚାୟତର ବ୍ରାହ୍ମଣୀଗାଁ ଗ୍ରାମର ଶାନ୍ତିଲତା ଦେଇ । ବୟସ ହୋଇଯିବା ପରେ ବି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବୟସ ୮୪ ବର୍ଷ ହୋଇଥିଲେ ମଧ୍ୟ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ଭତ୍ତା ବୃଦ୍ଧି ଲାଗି ଶାନ୍ତିଲତା ଦେଇ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ଗୁହାରି କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀମାନେ ତାଙ୍କ ଗୁହାରିକୁ କର୍ଣ୍ଣପାତ କରୁନଥିବା ସେ କୋହଭରା କଣ୍ଠରେ କହିଛନ୍ତି । ବୃଦ୍ଧା ଜଣକ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଔଷଧ କିଣିବା ପାଇଁ ପାଖରେ ଅର୍ଥ ନଥିବାରୁ ରୋଗଶଯ୍ୟାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଶାନ୍ତିଲତାଙ୍କୁ ତାଙ୍କର ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।