ଉମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ: ଫସଲ କ୍ଷୟକ୍ଷତିର କଲେ ସମୀକ୍ଷା

 ବାଲେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ବ୍ୟାପକ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । 
ଗସ୍ତ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ସଦର ବ୍ଲକସ୍ଥିତ ମହାପଦା ଓ ନର୍ସିଙ୍ଗପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସିଧାସଳଖ କୃଷକମାନଙ୍କ ସହିତ ସେମାନଙ୍କ ଫସଲର କ୍ଷୟକ୍ଷତି ବିଷୟରେ ପଚାରି ବୁଝିଥିଲେ । ଏହି ଆଲୋଚନା କାଳରେ ସେ ଚାଷୀମାନଙ୍କ ସମସ୍ୟା ଶୁଣିବା ସହ ଅଦିନିଆ ବର୍ଷା ହେତୁ ସେମାନଙ୍କ କୃଷିଜାତ ଦ୍ରବ୍ୟ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିଥିଲେ । ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପୟୁକ୍ତ ସହାୟତା ଓ କ୍ଷତିପୂରଣ ସୁନିଶ୍ଚିତ କରିବା ଆମର ପ୍ରାଥମିକତା ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ଅଦିନିଆ ବର୍ଷା ପରିସ୍ଥିତି ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ ଆକଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ  ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ  ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ । ପ୍ରଭାବିତ ଅଞ୍ଚଳଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବାକୁ ସେ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପୟୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଫସଲ କ୍ଷୟକ୍ଷତିର ସ୍ୱଚ୍ଛ ଓ ସଠିକ୍ ଆକଳନ ପାଇଁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଏଥି ସହିତ ଜିଲ୍ଲାରେ ସୁଭଦ୍ରା ଯୋଜନା, ଧାନ କିଣା ଏବଂ ଅନ୍ୟାନ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା କରିଥିଲେ । ବୈଠକରେ  ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ପଦ୍ମଲୋଚନ ପଣ୍ଡା, ବିଧାୟକ  ମାନସ ଦତ୍ତ ଓ ବିଧାୟକ ସନ୍ତୋଷ ଖଟୁଆଙ୍କ ସମେତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ସମସ୍ତ ତହସିଲଦାର ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।